ରାଜ୍ୟରେ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା : ୧୧ ବର୍ଷରେ ୧ଲକ୍ଷ ୮ ହଜାର ଦୁର୍ଘଟଣା, ମଲେଣି ୪୫ ହଜାର

ଭୁବନେଶ୍ବର : ରାଜ୍ୟରେ ଥମୁନି ସଡ଼କ ଦୁର୍ଘଟଣା। କମିବା ପରିବର୍ତ୍ତେ ବଢ଼ୁଛି। ୨୦୦୮ରୁ ୨୦୧୮ ଭିତରେ ରାଜ୍ୟରେ୧ ଲକ୍ଷ ୭ ହଜାର ୬୯୧ଟି ସଡ଼କ ଦୁର୍ଘଟଣା ଘଟି ମୋଟ ୪୪ ହଜାର ୮୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବିଧାନସଭାରେ ଏକ ଅଣତାରକା ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ।

ଟ୍ରାଫିକ ନିୟମ ନମାନି ବେପରୁଆ ଗାଡ଼ି ଚାଳନା ଓ ମଦ ପିଇ ଡ୍ରାଇଭିଂ କରିବା ଯୋଗୁଁ ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବା ସାମନାକୁ ଆସିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ରାଜ ରାସ୍ତା ପାର୍ଶ୍ବରେ ଥିବା କେତେକ ମଦ ଦୋକାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି ତ ଆଉ କେତେକ ଦୋକାନକୁ ଦୁରକୁ ସ୍ଥାନାନ୍ତର କରାଯାଇଛି। ମଦ ପିଇ ଗାଡ଼ି ଚଳାଇଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ନିଶାସକ୍ତ ଥିବା ଗାଡ଼ି ଚାଳକଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଇନ ରହିଛି। ଖାଲି ସେତିକି ନୁହେଁ, ଇ-ଚାଲାଣଠୁ ଆରମ୍ଭ କରି ମଦ୍ୟପ ଡ୍ରାଇଭରଙ୍କୁ ଧରିବା ପାଇଁ ବ୍ରିଦ୍ ଆନାଲାଇଜର, ସ୍ପିଡ୍ ଡିଟେକସନ୍ ରାଡାର ଓ ୩୭ଟି ଇଣ୍ଟରସେପ୍ଟର ରାଜପଥ ମାନଙ୍କରେ ମୁତୟନ ହୋଇଥିବା ମନ୍ତ୍ରୀ କହିଛନ୍ତି । ତଥାପି ଦୁର୍ଘଟଣା ହାର କମାଇବାରେ ସଫଳ ହେଉନହାନ୍ତି ସରକାର।

ବିଧାନସଭାରେ ପରିବହନ ମନ୍ତ୍ରୀ ରଖିଥିବା ଉତ୍ତର ସ୍ପଷ୍ଟ କରୁଛି,ଗତ ୧୧ ବର୍ଷରେ ଲଗାତାର ଭାବେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ୨୦୦୮ରେ ୮ହଜାର ୧୮୪ଟି ଦୁର୍ଘଟଣା ଘଟି ୩ ହଜାର ୭୯ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୦୯ରେ ୮,୮୯୨ ଦୁର୍ଘଟଣାରେ ୩,୫୨୭ ଜଣ, ୨୦୧୦ରେ ୯,୪୧୩ ଦୁର୍ଘଟଣା ଘଟି ୩,୮୩୭ ଜଣଙ୍କର ପ୍ରାଣହାନୀ ଘଟିଥିଲା। ସେହିପରି ୨୦୧୧ରେ ୯,୩୯୮ଟି ଦୁର୍ଘଟଣାରେ ୩,୮୦୨ ଜଣ, ୨୦୧୨ରେ ୯,୨୮୫ଟି ଦୁର୍ଘଟଣା ଘଟି ୩,୭୦୧ ଜଣ, ୨୦୧୩ରେ ୯,୬୮୦ ଦୁର୍ଘଟଣା ଘଟି ୪,୦୬୨ ଜଣ, ୨୦୧୪ରେ ୯,୬୪୮ ଦୁର୍ଘଟଣାରେ ୩,୯୩୧ ଜଣ, ୨୦୧୫ରେ ୧୦,୫୪୨ ଦୁର୍ଘଟଣାରେ ୪,୩୦୩ ଜଣ, ୨୦୧୬ରେ ୧୦,୫୩୨ଟି ଦୁର୍ଘଟଣାରେ ୪,୪୬୩ ଜଣ, ୨୦୧୭ରେ ୧୦,୮୫୫ଟି ଦୁର୍ଘଟଣାରେ ୪,୭୯୦ ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ ୨୦୧୮ରେ ୧୧ ହଜାର ୨୬୨ଟି ଦୁର୍ଘଟଣା ଘଟି ୫ ହଜାର ୩୧୫ ଜଣ ଲୋକଙ୍କର ଜୀବନ ହାନି ଘଟିଛି। ମନ୍ତ୍ରୀ ଦେଇଥିବା ପରିସଂଖ୍ୟାନ ସ୍ପଷ୍ଟ କରୁଛି ରାଜ୍ୟରେ ନିରାପଦ ସଡ଼କ ଯାତାୟତ ବ୍ୟବସ୍ଥା ସ୍ଥିତି କେତେ ଉଦବେଗଜନକ।

୨୦୧୫ରୁ ପ୍ରତିବର୍ଷ ୪% ହାରରେ ସଡ଼କ ଦୁର୍ଘଟଣା କମାଇ ୨୦୨୦ ସୁଦ୍ଧା ୨୦% ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଅଥଚ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ପାଇ ଗତବର୍ଷ ୮.୩୭% ପହଞ୍ଚିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସଡ଼କ ସୁରକ୍ଷା ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ। ଶଙ୍ଖଧ୍ବନୀ ରାସ୍ତା ସୁରକ୍ଷା ସମିତିର ସମ୍ପାଦକ ପ୍ରକାଶ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ପ୍ରତିବର୍ଷ ରାଜ୍ୟ ସ୍ତରରେ ସଡ଼କ ସୁରକ୍ଷା ପରିଷଦ ଓ ଜିଲ୍ଲା ସ୍ତରରେ ଜିଲ୍ଲା ସଡ଼କ ସୁରକ୍ଷା ସମନ୍ବୟ ସଭା କରି ଦାୟିତ୍ବ ସାରି ଦେଉଛନ୍ତି । ପୁଲିସ, ପ୍ରଶାସନ, ପରିବହନ ବିଭାଗ ଅଧିକାରୀଙ୍କ ସମନ୍ବୟ ଅଭାବରୁ ଦୁର୍ଘଟଣା ହାର କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ୁଛି। ସଡ଼କ ସୁରକ୍ଷା ଓ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ କରିବାକୁ ବହୁ ଦିନରୁ ଦାବି ହୋଇଆସୁଥିଲେ ବି ସରକାର କିଛି ବି ପଦକ୍ଷେପ ନେଉନାହାନ୍ତି। ଆସନ୍ତା ୧୧ ତାରିଖରେ ସଡ଼କ ସୁରକ୍ଷା ସପ୍ତାହ ଉଦଯାପନୀ ଦିବସ ପାଳନ ହେବ । ସୁରକ୍ଷା ସପ୍ତାହ କରି ସରକାର କେବଳ ଔପଚାରିକତା ପାଳନ କରୁଥିବା ସୁରକ୍ଷା ସମିତି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର