୨୬ରୁ ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଆସନ୍ତା ୨୬ ଓ ୨୭ ତାରିଖରେ ତିନିଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୨୬ ତାରିଖ ସକାଳ ୧୦ଟାରେ ସାହିତ୍ୟ ଅକାଦେମି ଏବଂ କିସ୍ ବିଶ୍ବବିଦ୍ୟାଳୟ, ଭୁବନେଶ୍ବରର ମିଳିତ ଆନୁକୂଲ୍ୟରେ ପଟିଆ ସ୍ଥିତ କିସ୍ ବିଶ୍ବବିଦ୍ୟାଳୟ (କ୍ୟାମ୍ପସ୍-୩)ର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହାର ବିଷୟବସ୍ତୁ ରହିଛି ‘ସାହିତ୍ୟରେ ପ୍ରତିଫଳିତ ଓଡ଼ିଶାର ଜନଜାତି ସମାଜ ଓ ସଂସ୍କୃତି’। ଏହାକୁ ଉଦ୍‌ଘାଟନ କରିବେ ଜ୍ଞାନପୀଠ ବିଜେତା ଔପନ୍ୟାସିକା ପ୍ରତିଭା ରାୟ। ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡକ୍ଟର ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ହେବାକୁଥିବା ଉଦ୍‌ଘାଟନୀ ଅଧିବେଶନରେ ସ୍ବାଗତ ଭାଷଣ ପ୍ରଦାନ କରିବେ ସାହିତ୍ୟ ଅକାଦେମିର ସଚିବ କେ. ଶ୍ରୀନିବାସରାଓ। କିସ୍ ବିଶ୍ବବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ ମୂଳ ଭ‌ାଷଣ ପ୍ରଦାନ କରିବେ। ଅନ୍ୟ ଅଧିବେଶନଗୁଡ଼ିକରେ ମହେନ୍ଦ୍ର କୁମାର ମିଶ୍ର, ଦେବାଶିଷ ପାତ୍ର, ପରମାନନ୍ଦ ପଟେଲ, ସବିତା ପ୍ରଧାନ, ବସନ୍ତ କୁମାର ପଣ୍ଡା, କ୍ଷୀରୋଦ ଚନ୍ଦ୍ର ବେହେରା, ଗଦାଧର ପରିଡ଼ା, ମଦନ ମୋହନ ସୋରେନ୍ ପ୍ରମୁଖ ଗବେଷକ ଆଲୋଚନା କରିବେ। ୨୭ ତାରିଖ ଅପରାହ୍‌ଣ ୩ଟାରେ ଉଦ୍‌ଯାପନୀ ଅଧିବେଶନରେ ଅଭିଭ‌ାଷଣ ପ୍ରଦାନ କରିବେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ୨୬ ତାରିଖ ସନ୍ଧ୍ୟା ୬ଟାରେ ଶ୍ରୀରାମଚନ୍ଦ୍ର ଭବନ, କଟକଠାରେ ଆ‌େୟାଜିତ ‘ମୋ ଦୃଷ୍ଟିରେ’ କାର୍ଯ୍ୟକ୍ରମରେ ଖ୍ୟାତନାମା ଭାଷାତତ୍ତ୍ବବିଦ୍ ଧନେଶ୍ବର ମହାପାତ୍ରଙ୍କ ଜୀବନ ଓ କୃତି ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିବେ ବିଶିଷ୍ଟ ସାହିତ୍ୟ ସମାଲୋଚକ ବିଜୟ କୁମାର ଶତପଥୀ। ସେହିପରି ୨୭ ତାରିଖ ସନ୍ଧ୍ୟା ୬ଟାରେ ରେଡ୍‌କ୍ରସ୍‌ ଭବନ ପ୍ରେକ୍ଷାଳୟ, ଭୁବନେଶ୍ବରଠାରେ ‘କବିସନ୍ଧି’ କାର୍ଯ୍ୟକ୍ରମରେ ଯୋଗ ଦେବେ ବିଶିଷ୍ଟ କବି ଆଶୁତୋଷ ପରିଡ଼ା। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଲେଖକ ଲେଖିକା, ବୁଦ୍ଧିଜୀବୀ, ଗବେଷକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀମାନେ ଯୋଗଦେବା ପାଇଁ ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟଗଣ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର