ବିବାଦ ପଛେ ପଛେ

ଭୁବନେଶ୍ୱର : ଗତ କିଛି ମାସ ଧରି ନିଜ ମନ୍ତବ୍ୟ ଓ କାର୍ଯ୍ୟକୁ ନେଇ ବିବାଦରେ ଫସିଥିଲେ ଦାମ ବାବୁ। ପ୍ରଥମେ ଯେଉଁଥିପାଇଁ ସେ ଉତ୍ତରଦାୟୀ ସେଠାରେ ଅର୍ଥାତ୍‌ ବିଧାନସଭା ପ୍ରକୋଷ୍ଠରେ ନିଜ ଅସହାୟତା ପ୍ରକଟ କରି ସରକାରକୁ କାଠଗଡ଼ାକୁ ଟାଣିଆଣିଥିଲେ। ବର୍ତମାନର ବିଜେଡି ନେତ୍ରୀ ସୁଲୋଚନା ଦାସ କଂଗ୍ରେସ ପ୍ରବକ୍ତା ଥିବାବେଳେ ତାଙ୍କ ସଂପର୍କରେ ଦାମ ଦେଇଥିବା ମନ୍ତବ୍ୟ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାପରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ‘ଶ୍ରୀଖଣ୍ଡୀ’ ମନ୍ତବ୍ୟର ଜବାବ ଦେବାକୁ ଯାଇ ଦାମ ଯାହା କହିଥିଲେ, ତାହା ବିଜେଡିର ମହିଳା ଭୋଟ ବ୍ୟାଙ୍କକୁ ଘାଣ୍ଟି ଦେଇଥିଲା। ଘଇତାଛାଡି ଅଙ୍ଗନବାଡି…. ମନ୍ତବ୍ୟକୁ ନେଇ ରାଜ୍ୟସାରା ମହିଳା ତାତି ଯାଇଥିଲେ। ସମାନ୍ତରାଳ ଭାବେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଦାମଙ୍କ ମନ୍ତବ୍ୟ ମଧ୍ୟ କୃଷକମହଲକୁ ଅସନ୍ତୁଷ୍ଟ କରିଥିଲା।

ଚାଷୀ ଆତ୍ମହତ୍ୟା ଦାମ ସ୍ୱୀକାର ତ କରିନଥିଲେ, ବରଂ କଟାକ୍ଷ କରିଥିଲେ। ସରକାର ବିରୋଧରେ ଚାଷୀ ମାତୁଥିବାବେଳେ ଦାମଙ୍କ ଏଭଳି ମନ୍ତବ୍ୟ ସ୍ଥିତିକୁ ଆହୁରି ସଙ୍ଗିନ୍‌ ସ୍ଥିତିକୁ ଟାଣି ନେଇଥିଲା। ଦାମ କହିଥିଲେ, ମୁଁ ଗୋଟେ ଚାଷୀର ଔରସରୁ ଚାଷୁଣୀର ଗର୍ଭରୁ ଜାତ ହୋଇଛି। ଆଉ ଯେଉଁମାନେ ବେପାରୀଙ୍କ ଔରସରୁ ବେପାରୀଙ୍କ ଗର୍ଭରୁ ଜାତ ହୋଇଛନ୍ତି, ସେମାନେ ଚାଷୀଙ୍କ ମର୍ମ ବେଦନା ବୁଝିବେ କେଉଁଠୁ?

କଂଗ୍ରେସ ସହ ବିଜେଡିର ମେଣ୍ଟକୁ ନେଇ ମଧ୍ୟ ଦାମ ଗୁଗ୍‌ଲି ଛାଡିଥିଲେ। କହିଥିଲେ, ୨୦୦୯ ଠାରୁ ବିଜୁ ଜନତା ଦଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖିଆସୁଛି। ତଥାପି କଂଗ୍ରେସ ଜାତୀୟ ଦଳ। ସେହି ଜାତୀୟ ଦଳ ଯଦି ଭାରତୀୟ ଜନତା ପାର୍ଟିର ସାମ୍ପ୍ରଦାୟିକ ପ୍ରସାରକୁ ରୋକ ଲଗାଇବାକୁ ଆମ ସହ ସାମିଲ ହୁଅନ୍ତି, ତେବେ ଆମେ ସ୍ୱାଗତ କରିବୁ। ଖାଲି ଏତିକି ନୁହେଁ ଦାମ ବାବୁ ଆହୁରି ମଧ୍ୟ କହିଥିଲେ, କଂଗ୍ରେସ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେଉଁ ଆସନରେ ଜିତିବେ ତାର ଏକ ତାଲିକା ଦିଅନ୍ତୁ। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା।

କେବଳ ସେତିକି ନୁହେଁ, ଜୟୀ ରାଜଗୁରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ବୋଲି କହି ସରକାରଙ୍କୁ କାଠଗଡ଼ାକୁ ଟାଣିଆଣିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ବି ତୁନି ପଡ଼ିନଥିଲେ ଦାମ। ସିଧା ସିଧା ଚ୍ୟାଲେଞ୍ଜ କରିଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିନଥିଲା, ମାଲ୍ୟବନ୍ତ ଉତ୍ସବରେ ସେ ବ୍ରାହ୍ମଣଙ୍କୁ କଟାକ୍ଷ କରିଥିବା ଅଭିଯୋଗ ଉଠିଥିଲା। ଦାମ ବାବୁ କହିଥିଲେ, ଝରଣା ପାଣି ପିଇ ବଞ୍ଚିଯିବେ ସିନା ଆଦିବାସୀ ଭିକ ମାଗିବେ ନାହିଁ। ହେଲେ ବ୍ରାହ୍ମଣ ହାତ ପତେଇ ସମସ୍ତଙ୍କୁ ଭିକ ମାଗନ୍ତି। ବସ ଷ୍ଟାଣ୍ଡରେ ବ୍ରାହ୍ମଣମାନେ ଏପରି ହାତ ପକେଇ ଭିକ ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳେ। ଦାମଙ୍କ ଏହି ମନ୍ତବ୍ୟ ଏବେ ସମଗ୍ର ରାଜ୍ୟରେ ନିଆଁ ଲଗାଇ ଦେଇଥିଲା। ବ୍ରାହ୍ମଣ ସମାଜକୁ ଏହା କ୍ଷୁବ୍ଧ କରିଥିଲା। ଆସନ୍ତା ୨୬ ତାରିଖ ଦିନ ପୁରୀରେ ବିଜେଡି ପ୍ରତିଷ୍ଠା ଦିବସ ଥିବାବେଳେ ପୁରୀରେ ତାଙ୍କ ଫଟୋରେ ପ୍ରତିବାଦକାରୀମାନେ ନିଆଁ ଲଗାଇ ଦେଇଥିଲେ ଓ ତାଙ୍କୁ ପୂରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମନଇଚ୍ଛା ଗର୍ଜନ ତର୍ଜନ କରି ଦାମ ବାବୁ ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ଏଇ କିଛି ଦିନ ମଧ୍ୟରେ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଇ ସରକାରକୁ ବିବାଦ ଫସାଇ ଦେଇଥିବା ନେଇ ବିଜେଡି ନେତାମାନେ ଅଭିଯୋଗ କରିଆସୁଥିଲେ। ସବୁଠାରୁ ବଡ଼ କଥା ହେଲା, ସାମ୍ବାଦିକମାନଙ୍କୁ ଖୋଲାଖୋଲି ସମାଲୋଚନା କରିବା ଲାଗି ମଧ୍ୟ ପଛାଉନଥିଲେ ଦାମ ବାବୁ। ସେମାନେ କିିଛି ଜାଣନ୍ତି ନାହିଁ, ବୁନିଆଦି ନାହିଁ ବୋଲି ଖୋଲା ଖୋଲି ମନ୍ତବ୍ୟ ଦେଉଥିଲେ ଓ କଥା କଥାକେ ଖିଙ୍କାରି ଗୋଡାଉଥିଲେ।

ତିନି ଥର ବିଦା କଲେଣି ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୧୭ ବର୍ଷ ଶାସନରେ ଦାମୋଦର ରାଉତ ଲଗାତର ଭାବେ ଜିତି ଆସୁଛନ୍ତି। କିନ୍ତୁ ମନ୍ତ୍ରୀ ଭାବେ ସେ ବେଶ୍‌ ଉତ୍‌ଥାନ ପତନର ସାମ୍ନା କରିଛନ୍ତି। ଏହି ସମୟ ମଧ୍ୟରେ ଥରେ ନୁହେଁ ତିନି ଥର ନବୀନ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେଇଛନ୍ତି। ଅବଶ୍ୟ କିଛି ଦିନ ବ୍ୟବଧାନରେ ତାଙ୍କୁ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ୍‌ କରିଥିବାର ବି ନଜିର ରହିଛି।

ନବୀନଙ୍କ ଶାସନର ପ୍ରଥମ ପାଳିରେ ୨୦୦୨ ମସିହାରେ ମନ୍ତ୍ରୀ ପଦ ପାଇଥିଲେ ଦାମ। ପଞ୍ଚାୟତିରାଜ, ସଂସ୍କୃତି ଏବଂ ସୂଚନା ଓ ଲୋକସମ୍ପର୍କ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ହାତରେ ରହିଥିଲା। ପ୍ରଥମ ପାଳିର ଶେଷ ପର୍ଯ୍ୟନ୍ତ ୨୦୦୪ ଯାଏଁ ଦାମ ମନ୍ତ୍ରୀ ଭାବେ କାର୍ଯ୍ୟ କଲେ। ୨୦୦୪ରେ ନବୀନଙ୍କ ଦ୍ୱିତୀୟ ପାଳିରେ ଦାମ ପୁଣି ମନ୍ତ୍ରୀ ହେଲେ।

ପୂର୍ବ ପରି ପଞ୍ଚାୟତିରାଜ ଓ ସଂସ୍କୃତି ବିଭାଗ ପାଇଲେ। କିନ୍ତୁ ୨୦୦୬ ମେ’ରେ ମନ୍ତ୍ରିମଣ୍ଡଳର ପୁନର୍ଗଠନ ବେଳେ ଦାମଙ୍କୁ ବିଦା କଲେ ନବୀନ।

୨୦୦୯ରେ ନବୀନଙ୍କ ତୃତୀୟ ପାଳିରେ ପୁଣି ଦାମ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହେଲେ। ପାଇଲେ କୃଷି, ସମବାୟ ଓ ମତ୍ସ୍ୟ ଓ ପଶୁପାଳନ ବିଭାଗ। ଦୁଇ ବର୍ଷ ପରେ ଅର୍ଥାତ ୨୦୧୧ ମେ’ରେ ଦାମଙ୍କୁ ଆଉ ଥରେ ବିଦା ହେବାକୁ ପଡ଼ିଲା। ସେତେବେଳେ କୁହାଗଲା ଯେ ବିଜେଡିର ତତ୍‌କାଳୀନ କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥିବାରୁ ସେ ବିଦା ହେଲେ। ତେବେ ପ୍ୟାରୀ ରାଜ୍‌ ଶେଷ ହେଲା ପରେ ୨୦୧୨ ଅଗଷ୍ଟରେ ଦାମ ପୁଣି ମନ୍ତ୍ରିମଣ୍ଡଳକୁ ଫେରିଲେ। ପାଇଲେ ସ୍ୱାସ୍ଥ୍ୟ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ।

୨୦୧୪ରେ ନବୀନଙ୍କ ଚତୁର୍ଥ ପାଳିରେ ମନ୍ତ୍ରିମଣ୍ଡଳରେ ଦାମ ତାଙ୍କ ପଦ ବଜାୟ ରଖିଲେ। ପାଇଲେ ସମବାୟ ଓ ଅବକାରୀ ବିଭାଗ। ଚଳିତ ବର୍ଷ ହୋଇଥିବା ମନ୍ତ୍ରିମଣ୍ଡଳର ପୁନର୍ଗଠନ ସମୟରେ ଦାମଙ୍କ ବିଭାଗ ବଦଳିଥିଲା। ସେ ପାଇଥିଲେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ଏବଂ ସାଧାରଣ ଉଦ୍ୟୋଗ ବିଭାଗ। ମାତ୍ର ସାତ ମାସ ଏହି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ସେ ସୁଯୋଗ ପାଇଲେ।

ସୂଚନାଯୋଗ୍ୟ ଯେ ଶ୍ରୀ ରାଉତ ସାତ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଛନ୍ତି। ପ୍ରଥମ ପାଞ୍ଚ ଥର ଏରସମା ନିର୍ବାଚନମଣ୍ଡଳୀରୁ ଓ ପରବର୍ତ୍ତୀ ଦୁଇ ଥର ପାରାଦୀପରୁ ଜିତିଛନ୍ତି।

୧୭ ବର୍ଷରେ ୪୪ ମୁଣ୍ଡ

ଭୁବନେଶ୍ୱର : ୨୦୦୦ରୁ ୨୦୧୭। ଚାରି ଥରରେ ୧୭ ବର୍ଷ ଧରି ରାଜ୍ୟକୁ ଶାସନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜକୁ ସ୍ୱଚ୍ଛ ଓ ନିରଙ୍କୁଶ ଦେଖାଇବା ପାଇଁ ବାରମ୍ବାର ନିଜ ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି ନବୀନ। ଏହି ୧୭ ବର୍ଷ ଭିତରେ ବିଭିନ୍ନ କାରଣରୁ ୪୪ ଜଣଙ୍କୁ ବିଦା ହୋଇଛନ୍ତି ତାଙ୍କ ମନ୍ତ୍ରିମଣ୍ଡଳରୁ।

ପ୍ରଥମ ପାଳି ଅର୍ଥାତ ୨୦୦୦ରୁ ୨୦୦୪ ମଧ୍ୟରେ ଛଅ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ ନବୀନ। ସେମାନେ ହେଲେ କମଳା ଦାସ, ପ୍ରଶାନ୍ତ ନନ୍ଦ, ନଳିନୀକାନ୍ତ ମହାନ୍ତି, ଅମର ଶତପଥୀ, ଦେବୀ ପ୍ରସାଦ ମିଶ୍ର ଓ ଏ ପି ସିଂହ। ତାହା ବାଦ୍‌ ତତ୍‌କାଳୀନ ଅର୍ଥ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଅର୍ଥ ବିଭାଗ ଚାଲିଗଲା ପରେ ସେ ବି ଇସ୍ତଫା ଦେଇଥିଲେ। କେବଳ ଦୁର୍ନୀତିର ଅଭିଯୋଗରେ ଅଧିକାଂଶ ମନ୍ତ୍ରୀଙ୍କୁ ବଳି ପକାଯାଇଥିଲା। ଚତୁରତାର ସହ ସହଯୋଗୀମାନଙ୍କୁ ବିଦା କରି ନବୀନ ନିଜ ଭାବମୂର୍ତ୍ତିକୁ ବେଶ୍‌ ଉଜ୍ଜ୍ୱଳ କରିବାରେ ସଫଳ ହୋଇଥିଲେ।

୨୦୦୪ରୁ ୨୦୦୯ ମଧ୍ୟରେ ନବୀନ ଗଡ଼ାଇଥିଲେ ୧୪ ମୁଣ୍ଡ। ସେହିପରି ତୃତୀୟ ପାଳିରେ ପୁଣି ବିଭିନ୍ନ କାରଣରୁ ବଳି ପକାଇଥିଲେ ଆଉ ୧୪ ମନ୍ତ୍ରୀଙ୍କୁ। ଏହି ପାଳିରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଥିଲା ୨୦୧୨ ମସିହା ଅଗଷ୍ଟ ମାସରେ। ପ୍ୟାରୀ ମହାପାତ୍ରଙ୍କ ଯୁଗ ଶେଷ ହେଲା ପରେ ତାଙ୍କ ସହ ସମ୍ପର୍କ ଅଭିଯୋଗରେ ବଳି ପଡ଼ିଥିଲେ ପ୍ରଫୁଲ୍ଲ ଘଡ଼ାଇ, ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ ଓ ଅତନୁ ସବ୍ୟସାଚ୍ଚୀ ନାୟକ। ତେବେ ୨୦୧୪ ନିର୍ବାଚନ ପରେ ପୁଷ୍ପେନ୍ଦ୍ର ଓ ଅତନୁ ନବୀନ ମନ୍ତ୍ରିମଣ୍ଡଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଫୁଲ୍ଲ ସାମଲ ଓ ପ୍ରତାପ ଜେନା ବି ମନ୍ତ୍ରିମଣ୍ଡଳକୁ ଫେରିଥିଲେ।

ଚତୁର୍ଥ ପାଳିରେ ପ୍ରଥମ ମୁଣ୍ଡ ଗଡ଼ିଥିଲା ୨୦୧୬ ଅକ୍ଟୋବରରେ ତତ୍‌କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କର। ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାରେ ତାଙ୍କ ଠାରୁ ଇସ୍ତଫା ମଗାଇଥିଲେ ନବୀନ। ତାହା ପରେ ଚଳିତ ବର୍ଷ ମନ୍ତ୍ରିମଣ୍ଡଳ ପୁନର୍ଗଠନ ପ୍ରକ୍ରିୟାରେ ବାଦ୍‌ ପଡ଼ିଲେ ଆଉ ୮ ଜଣ। ତେବେ ସାଂଗଠନିକ କାର୍ଯ୍ୟରେ ଅଧିକ ସମୟ ଦେବା ପାଇଁ ସେମାନେ ଇସ୍ତଫା ଦେଇଛନ୍ତି ବୋଲି କୁହାଗଲା। ୮ ଜଣଙ୍କ ମଧ୍ୟରୁ କେବଳ ପ୍ରଦୀପ ଅମାତଙ୍କୁ ବାଚସ୍ପତି କରାଗଲା। ଚତୁର୍ଥ ପାଳିରେ ଆଜି ମୁଣ୍ଡ ଗଡ଼ିଛି ମନ୍ତ୍ରୀ ଦାମୋଦର ରାଉତଙ୍କର।

ଦାମ ଦଳରେ ରହି ବିରୋଧୀଙ୍କୁ ଖୋରାକ ଯୋଗାଉଥିଲେ: ଦେବାଶିଷ

କଟକ : ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ତଥା ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ବିଜେଡିକୁ ଦୁର୍ବଳ କରିବାକୁ ଯିଏ ଉଦ୍ୟମ କରିବ, ତାହା ବିରୋଧରେ ଏଭଳି ଦୃଢ ପଦକ୍ଷେପ ନିଆଯିବ। ଅତୀତରେ ବି ସେ ଏଭଳି ଦୃଢ ପଦକ୍ଷେପ ନେଇଛନ୍ତି, ଏବେ ନେଲେ ଏବଂ ଭବିଷ୍ୟତରେ ବି ନେବେ ବୋଲି ଏଥିରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ। ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ଦାମ ବାବୁ ଦଳରେ ଥାଇ ବି ବିରୋଧୀଙ୍କୁ ଖୋରାକ ଯୋଗାଇଲା ଭଳି କଥା ଓ କାମ କରି ଆସୁଥିଲେ। କୌଣସି ନିର୍ଦ୍ଦିଷ୍ଟ ଜାତିଆଣ ପ୍ରସଙ୍ଗ ଆଧାରରେ ଦାମ ବାବୁଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇ ନାହିଁ। ବରଂ ଚାଷୀକୂଳ, ଅଙ୍ଗନବାଡ଼ି ଭଳି ପ୍ରସଙ୍ଗରେ ତାଙ୍କର ବିବାଦୀୟ ମନ୍ତବ୍ୟ ବିରୋଧରେ ଏଭଳି ଦୃଢ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବଳ ଭାବି ଏଭଳି ମନଇଚ୍ଛା ବିବୃତି ରଖୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ସ୍ପଷ୍ଟ ବାର୍ତ୍ତା। ଏଥିରେ ଦଳର କୌଣସି କ୍ଷତି ହେବ ନାହିଁ। ପାରାଦୀପରେ ଏବେ ଅନେକ ବିଜେଡି ସମର୍ଥକ ଖୁସିରେ ବାଣ ଫୁଟାଉଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲା ବିଜେପି

ଭୁବନେଶ୍ୱର : କୃଷି ମନ୍ତ୍ରୀ ଦାମୋଦର ରାଉତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଡାହାଣୀ ହୋଇ ଲାଗି ଗୁଣିଆ ହୋଇ ଛଡ଼ାଉଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି, ବହିଷ୍କାର ପଛରେ ବିବାଦୀୟ ମନ୍ତବ୍ୟ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ନା ରାଜନୈତିକ ଲାଭ ପାଇଁ ପଇଁତରାବାଜି, ଏହା ସନ୍ଦେହ ସୃଷ୍ଟି କରୁଛି। ପୂର୍ବରୁ ଦାମ ବାବୁ ମହିଳାମାନଙ୍କ ଇଜ୍ଜତ ଓ ସମ୍ମାନ ନେଇ କୁତ୍ସିତ ମନ୍ତବ୍ୟ ଦେଇଥିଲେ। ଚାଷୀ ଆତ୍ମହତ୍ୟା କରୁଥିଲା ବେଳେ କଟା ଘା’ରେ ଚୂନ ମାରିଲା ବେଳେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିଲେ।

ଅପର ପକ୍ଷରେ ବିଜେଡିର ଅନେକ ବରିଷ୍ଠ ନେତା ଆଶୀଳନ ମନ୍ତବ୍ୟ ଦେବା କିଛି ନୂଆ କଥା ନୁହେଁ। ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଦେବାଶିଷ ସାମନ୍ତରାୟ ଏପରି ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ପ୍ରଶାନ୍ତ ନନ୍ଦଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରି ଆଜି ଦିନରେ ଟାଣୁଆ ମୁଖପାତ୍ର ବନାଇଛନ୍ତି। ତେଣୁ ନବୀନ ବାବୁ କୌଣସି ପ୍ରତିବଦ୍ଧତା ପାଇଁ ନୁହେଁ, ବରଂ ରାଜନୈତିକ ସଲାସୁତୁରାରେ ନିଜର ଭାବମୂର୍ତ୍ତି ରକ୍ଷା ପାଇଁ ବହିଷ୍କାର ନାଟକ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର