ରାଜ୍ୟର ୩ ଷ୍ଟେସନ ପାଇଁ ୭୭୩ କୋଟି

ଭୁବନେଶ୍ବର : ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁରୀ, କଟକ ଓ ଭୁବନେଶ୍ବର ରେଳ ଷ୍ଟେସନର ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀ ପାଇଁ ୨୦୨୨ ଜୁଲାଇ ୨୨ରେ ଟେଣ୍ଡର ହୋଇଥିଲା। ଇତିମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଛି। ଷ୍ଟେସନ କାର୍ଯ୍ୟ ଲାଗି ସାଇଟ ଅଫିସ ଓ ଲେବର କ୍ୟାମ୍ପ ସ୍ଥାପନ ହୋଇଛି। ସାଇଟ ସର୍ଭେ ଓ ଜିଓଟେକ୍ନିକାଲ ପରୀକ୍ଷଣ ସରିଛି। ପ୍ରକଳ୍ପ ଆରମ୍ଭ ଲାଗି ଜାଗା ଚିହ୍ନଟ ହେବା ସହ ଏବେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଟିକେଟ କାଉଣ୍ଟର ପାଇଁ ଅସ୍ଥାୟୀ ଗୃହ ନିର୍ମାଣ ହୋଇଛି। ଏହି ପ୍ରକଳ୍ପ ଲାଗି ୧୬୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା କେନ୍ଦ୍ର ‌ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

ସେହିପରି ଭୁବନେଶ୍ବର ଷ୍ଟେସନର ନବକଳେବର କରିବାକୁ ଗତବର୍ଷ ଅଗଷ୍ଟ ୨୪ରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଇତି ମଧ୍ୟରେ କାର୍ଯ୍ୟ ବେଶ ଅଗ୍ରସର ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଗତ ମାସରେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଛି। ଏଥିସହ କାର୍ଯ୍ୟ ମଧ୍ୟ ଆଗେଇଛି। ସାଇଟ ଅଫିସ ସ୍ଥାପନ ହେବା ସହ ସର୍ଭେ ଓ ଜିଓଟେକ୍ନିକାଲ ପରୀକ୍ଷଣ ଚାଲୁରହିଛି। ପ୍ରକଳ୍ପ ଆରମ୍ଭ ପାଇଁ ଅସ୍ଥାୟୀ ସ୍ଥାନାନ୍ତର ଚାଲିଛି। ପ୍ରବେଶ ପଥ ପରିବର୍ତ୍ତନ ସହ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଥିବା ରେଳ ମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପ ଲାଗି ୩୦୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

କଟକ ରେଳ ଷ୍ଟେସନର ଆଧୁନିକୀକରଣ ଲାଗି ନକ୍ସା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏବେ ତାହାର ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଥିବା ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଐତିହ୍ୟ ସହର କଟକ ରେଳ ଷ୍ଟେସନକୁ ନୂଆ ରୂପ ଦେବା ଲାଗି ନକ୍ସା ପ୍ରସ୍ତୁତ ହୋଇଥିଲା। ଏଥିରେ ବାରବାଟୀ ଦୂର୍ଗ ସମେତ ଅନ୍ୟାନ୍ୟ ପୁରାତନ ଢାଞ୍ଚାକୁ ସ୍ଥାନିତ କରାଯାଇଥିଲା। ମାତ୍ର ଉକ୍ତ ଡିଜାଇନ୍‌କୁ ଲୋକେ ପସନ୍ଦ କଲେ ନାହିଁ। ପୁରାତନ ଢାଞ୍ଚା ନ ରଖି ଆଧୁନିକ ତଥା ନୂତନ ଢ଼ାଞ୍ଚାରେ ନିର୍ମାଣ ଲାଗି ଦାବି କରିବା ପରେ ଏବେ ନକ୍ସା ବଦଳାଇବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପ ଲାଗି ୩୦୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି।

ସମ୍ବନ୍ଧିତ ଖବର