ଦୁର୍ଘଟଣାରେ ୪ ବର୍ଷରେ ଯାଇଛି ୧୮ ହଜାର ଜୀବନ

‌ବେପରୱା ଗାଡ଼ି ଚାଳନା ପାଇଁ ୯ ହଜାର ଚାଳକଙ୍କ ଡିଏଲ୍‌ ବାତିଲ୍‌, ୧୫ ବର୍ଷରୁ ଅଧିକ ୧୧ ଲକ୍ଷ ଗାଡ଼ି ଗଡ଼ୁଛି

ଭୁବନେଶ୍ବର : ରାଜ୍ୟରେ ସଡ଼କ ଦୁର୍ଘଟଣା ଗୁରୁତର ଆକାର ଧାରଣ କଲାଣି। ଗତ ଚାରି ବର୍ଷ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ ହଜାରରରୁ ଅଧିକ ଦୁର୍ଘଟଣା ଘଟିଛି। ଆଉ ଏଥିରେ ୧୮,୬୮୩ ଜଣଙ୍କ ଜୀବନ ଚାଲିଯାଇଛି। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି। ସଡ଼କ ସୁରକ୍ଷା ନେଇ ସରକାରୀ ଓ ବେସରକାରୀ ସ୍ତରରେ ବହୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ବି ଦୁର୍ଘଟଣା ହାର ପ୍ରତି ବର୍ଷ ବଢ଼ିବାରେ ଲାଗିଛି, ଯାହା କି ଚିନ୍ତାର ବିଷୟ ପାଲଟିଛି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୧୬ରେ ୧୦,୫୩୨ ଦୁର୍ଘଟଣା ଘଟିଥିଲା ବେଳେ ସେଥିରେ ୪,୪୬୩ ଜଣ ମୃତ୍ୟୁବରଣ କରିଥିଲେ। ୨୦୧୭ରେ ୧୦,୮୫୫ଟି ଦୁର୍ଘଟଣା ଘଟିଥିଲା ବେଳେ ସେଥି‌େର ୪୭୯୦ ଜଣଙ୍କ ପ୍ରାଣହାନି ହୋଇଥିଲା। ସେହିପରି ୨୦୧୮ରେ ଘଟିଥିବା ୧୧,୨୬୨ଟି ଦୁର୍ଘଟଣାରେ ୫,୩୧୫ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି। ୨୦୧୯ରେ ସେପ୍ଟେମ୍ବର ମାସ ସୁଦ୍ଧା ୮,୨୦୩ ଦୁର୍ଘଟଣା ଘଟି ସେଥିରେ ୪,୧୧୫ ଜଣଙ୍କ ଜୀବନ ଯାଇଛି। ତେବେ ଦୁର୍ଘଟଣା ହାର କମାଇବା ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଜଣାଇଛନ୍ତି।

ବିଧାୟକ ମୌଷଧୀ ବାଗଙ୍କ ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି, ଗତ ଦୁଇ ବର୍ଷରେ ବେପରୱା ଭାବେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଥିବା ୯,୦୧୦ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ୨୦୧୮ରେ ୫,୧୨୧ ଜଣଙ୍କର ଓ ୨୦୧୯ ଅକ୍ଟୋବର ମାସ ଶେଷ ସୁଦ୍ଧା ୩,୮୮୯ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରାଯାଇଛି।

ନୂଆ ମୋଟର ଯାନ ଆଇନ ଅନୁସାରେ ୧୫ ବର୍ଷରୁ ଅଧିକ ସମୟ ଗଡ଼ିଥିବା ଗାଡ଼ିକୁ ନିଷେଧ କରାଯାଇଛି । ତାହା ସତ୍ତ୍ବେ ରାଜ୍ୟରେ ଏପରି ଗାଡ଼ି ଗଡ଼ୁଛି। ବିଜେପି ବିଧାୟକ ଦଳ ମୁଖ୍ୟ ସଚେତନ ମୋହନ ମାଝୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଣାଇଛନ୍ତି, ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟର ମୋଟର ଗାଡ଼ି ସଂଖ୍ୟା ହେଉଛି ୨୨ ଲକ୍ଷ ୯ ହଜାର ୫ ଶହ ୭୩ । ସେଥିମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡି ଚଳାଚଳ କରୁଛି।

ସମ୍ବନ୍ଧିତ ଖବର