ବିଂଝାରପୁର ଆର୍‌ଡି ଉପଖଣ୍ଡରେ କୋଟି କୋଟି ଟଙ୍କା କେଳେଙ୍କାରୀ : ସଚିବଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

ଯାଜପୁର/ଦଶରଥପୁର : ଯାଜପୁର ଗ୍ରାମ୍ୟ ଉନ୍ନୟନ(ଆରଡି) ଡିଭିଜନ୍ ଅଧୀନ ବିଂଝାରପୁର ସବ୍‌ଡିଭିଜନର ଦଶରଥପୁର ଓ ବିଂଝାରପୁର ଅଞ୍ଚଳରେ ନିମ୍ନମାନର ରାସ୍ତା କାମ କରି କୋଟିକୋଟି ଟଙ୍କା ହଡ଼ପ ହୋଇଛି। ଏ ସମ୍ପର୍କରେ ତଥ୍ୟଭିତ୍ତକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ବରେ ଥିବା ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପରେ ଆଜି ଅଧୀକ୍ଷଣ ଯନ୍ତ୍ରୀ ପିକେ ସେନାପତି ତଦନ୍ତ କରିଛନ୍ତି। ଅଭିଯୋଗ ହୋଇଥିବା ରାସ୍ତାଗୁଡ଼ିକରୁ ନମୁନା ସଂଗ୍ରହ କରିବା ସହିତ ନିମ୍ନମାନର କାମ ପାଇଁ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ତାଗିଦ କରିଛନ୍ତି। ଅଧୀକ୍ଷଣ ଯନ୍ତ୍ରୀଙ୍କର ତଦନ୍ତ ପରେ ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାର ଛାନିଆ ହୋଇପଡ଼ିଛନ୍ତି।

ବିଂଝାରପୁର ଆର୍‌ଡି ସବଡିଭିଜନ୍ ଅଧୀନ ଥାଲକୁଡି ପଞ୍ଚାୟତ କସବା ଆର ଆଣ୍ଡ ବି ରାସ୍ତା ଠାରୁ କରାଣ୍ଡିପୁର ଆର ଏଣ୍ଡ ବି ରାସ୍ତା ପର୍ଯ୍ୟନ୍ତ କାମ ୨୦୧୫ ଠାରୁ ଆରମ୍ଭ ହୋଇଥିବା ବେଳେ ଏଯାଏଁ ଶେଷ ହୋଇନାହିଁ। ନିର୍ମାଣରେ ବ୍ୟାପକ ଅନିୟମିତତା କରାଯାଇଥିବାରୁ ନିର୍ମାଣ ଶେଷ ପୂର୍ବରୁ ବିଭିନ୍ନ ସ୍ଥାନରେ ରାସ୍ତା ଫାଟିବା ସହିତ ପିଚୁ ଉଠିଗଲାଣି।

ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସଚିବ ଶ୍ରୀ ଜେନାଙ୍କ ନିର୍ଦେଶରେ ଆଜି ତଦନ୍ତ କରାଯାଇଛି । ଆଜି ଅଧୀକ୍ଷଣ ଯନ୍ତ୍ରୀ ପିକେ ସେନାପତି, ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ଓ ସହକାରୀ ଯନ୍ତ୍ରୀ ଜ୍ୟୋତିପ୍ରକାଶ ସାମଲ ପ୍ରମୁଖ ତଦନ୍ତ କରିଥିଲେ। ଢଳାଇକୁ ମେସିନ ସାହାଯ୍ୟରେ କଟାଯାଇ ରାସ୍ତାର ମାନ, ଢଳାଇର ଉଚ୍ଚତା ମପା ଯାଇଥିଲା। ସେହିପରି ନିର୍ମାଣ ହୋଇଥିବା ପିଚୁ କେତେ ପରିମାଣରେ ଦିଆଯାଇଛି, ବଜୁରି ଓ ପିଚୁର ପରିମାଣ, ଉଚ୍ଚତା, ଚଉଡ଼ା ଆଦି ମପା ଯାଇଥିଲା। ତଦନ୍ତ ସମୟରେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସେନାପତି ବିଭାଗୀୟ ଏସଡିଓ ଶ୍ରୀ ସାମଲ, କନିଷ୍ଠ ଯନ୍ତ୍ରୀ ସାରଦା ପ୍ରସନ୍ନ ରାୟ ଏବଂ ଠିକାଦାରଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର