ପୁଲିସ୍‌ ପଞ୍ଝାରେ ଡକାୟତି ଗ୍ୟାଙ୍ଗ, ୨୮ ଡକାୟତ ଗିରଫ

ସମ୍ବଲପୁର/ଯୁଯୁମୁରା: ପାନୀୟ ଜଳ ଯୋଗାଣ ପାଇଁ ଆସୁଥିବା ପାଇପ୍‌ ଚୋରି କରୁଥିବା ଏକ ଡକାୟତ ଗ୍ୟାଙ୍ଗ୍‌ ରାଜ୍ୟ ବାହାରେ ବିକ୍ରି କରିଦେଉଥିଲେ। ଗ୍ୟାଙ୍ଗର କିଛି ଦୁର୍ବୃତ୍ତ ପ୍ରଥମେ ରେକି କରି ଯାଉଥିଲେ। ପରେ ୧୫ରୁ ୨୦ ଜଣିଆ ଡକାୟତି ଦଳ ପାଇପ୍‌ ଥିବା ସ୍ଥାନକୁ ଟ୍ରକ ଧରି ଆସୁଥିଲେ ଏବଂ ଲୋଡ୍‌ କରି ଫେରାର୍‌ ହୋଇଯାଉଥିଲେ। ସାରା ରାଜ୍ୟରେ ଏହି ଗ୍ୟାଙ୍ଗ୍‌ ସକ୍ରିୟ ଥିବା ବେଳେ ସମ୍ବଲପୁର ପୁଲିସକୁ ବଡ଼ ଧରଣରୁ ସଫଳତା ମିଳିଛି। ଏହି ଗ୍ୟାଙ୍ଗର ୨୮ ଜଣଙ୍କୁ ସମ୍ବଲପୁର ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଯୁଯୁମୁରା ପୁଲିସ ମିଶି ଗିରଫ କରିଛନ୍ତି।

ସୂଚନାନୁସାରେ, କେଇସି ନାମକ ଠିକା ସଂସ୍ଥା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଯୋଗାଣର ଠିକା ନେଇଥିବା ବେଳେ କାମ କରୁଅଛି। ଉକ୍ତ ସଂସ୍ଥାର ଷ୍ଟକ୍‌ ୟାର୍ଡ ଯୁଯୁମୁରା ଥାନା ଆମଲିପାଣି ଗାଁ ନିକଟରେ ଅଛି। ଗତ ଜୁଲାଇ ୧୫ ତାରିଖ ବିଳମ୍ବିତ ରାତିରେ ଏକ ଡକାୟତି ଗ୍ୟାଙ୍ଗର ୨୫ରୁ ୩୦ ଡକାୟତ ୨ଟି ଟ୍ରକ୍‌ ଓ ଗୋଟିଏ ବଲେରୋରେ ଆସିଲେ। ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ଷ୍ଟକୟାର୍ଡରେ ପଶିବା ସହ ସୁରକ୍ଷାକର୍ମୀଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ବାନ୍ଧି ଷ୍ଟୋର୍‌ ରୁମ୍‌ରେ ବନ୍ଦ କରିଦେଲେ। ତାପରେ ୧୦୦ ଏମ୍‌ଏମ୍‌(ବ୍ୟାସ)ର ୫୫୦ ଖଣ୍ଡ ଡିଆଇ ପାଇପ୍‌ ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ପାଇପ୍‌ଗୁଡ଼ିକର ଲମ୍ବ ୫.୫ ମିଟର ହୋଇଥିବା ବେଳେ ଲୁଟ୍‌ ହୋଇଥିବା ପାଇପ୍‌ର ମୂଲ୍ୟ ୩୬ ଲକ୍ଷ ଟଙ୍କା ଥିଲା। ଏ ନେଇ ସଂସ୍ଥା ପକ୍ଷରୁ ଯୁଯୁମୁରା ଥାନାରେ ଗତ ୧୬ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କଟକ ବାଙ୍କି ଥାନା ତୁଳସୀପୁରର ରାଜୁ ନାଏକ(୨୪), ବିଜୁ ନାଏକ(୨୦), ବଣ୍ଟି ନାଏକ(୨୦), ରାଜେଶ ନାୟକ(୧୯), ରଂଜିତ ଭୋଇ(୨୦), ହରି ଦେହୁରୀ(୨୨), ସଂଗ୍ରାମ ବାରିକ(୧୮), ରମେଶ ପରିଡ଼ା(୩୫), ବାସୁଦେବ ନାଏକ(୨୨), ହେମନ୍ତ ପୃଷ୍ଟି(୨୪), ବିଶ୍ବଭୂଷଣ ମହାପାତ୍ର(୨୨), ବିକାଶ କୁମାର ନାଏକ (୨୩), ରାକେଶ ମହାପାତ୍ର(୨୧), ଧର୍ମାନନ୍ଦ ସାହୁ(୨୦), କିଶୋର ପୃଷ୍ଟି(୩୨), ଧୀରେନ୍ଦ୍ର ନାଏକ(୨୦), ବିଜୟ ବାରିକ(୨୪), ରୁଚିକା ଭୋଇ(୪୦), ଅମୂଲ୍ୟ ନାଏକ(୨୦), ଯାଜପୁରର ବିଘ୍ନେଶ୍ବର ଦାଶ(୨୦), ପୂର୍ଣ୍ଣଚନ୍ଦ୍ର ବେହେରା(୩୫), ସୁରଜ ସିଂହ(୩୬), ସଂଜୟ ଯାଦବ(୨୮), ଅନିରୁଦ୍ଧ ଯାଦବ (୩୩), ଦିଲୀପ ପୱନ (୩୪) ଓ ରାମଶଙ୍କର ମୌର୍ଯ୍ୟ(୫୨)। ପାଇପ୍‌ କିଣିଥିବା ୨ ଅଭିଯୁକ୍ତ ହେଲେ ମୟଙ୍କ ମିତ୍ତଲ(୩୬) ଓ ମହିପ ମିତ୍ତଲ(୪୦)। ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ପାଖରୁ ୩ଟି ଟ୍ରକ, ଗୋଟିଏ ପିକ୍‌ଅପ୍‌, ଗୋଟିଏ ଦେଶୀ ପିସ୍ତଲ, ୧୦ ଖଣ୍ଡ ପାଇପ୍, ନଗଦ ୪୦ ହଜାର ଟଙ୍କା ଓ ୫ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତ ରାଜୁ ନାଁରେ ଖୋର୍ଦ୍ଧା ବେଗୁନିଆ ଥାନା କୁସ୍ତଲା ଗାଁରୁ ୩୨ ଖଣ୍ଡ ୨୫୦ ଏମ୍‌ଏମ୍‌ର ଡିଆଇ ପାଇପ୍‌ ଏବଂ ଭଦ୍ରକ ଜିଲ୍ଲା ବଂଶଦା ଥାନା ବିରିଡିଆ ଗାଁରୁ ୩୦ ଖଣ୍ଡ ୨୫୦ ଏମ୍‌ଏମ୍‌ ଡିଆଇ ପାଇପ୍‌ ଚୋରି କରିଥିବା ନେଇ ୨ଟି ମାମଲା ମଧ୍ୟ ରହିଛି। ଅଭିଯୁକ୍ତଙ୍କୁ ଧରିବାରେ ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେର, ଯୁଯୁମୁରା ଥାନାଧିକାରୀ ରାଜକୁମାର ବିଶ୍ବାଳ, ଆଇଆଇସି ଧବଳେଶ୍ବର ସାହୁ, ଏସ୍‌ଆଇ ସଞ୍ଜୟ ରାଉତରାୟ, ଏଏସ୍‌ଆଇ ମହମ୍ମଦ ଜାହାଙ୍ଗୀର ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କ ଧରିବା ପାଇଁ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କହାଯାଇଛି।

୩ ଦିନ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ରେକି  କରିଥିଲେ

ଡକାୟତି କରିବାର ୩ ଦିନ ପୂର୍ବରୁ ଗ୍ୟାଙ୍ଗର ମୁଖ୍ୟ କଟକ ବାଙ୍କିର ରାଜୁ ନାଏକ ଓରଫ ରାଜକିଶୋର ତାର ୩ ସହଯୋଗୀଙ୍କୁ ଧରି ରେକି କରିବା ପାଇଁ ସମ୍ବଲପୁର ପାର୍ଶ୍ବକୁ ଆସିଥିଲେ। ଆମଲିପାଣିର ଷ୍ଟକ ୟାର୍ଡ ଦେଖିବା ପରେ ରାଜୁ ପଶ୍ଚିମବଙ୍ଗର ଏକ ପାର୍ଟି ସହ ପାଇପ୍‌ ବିକ୍ରି ପାଇଁ କଥା ହେବାପରେ ସେ ଟ୍ରକ୍‌ ପଠାଇଥିଲା। ଯୋଜନା ମୁତାବକ ପାଇପ୍‌ ଲୁଟ୍‌ ହେବାପରେ ପଶ୍ଚିମବଙ୍ଗ ଚାଲିଗଲା। ପୁଲିସ ଟିମ୍‌ ତାର ଟେର୍‌ ବି ପାଇପାରି ନଥିଲା। ତେବେ କିଛି ଦିନ ପରେ ରାଜୁର ଡକାୟତି ଗ୍ୟାଙ୍ଗ୍‌ ସମ୍ବଲପୁର ଅଞ୍ଚଳରେ ସମାନ ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପୁଲିସକୁ ଖବର ମିଳିଲା। ସୂଚନା ପାଇବା ପରେ ସ୍ବତନ୍ତ୍ର ଭାବେ ୫ଟି ପୁଲିସ ଟିମ୍‌ ତିଆରି ହୋଇଥିଲା।

ରାଜୁ ଯେତେବେଳେ ୩ଟି ଟ୍ରକ୍‌ ଓ ଏକ ପିକ୍‌ଅପ୍‌ରେ ଡକାୟ ଗ୍ୟାଙ୍ଗକୁ ଧରି ସମ୍ବଲପୁର ଆଡ଼କୁ ଆସିଥିଲା ସୋମବାର ହାତୀବାରି ନିକଟରେ ପୁଲିସ ଟିମ୍‌ ସେମାନଙ୍କୁ ଘେରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏକ ପୁଲିସ ଟିମ୍‌ ହାଵଡ଼ା ଯାଇ ପାଇପ୍‌ କିଣିଥିବା ୨ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଥିଲା। ସେମାନେ ପାଇପ୍‌ ବିକ୍ରି କରିସାରିଥିବା ବେଳେ ସେମାନଙ୍କ ଆକାଉଣ୍ଟକୁ ପୁଲିସ ଫ୍ରିଜ୍‌ କରିଛି ଯେଉଁଥିରେ ୫୬ ଲକ୍ଷ ୫୯ ହଜାର ଟଙ୍କା ଥିଲା।

 

ସମ୍ବନ୍ଧିତ ଖବର