ଖଣି ଅଞ୍ଚଳରେ ରାସ୍ତା ଜାମ୍‌, ସ୍ଥିତି ଅଣାୟତ୍ତ

କାଳିଆପାଣି: ଖଣିଅଞ୍ଚଳ ଟମକା-ମଙ୍ଗଳପୁର ମୁଖ୍ୟ ସଡ଼କର କାଳିଆପାଣି ଥାନା ଛକରୁ ଟାଟାଷ୍ଟିଲ ମାଇନିଂ ଲୋଡ଼ିଂ ଏଣ୍ଟ୍ରି ଗେଟ୍‌ ପର୍ଯ୍ୟନ୍ତ ଅଧ କିଲୋମିଟର ରାସ୍ତାରେ ଦୈନିକ ସାଢ଼େ ୧୧ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ରାସ୍ତାଜାମ୍‌ ରହୁଛି। ଫାଷ୍ଟ୍‌ କମ୍‌, ଫାଷ୍ଟ୍‌ ଲୋଡ୍‌ ଆଶାରେ ଧାଡ଼ିରେ ରହିବା ପାଇଁ ପଛକୁ ପଛ ଥିବା ଟ୍ରକ୍‌ ଆଗକୁ ବଢ଼ୁଥିବା ଦେଖାଯାଉଛି। ଏକାଧିକ ଗଳାବାଟରେ ନିର୍ଦ୍ଦିଷ୍ଟ କିଛି ଟ୍ରକ୍‌ ଧାଡ଼ି ଭାଙ୍ଗି ଧସେଇ ପଶୁଥିବାରୁ ଟ୍ରାଫିକ୍‌ ଜାମ୍‌ ଅଣାୟତ୍ତ ହେଉଛି। ଏକ ଲେନ୍ ବିଶିଷ୍ଟ ଏହି ସଡ଼କକୁ ତିନିଧାଡ଼ି ଧରି କେବଳ ଟ୍ରକ୍‌ ମାଡ଼ି ବସୁଥିବାରୁ ସାଇକଲ୍ ଗଳିବାକୁ ବାଟ ରହୁନି।

ମଝିରେ ଥିବା ବାଲେଶ୍ବର ଆଲଏଜ୍ କ୍ରୋମାଇଟ୍‌ ଖଣି, ଜିନ୍ଦଲ କ୍ରୋମାଇଟ୍‌ ଖଣି, ଓଡ଼ିଶା ଖଣି ନିଗମ ଅତିଥିଶାଳା ଓ ଟାଉନସିପ୍‌ କଲୋନିର ଶହଶହ କର୍ମଚାରୀ, ଅଧିକାରୀ ଓ ସାଧାରଣ ଲୋକ ନାହିଁନଥିବା ହଇରାଣ ହେଉଛନ୍ତି। ସ୍କୁଲ, ଅଫିସ୍, ବ୍ୟ‌ାଙ୍କ, ଡାକଘର, ଡାକ୍ତରଖାନା ଓ ବଜାର ଯାଇ ଘର ଫେରିବା ବାଟରେ ଲୋକେ ରାସ୍ତାରେ ଫସି ରହୁଛନ୍ତି ବୋଲି କାଳିଆପାଣି ଗାଁର ବରିଷ୍ଠ ଶ୍ରମିକନେତା ଭରତ ଚନ୍ଦ୍ର ମହାନ୍ତ ଅଭିଯୋଗ କରନ୍ତି। ପ୍ରଚଣ୍ଡ ରୌଦ୍ରତାପରେ ଆଜି ତାଙ୍କୁ ଏହି ସଡ଼କରେ ଘଣ୍ଟାଏ ଧରି ଅଯଥା ହଟହଟା ହେବାକୁ ପଡ଼ିଲା ବୋଲି କହିଥିଲେ।

ଡ୍ରାଇଭର, ସୁରକ୍ଷାକର୍ମୀ ଓ ପୁଲିସ ମଧ୍ୟରେ ସଲାସୁତରାରେ ନିର୍ଦ୍ଦିଷ୍ଟ କିଛି ଟ୍ରକ୍‌ ରାସ୍ତାକଡ଼ ବେଆଇନ ପାର୍କିଂରୁ ସଡ଼କକୁ ଉଠିବା ସହ ଧାଡ଼ିଭାଙ୍ଗି ଆଗକୁ ବଢ଼ୁଥିବାରୁ ଏହି ସମସ୍ୟା ହେଉଛି। ଥାନାରୁ ମାତ୍ର ୨ଶହ ମିଟର ଦୂରରେ ଏଭଳି ସ୍ଥିତି ନେଇ ପ୍ରଶ୍ନ ଉଠିଛି। ଅନେକ ଗାଡ଼ି ପଛରେ ଆସି ଆଗୁଆ ଲୋଡ୍‌ ପାଉଥିବା ବେଳେ ଶୃଙ୍ଖଳାରେ ଥିବା ଗାଡ଼ି କ୍ଷତିଗ୍ରସ୍ତ ହେଉଥିବାରୁ କ୍ଷୋଭ ପ୍ରକାଶ ପାଇଛି। ନିୟମ ଭଙ୍ଗକାରୀ ଟ୍ରକ୍‌ ବିରୋଧରେ ପୁଲିସ ପକ୍ଷରୁ କଳା ତାଲିକାଭୁକ୍ତ କିମ୍ବା ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦୃଷ୍ଟାନ୍ତ ରହିଥିଲେ ମଧ୍ୟ ଏ କ୍ଷେତ୍ରରେ ପୁଲିସର ନିରବତା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସଂପର୍କରେ କାଳିଆପାଣି ଥାନାର ଏଏସ୍‌ଆଇ ତ୍ରିଲୋଚନ ସାହୁଙ୍କୁ ପଚାରିବାରେ ଅସାଧୁ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର