ବ୍ୟାଙ୍କ ମିତ୍ର ଯୋଜନା ନାଁରେ ୪୦ ଲକ୍ଷ ଚଳୁ : ୩ ବ୍ୟାଙ୍କ ମିତ୍ର ଗିରଫ, ୨.୮୦ ଲକ୍ଷ, ଲାପ୍‌ଟପ୍‌, ମୋବାଇଲ ଜବତ

ରାଉରକେଲା : ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା ନାଁରେ ୪୦ ଲକ୍ଷ ଟଙ୍କା ଚଳୁ ଘଟଣାରେ ରାଉରକେଲା ସାଇବର୍ ଥାନା ପୁଲିସ ଜଣେ ମହିଳାଙ୍କ ସମେତ ତିନି ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି। ସେମାନେ ହେଲେ ବନ୍ଧମୁଣ୍ଡା ବରଟୋଲିର ସନ୍ତୋଷ କୁମାର ପତି, କୁଆରମୁଣ୍ଡା ଡୁମଙ୍ଗଡିରିର ରାମ ଏକ୍କା ଓ ହରିପାଲିର ରୀତା କୁଜୁର (ଛନ୍ମନାମ)। ଏମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା, ତିନିଟି ଲାପ୍‌ଟପ୍‌, ୬ଟି ମୋବାଇଲ, ୩ରୁ ଅଧିକ ବ୍ୟାଙ୍କ ଡିଭାଇସ୍‌ ଜବତ ହୋଇଛି। ମାମଲା ରୁଜୁ ପରେ ଧରାପଡିବା ପରେ ଗିରଫ ତିନି ଅଭିଯୁକ୍ତ ପ୍ରାୟ ୧୮ ଲକ୍ଷ ଟଙ୍କା ବ୍ୟାଙ୍କକୁ ଫେରାଇ ଦେଇଥିବା ସାଇବର୍ ଥାନା ପକ୍ଷରୁ କୁହାଯାଇଛି। ଗତ ୨୦୧୮ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ମାତ୍ର ୧୫ ଦିନ ମଧ୍ୟରେ ସେମାନେ ୪୦ ଲକ୍ଷ ଟଙ୍କା ଚଳୁ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗ୍ରାମ ତରଙ୍ଗ ଫାଇନାନ୍‌ସିଆଲ୍‌ ଇନ୍‌ଫ୍ଲୁଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଜିଲ୍ଲା ମହାପ୍ରବନ୍ଧକ ପ୍ରମୋଦ କୁମାର ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ ଜିଲ୍ଲାରେ ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ‘ଗ୍ରାମ ତରଙ୍ଗ ଫାଇନାନ୍‌ସିଆଲ ଇନଫ୍ଲୁଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ୟୁବିଆଇ) ଅଧୀନରେ ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ମିନି ବ୍ୟାଙ୍କ ଖୋଲିଥିଲେ। ଏଥିପାଇଁ ସଂସ୍ଥା ୟୁବିଆଇ ସର୍ତ୍ତ ଅନୁଯାୟୀ ଅମାନତ ରାଶି ଜମା କରିଥିଲେ। ଗ୍ରାମ ତରଙ୍ଗ ଫାଇନାନ୍‌ସିଆଲ୍‌ ଅଧିନରେ କାମ କରୁଥିବା ବ୍ୟାଙ୍କ ମିତ୍ରମାନେ ପ୍ରତି ବ୍ଲକରେ ଗରିବ ଲୋକଙ୍କୁ ଋଣ ଦେଉଥିଲେ। ଏଥିପାଇଁ ବ୍ୟାଙ୍କ ମିତ୍ରମାନେ ଲୋକଙ୍କ ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ସଂଗ୍ରହ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଥିଲେ। ସେମାନଙ୍କ ଏଟିଏମ୍‌ କାର୍ଡ ଓ ବ୍ୟାଙ୍କ ପାସ୍‌ବୁକ୍‌ ବ୍ୟାଙ୍କ ମିତ୍ରମାନେ ନିଜ ପାଖରେ ରଖୁଥିଲେ। ତେବେ ଆକାଉଣ୍ଟକୁ ଟଙ୍କା ଆସିବା ପରେ ଚଞ୍ଚକତା କରି ଲୋକଙ୍କୁ ନ ଦେଇ ନିଜେ ଉଠାଇ ନେଉଥିଲେ। କିଛି ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ମଧ୍ୟ କରି ଦେଉଥିଲେ। ବନ୍ଧମୁଣ୍ଡାର ଜଣେ ବ୍ୟାଙ୍କ ମିତ୍ର ସନ୍ତୋଷ ପତି ଏହିପରି ଟଙ୍କା ଉଠାଇ ନେଇଥିଲେ। ନିଜେ ଠକେଇରେ ସଫଳ ହେବା ପରେ କୁଆରମୁଣ୍ଡା ବ୍ଲକର ବୀରମିତ୍ରପୁର ରାମ ଏକ୍କା ଓ ଅନ୍ୟ ଜଣେ ମହିଳା ବ୍ୟାଙ୍କ ମିତ୍ରଙ୍କୁ ମଧ୍ୟ ଏହି ଠକେଇ କାମର ବାଟ ଦେଖାଇଥିଲେ। ସେମାନେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ସେପଟେ ଉକ୍ତ ଋଣର କିସ୍ତି ଟଙ୍କା ଜମା ନ ହେବାରୁ ୟୁବିଆଇ ଗ୍ରାମ ତରଙ୍ଗ ଫାଇନାନ୍‌ସିଆଲ୍‌ର ଅଗ୍ରୀମ ଜମା ରାଶିରୁ ୪୦ ଲକ୍ଷ ଟଙ୍କା କାଟି ନେଇଥିଲେ। ଗ୍ରାମ ତରଙ୍ଗ ଫାଇନାଲ୍‌ସିଆଲର ଜିଲ୍ଲା ମହାପ୍ରବନ୍ଧକ ଶ୍ରୀ ବେହେରା ଅମାନତ ଜମା ଟଙ୍କା କାଟି ଦିଆଯାଇଥିବା ଜାଣିବା ପରେ ବ୍ୟାଙ୍କ ଅଧିକାରୀଙ୍କ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ଅଧିକାରୀ ସମସ୍ତ କଥା କହିବା ପରେ ଶ୍ରୀ ବେହେରା ସାଇବର୍‌ ଥାନାରେ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର