୩୭୦ ଧାରା ଉଚ୍ଛେଦର ପ୍ରଭାବ : ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେଲା ଜମ୍ମୁ-କାଶ୍ମୀର

କାଶ୍ମୀରର କେତେକ ଅଞ୍ଚଳରେ ନିଷେଧାଦେଶ ଜାରି କରାଯାଇଛି
ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ସୂଚନା ଆବେଦନକୁ ହସ୍ତାନ୍ତର କଲେ

ବଲାଙ୍ଗୀର : ଭାରତୀୟ ସମ୍ବିଧାନର ୩୭୦ ଧାରା ବଳରେ ଜମ୍ମୁ- କାଶ୍ମୀର ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କରିଥିଲା। ଧାରା ୩୭୦ ଯୋଗୁଁ ଦେଶର ଅଧିକାଂଶ ସମ୍ବିଧାନ ସମ୍ମତ ଆଇନ ଜମ୍ମୁ-କାଶ୍ମୀରରେ ପ୍ରଚଳିତ ନଥିଲା। ଏପରିକି ଦେଶରେ ପ୍ରଚଳିତ ଅନ୍ୟତମ ପ୍ରଗତିଶୀଳ ଆଇନ ଭାବେ ଜଣାଶୁଣା ସୂଚନା ଅଧିକାର ଆଇନ ମଧ୍ୟ ଏହି ରାଜ୍ୟ ପାଇଁ ପ୍ରଯୁଜ୍ୟ ନଥିଲା। ସୂଚନା ଅଧିକାର ଆଇନ, ୨୦୦୫ର ପ୍ରଥମ ଅଧ୍ୟାୟରେ ହିଁ ଏହି ଆଇନ ଜମ୍ମୁ- କାଶ୍ମୀର ବ୍ୟତୀତ ସମଗ୍ର ଭାରତ ବର୍ଷରେ ଲାଗୁ ହେବ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କଲାପରେ ସୂଚନା ଅଧିକାର ଆଇନ ୨୦୦୫ ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହୋଇଥିବା ସୂଚନା ଅଧିକାର ଆଇନରୁ ଜଣାପଡ଼ିଛି।

ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଜମ୍ମୁ- କାଶ୍ମୀରର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ତଥ୍ୟ ମାଗିବା ସହ ସେଠାକାର ଶିକ୍ଷା ଭିତ୍ତିଭୂମି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଭିନ୍ନ ତଥ୍ୟ ମାଗିଥିଲେ। ଶ୍ରୀ ପଣ୍ଡାଙ୍କ ଆବେଦନକୁ ସୂଚନା ଅଧିକାର ଆଇନର ଧାରା ୬(୩) ଅନୁଯାୟୀ ଜମ୍ମୁ- କାଶ୍ମୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ବିଭାଗକୁ ହସ୍ତାନ୍ତର କରାଯିବା ସହିତ କେତେକ ତଥ୍ୟ ପ୍ରଦାନ କରାଯାଇଛି। କାଶ୍ମୀର ଜୋନାଲ ପୁଲିସ ମୁଖ୍ୟାଳୟ ଜନ ସୂଚନା ଅଧିକାରୀ ସୂଚନା ଅଧିକାର ଆଇନ ୨୦୦୫ ଜମ୍ମୁ- କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ବୋଲି ତଥ୍ୟ ପ୍ରଦାନ କରିବା ସଂଗେ ଆଇନ ଶୃଙ୍ଖଳା ପରିସ୍ଥିତି ଉକ୍ତ ଜୋନ୍‌ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଥିବା ତଥ୍ୟ ପ୍ରଦାନ କରିଛନ୍ତି। କିଛି ଅଞ୍ଚଳରେ କେତେକ ନିଷେଧାଦେଶ ଜାରି କରାଯାଇଥିବା ବେଳେ କୌଣସି ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇ ନଥିବା ତଥ୍ୟ ପ୍ରଦାନ କରିଛନ୍ତି। କେବଳ ପୁଞ୍ଚ ଜିଲ୍ଲାର ୧୫ ଜଣଙ୍କୁ ପିଏସ୍‌ଏସ ତଥା ଜନ ସୁରକ୍ଷା ଆଇନ ଯୋଗେ ଅଟକ ରଖାଯାଇଥିବା ବେଳେ ରାମବାନ ଜିଲ୍ଲାର ଜଣଙ୍କୁ ଏବଂ ସମୁଦାୟ ୧୬ ଜଣଙ୍କୁ ଅଟକ ରଖାଯାଇଥିବା କୁହାଯାଇଛି। ଏହି ଜୋନ୍‌ର ଅବଶିଷ୍ଟ ୮ଟି ଜିଲ୍ଲାରେ କାହାକୁ ମଧ୍ୟ ଅଟକ ରଖାଯାଇ ନଥିବା ତଥ୍ୟ ପ୍ରଦାନ କରାଯାଇଛି। ସମଗ୍ର ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ୧୪୨ଟି ଡିଗ୍ରି କଲେଜ ରହିଥିବା ଉଚ୍ଚ ଶିକ୍ଷା ବିଭାଗ ତଥ୍ୟ ପ୍ରଦାନ କରିବା ସହିତ ୧୩୦୬ ଜନସଂଖ୍ୟାରେ ଗୋଟିଏ କଲେଜ ରହିଥିବା ଜଣାଇଛନ୍ତି। ମହାବିଦ୍ୟାଳୟ ଏବଂ ଶିକ୍ଷକ ଆନୁପାତିକ ହାର ୧:୨୦ ବୋଲି ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି।

ଜମ୍ମୁ- କାଶ୍ମୀରର ସରକାରୀ ତଥ୍ୟ ଆନୁଷ୍ଠାନିକ ଭାବରେ ଦେଶର ଅନ୍ୟ ପ୍ରଦେଶର ନାଗରିକକଙ୍କୁ ପ୍ରଦାନ କରାଯିବା ଘଟଣାକୁ ସମଗ୍ର ଦେଶ ପାଇଁ ପ୍ରଥମ ଘଟଣା ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି। ଏହା ଦ୍ୱାରା ଜମ୍ମୁ- କାଶ୍ମୀରରେ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ରୂପାୟନ ସମ୍ପର୍କରେ ଦେଶବାସୀ ଅବଗତ ହେବା ସଂଗେ ସେଠାକାର ପ୍ରଶାସନ ଲୋକଙ୍କ ପାଖରେ ଆହୁରି ଉତ୍ତରଦାୟୀ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଜମ୍ମୁ- କାଶ୍ମୀରରେ ଜନ ଅଧିକାର ହନନ ସମ୍ପର୍କରେ ଦେଶବାସୀ ଅଧିକ ଜାଣି ପାରିବେ ବୋଲି ସେ କହିଛନ୍ତି। ତାଙ୍କୁ  ପ୍ରଦାନ କରାଯାଇଥିବା ତଥ୍ୟର ସତ୍ୟତାକୁ ନେଇ ଅପିଲ ଅଧିକାରୀଙ୍କଠାରେ ପୁଣି ଅପିଲ୍‌ କରିବେ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର