ମୟୂରଭଞ୍ଜରେ ଡକାୟତି: ଭୁବନେଶ୍ବର ଅଞ୍ଚଳର ୬ କୁଖ୍ୟାତ ଲୁଟେରା ଗିରଫ

୩ ପିସ୍ତଲ, ଛୁରି ଓ ଲକ୍ଷେ ଟଙ୍କା ଜବତ

ରାସଗୋବିନ୍ଦପୁର/ମାଣିଦା/ବସ୍ତା-୨,୩୧/୮(ଇମିସ): ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ଧରାପଡ଼ିଛନ୍ତି ୬ଜଣ କୁଖ୍ୟାତ ଲୁଟେରା। ସେମାନଙ୍କ ନିକଟରୁ ନଗଦ ଲକ୍ଷେ ଟଙ୍କା, ୩ଟି ପିସ୍ତଲ, ଛୁରୀ, ମୋବାଇଲ, କଇଁଚି, ଲୁହା କଟର, ହାତୁଡ଼ି ଆଦି ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତ ଭୁବନେଶ୍ବର ଅଞ୍ଚଳର ବୋଲି କହିଛି ପୁଲିସ। ସେମାନଙ୍କ ମଧ୍ୟରୁ ତୁଷାର ଦାସ(୨୮), ସାଗର କୁମାର ଭୋଇ (୨୮), ଲିଙ୍ଗରାଜ ମହାନ୍ତି (୨୭), ମୁକ୍ତାର ବେଗ (୨୮) ଓ ସନ୍ତୋଷ ସେଠୀ (୨୯)ଙ୍କ ପରିଚୟ ମିଳିଛି। ଆସନ୍ତାକାଲି ଭୁବନେଶ୍ବର କମିସନରେଟ୍‌ ପୁଲିସର ଏକ ଟିମ୍‌ ଆସି ଅଭିଯୁକ୍ତଙ୍କୁ ଜେରା କରିବା ପରେ ଏକ ପ୍ରେସ୍‌ମିଟ୍‌ ଜରିଆରେ ଲୁଟେରାଙ୍କ ବାବଦ ସମସ୍ତ ସୂଚନା ଦିଆଯିବ ବୋଲି ସ୍ଥାନୀୟ ପୁଲିସ କହିଛି।

ଖବରରୁ ପ୍ରକାଶ; ପଶ୍ଚିମବଙ୍ଗର କିଛି ବ୍ୟବସାୟୀ ୪ଟି ପିକ୍‌ଅପ୍‌ରେ ବରଗଡ଼ ଜିଲ୍ଲାରେ ଛେଳି ବିକ୍ରି କରି ଗତକାଲି ରାତିରେ ଫେରିବା ବେଳେ ଭୁବନେଶ୍ବର ନିକଟରୁ ଓଡି-୦୨-ବିଏଚ-୨୬୭୯ ନମ୍ବର ବିଶିଷ୍ଟ ଏକ ହ୍ୟୁଣ୍ଡାଇ କାର୍‌ ସେମାନଙ୍କ ପିଛା କରିଥିଲା। ପ୍ରାୟ ୨ଶହ କିମି ଯାଏ ଉକ୍ତ କାର୍‌ର ଗତିବିଧି ଉପରେ ସନ୍ଦେହ କରିନଥିଲେ ଆଗରେ ପିକ୍‌ଅପ୍‌ରେ ଯାଉଥିବା ବ୍ୟବସାୟୀ। ରାସଗୋବିନ୍ଦପୁର ଥାନାରୁ ୪ କିମି ଦୂର ଅମର୍ଦା ଏୟାରଷ୍ଟ୍ରିପ୍‌ ନିକଟରେ କାର୍‌ର ସ୍ପିଡ୍‌ ବଢ଼ିବା ସହିତ କିଛି ଦୁର୍ବୃତ୍ତ ବନ୍ଧୁକ କାଢ଼ିବାରୁ ୩ଟି ପିକ୍‌ଅପ୍‌ ଦ୍ରୁତଗତିରେ ପଶ୍ଚିମବଙ୍ଗ ସୀମାକୁ ଚାଲି ଯାଇଥିଲେ। ହେଲେ, ଗୋଟିଏ ପିକ୍‌ଅପ୍‌କୁ ଓଭରଟେକ୍‌ କରି ଅଟକାଇ ଦେଇଥିଲେ ଦୁର୍ବୃତ୍ତ। ଗାଡ଼ି ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାଡ଼ ମାରିବା ସହ ତାଙ୍କ ପାଖରୁ ଛେଳି ବିକ୍ରି ଟଙ୍କା ଲୁଟି ନେଇଥିଲେ।

ସେମାନେ ଅମର୍ଦା ରୋଡ୍‌ ଦେଇ ୬୦ ନଂ ଜାତୀୟ ରାଜପଥକୁ ଯାଉଥିବା ବେଳେ ଲୁଟ୍‌ର ଶିକାର ଡ୍ରାଇଭରଙ୍କଠାରୁ ଖବର ପାଇ ରାସଗୋବିନ୍ଦପୁର ପୁଲିସ ଓ ଅମର୍ଦା ଫାଣ୍ଡି ପୁଲିସର ଦୁଇଟି ଟିମ୍‌ ସେମାନଙ୍କ ପିଛା କରିଥିଲା। ଲୁଟେରାମାନେ ରାଜପଥ ଦେଇ ଖସିଯିବା ଆଗରୁ ସମସ୍ତଙ୍କୁ ମାଡ଼ି ବସିଥିଲା ପୁଲିସ। ଅଭିଯୁକ୍ତଙ୍କୁ ରାସଗୋବିନ୍ଦପୁର ଥାନାରେ ଅଟକ ରଖି ଜେରା କରାଯାଉଛି।

ସମ୍ବନ୍ଧିତ ଖବର