ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ବୀରମିତ୍ରପୁର ଚେକ୍ ଗେଟ୍ ନିକଟରେ ଅଟକିଛନ୍ତି ୩୫୦ରୁ ଅଧିକ ଶ୍ରମିକ ପରିବାର

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ବୀରମିତ୍ରପୁର ଚେକ୍ ଗେଟ୍ ନିକଟରେ ଅଟକିଛନ୍ତି ୩୫୦ରୁ ଅଧିକ ଶ୍ରମିକ ଓ ତାଙ୍କ ପରିବାର l ଏମାନଙ୍କ ମଧ୍ୟରେ ଶହେରୁ ଅଧିକ ଟ୍ରକ୍ ଡ୍ରାଇଭର୍ ଓ ହେଲପର୍ ଅଛନ୍ତି l ସମସ୍ତ ଶ୍ରମିକ ଝାରସୁଗୁଡ଼ା ବେଦାନ୍ତ,ଭୂଷଣ ଓ ରାଜଗାଙ୍ଗପୁର ଓସିଏଲ ସିମେଣ୍ଟ କାରଖାନାରେ କାମ କରୁଥିଲେ ବୋଲି ଜଣାଯାଇଛିl

ଏଣେ ଝାରସୁଗୁଡ଼ାରୁ ପଡ଼ୋଶୀ ଝାଡ଼ଖଣ୍ଡର ଚାଇଁବସାକୁ ଚାଲି ଚାଲି ଯାଉଥିବା ୩୦ରୁ ଅଧିକ ଶ୍ରମିକ ୪ ଦିନ ପରେ ଆଜି ଟେନସା ପହଞ୍ଚିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଇଛି l ଜିଲ୍ଲା ପ୍ରଶାସନ ସେଠାରେ ପହଞ୍ଚି ସେମାନଙ୍କୁ ରହିବାକୁ ବ୍ୟବସ୍ଥା କରୁଛି l

ସେହିପରି ଝାରସୁଗୁଡ଼ାରୁ ଝାଡ଼ଖଣ୍ଡ ଯାଉଥିବା  ୩୧ଜଣଙ୍କ ସହିତ ଗାଡି ଚାଳକଙ୍କୁ ଅଟକ ରଖାଯାଇଛି। ସେମାନେ ଝାରସୁଗୁଡାର ଏକ କମ୍ପାନୀରେ କାମ କରୁଥିଲେ। ୨ଟି ଟାଟା ଏସି ଗାଡ଼ିରେ ସେମାନେ ଲୁଚିକି ଯାଉଥିଲେ। ରାଉରକେଲା ପ୍ରଶାସନ ସମସ୍ତଙ୍କୁ ଉଦ୍ଧାର କରିଛି। ଏମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖିବାକୁ ଯୋଜନା କରାଯାଉଛି।

ସୂଚନାଯୋଗ୍ୟ, ବୃନ୍ଦାବନରୁ ଫେରୁଥିବା ୫୬ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ରାଉରକେଲାର ଛେଣ୍ଡ ବାଜବୁଡି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି l ଏଥିସହ ବସ ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି l ଏହି ସମସ୍ତ ତୀର୍ଥଯାତ୍ରୀ ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାଯାଇଛି l ତୀର୍ଥଯାତ୍ରୀମାନେ ଉତ୍ତର ପ୍ରଦେଶରୁ ଏକ ବସ ଯୋଗେ ଝାରଖଣ୍ଡ ସୀମା ପାର୍ ହୋଇ ରାଉରକେଲା ସହର ଦେଇ ଯାଉଥିଲେ l ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଉରକେଲା ସହରର ଛେଣ୍ଡ ବାଜବୁଡି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସେଠାରେ ଖାଇବାପିଇବାର ସୁବନ୍ଦୋବସ୍ତ କରାଯାଇଛି।

ସମସ୍ତେ ଲକଡାଉନ ଘୋଷଣା ହେବା ପୂର୍ବରୁ ତୀର୍ଥଯାତ୍ରାରେ ବାହାରିଥିଲେ। ହେଲେ, ଲକଡାଉନ ଘୋଷଣା ହେବା ପରେ ସେମାନେ ସେଠାରେ ଫସି ରହିଥିଲେ। ସେଠାକାର ପ୍ରଶାସନ ଏମାନଙ୍କୁ ଏକ ବସ ଯୋଗେ ଓଡ଼ିଶା ପଠାଇବା ବ୍ୟବସ୍ଥା କରିଥିଲା। ଏହି କ୍ରମରେ ସେମାନେ ଆଜି ସକାଳେ ଆସି ରାଉରକେଲାରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡ଼ିଥିଲା ଏବଂ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇନଥିଲା। ପରେ ସେମାନଙ୍କୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଛେଣ୍ଡ ଠାରେ ପ୍ରସ୍ତୁତ କରାଯାଇଥିବା ଆଇସୋଲେସନ କେନ୍ଦ୍ରରେ ରଖାଯାଇଛି। ଆଇସୋଲେସନ କେନ୍ଦ୍ରରେ ସେମାନଙ୍କ ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଖାଦ୍ୟପେୟ ସମେତ ଅନ୍ୟ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର