ବିକାଶ ଅପହଞ୍ଚ: ସହର ଭିତରେ ରହି ‌ଯମ ଯନ୍ତ୍ରଣା ଭୋଗୁଛନ୍ତି ସାଇପ୍ରିୟା ନଗରର ବାସିନ୍ଦା

ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍ ସୁବିଧା ନାହିଁ, ବଢ଼ୁଛି ଚୋରି

ରାୟଗଡ଼ା : ରାୟଗଡ଼ା ସହର ମଧ୍ୟ ଭାଗରେ ରହିଛି ସାଇପ୍ରିୟା ନଗର। ନୂତନ ଭାବେ ଜନବସତି ଗଢ଼ି ଉଠୁଥିବା ଏହି ଅଞ୍ଚଳରେ ବଢ଼ିବାରେ ଲାଗିଛି ଜନସଂଖ୍ୟା। ସାହି ବାସିନ୍ଦା ସମସ୍ତ ସୁବିଧା ସୁଯୋଗ ରାୟଗଡ଼ା ସହରରୁ ପାଉଥିବା ବେଳେ ଜନବସତି ଅଞ୍ଚଳ ପଞ୍ଚାୟତ ଅଧୀନରେ ଥିବାରୁ ବିକାଶ ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍ ସବୁ କ୍ଷେତ୍ରରେ ସମସ୍ୟା ଲାଗି ରହିଥିବା ବେଳେ ବହୁ ଦାବି ସତ୍ତ୍ବେ ବ୍ଲକ୍ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ରାୟଗଡ଼ା ପୁରୁଣା ଟାଉନରେ ଗୃହ ନିର୍ମାଣ ଲାଗି ଜାଗା ଅଭାବ ପରେ ଗତ ୧୫ବର୍ଷ ତଳେ ସାଇପ୍ରିୟା ନଗର ଅଞ୍ଚଳରେ ଗଢ଼ି ଉଠିଥିଲା ଜନବସତି। ପୁରୁଣା ପୁଲିସ୍ ରିଜର୍ଭ ବାଟାଲିୟନ୍, ଏଫ୍‌ସିଆଇ ଗୋଦାମ ସହ ଆଖପାଖ ଅଞ୍ଚଳରେ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ସମୟକ୍ରମେ ଜନସଂଖ୍ୟା ସହ ଜନବସତି ଗଢ଼ି ଉଠି ଏବେ ଜନସଂଖ୍ୟା ୧୦ ହଜାରରୁ ଊର୍ଦ୍ଧ୍ବରେ ପହଞ୍ଚିଲାଣି। ମୋଟ ୧୨ଟି ଲାଇନ୍ ଥିବା ସାଇପ୍ରିୟା ନଗରର ପ୍ରଥମରୁ ଚତୁର୍ଥ ଲାଇନ୍ ପୌରପାଳିକା ଅଧୀନରେ ଏବଂ ପଞ୍ଚମରୁ ଦ୍ବାଦଶ ଲାଇନ୍ ରାୟଗଡ଼ା ବ୍ଲକ୍‌ର କୋତପେଟା ଓ ହାଲୁଆ ପଞ୍ଚାୟତ ଅଧୀନରେ ରହିଛି। ଅଧା ଅଞ୍ଚଳ ପୌରପାଳିକା ଏବଂ ଅଧା ଅଞ୍ଚଳ ପଞ୍ଚାୟତ ଅଧୀନରେ ଥିବାରୁ ବସବାସ କରୁଥିବା ଲୋକ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି। ପୌରପାଳିକା ଅଧୀନରେ ଥିବା ଅଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ, ଷ୍ଟ୍ରିଟ୍ ଲାଇଟ୍, ପରିମଳ ବ୍ୟବସ୍ଥା ଉପଲବ୍ଧ ଅଛି। ଧୀରେ ଧୀରେ ସମସ୍ୟା ସୁଧୁରିବାରେ ଲାଗିଛି। କିନ୍ତୁ ପଞ୍ଚାୟତ ଅଧୀନରେ ଥିବା ଅଞ୍ଚଳର ଭାଗ୍ୟ ବଦଳି ପାରୁନି।

ସାଇପ୍ରିୟା ନଗରର ଅଧା ଅଞ୍ଚଳରେ ବିକାଶ ତ୍ବରାନିତ ହେବାରେ ଲାଗିଥିବା ବେଳେ ପ୍ରଶାସନର ସାବତ ପୁଅ ଭଳି ପଞ୍ଚାୟତରେ ଥିବା ଅଞ୍ଚଳରେ ବିକାଶର ରଥ ଗଡ଼ି ପାରୁନି। ପଞ୍ଚାୟତରେ ଥିବା ସମସ୍ତ ଲାଇନ୍ ଜାତୀୟ ରାଜପଥକୁ ସଂଯୋଗ ହୋଇଛି। ଜାତୀୟ ରାଜପଥରୁ ସଂ‌ଯୋଗ ହୋଇଥିବା ସମସ୍ତ ରାସ୍ତା ଆରମ୍ଭରୁ ହିଁ ମରାମତି ହୋଇନଥିବାରୁ ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଛି। ବର୍ଷା ଦିନରେ ରାସ୍ତାରେ ଆଣ୍ଠୁଏ ଲେଖାଁଏ ପାଣି ଜମୁଥିବା ବେଳେ ପାଣି ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ନାହିଁ। ଫଳରେ ବିପଦପୂର୍ଣ୍ଣ ଭାବେ ସାହି ବାସିନ୍ଦା ଯାତାୟାତ କରୁଛନ୍ତି। ସ୍କୁଲ୍, କଲେଜ ଯାଉଥିବା ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସପ୍ତାହକ ମଧ୍ୟରେ ଖାଲଖମା ରାସ୍ତାରେ ପଡି ବହୁ ଲୋକ ଆହତ ହେଲେଣି। ରାସ୍ତାଘାଟ, ଡ୍ରେନେଜ୍ ନିର୍ମାଣ ପାଇଁ ସାହି ବାସିନ୍ଦା ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି। ଅଥଚ କୌଣସି ସୁଫଳ ମିଳିପାରୁନି। ପଞ୍ଚାୟତ ଅଧୀନରେ ସାହି ରାସ୍ତାର ନିର୍ମାଣ ପାଇଁ ଅନୁଦାନ ନଥିବା କହି ବ୍ଲକ୍ କର୍ତ୍ତୃପକ୍ଷ ଦିନ ଗଡାଇ ଚାଲିଛନ୍ତି। ପଞ୍ଚାୟତ ଓ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବା ବେଳେ ରାୟଗଡ଼ା ସହର ମଧ୍ୟରେ ଥିବା ସାଇପ୍ରିୟା ନଗରର ବିକାଶ କାହିଁକି ହୋଇପାରିବ ନାହିଁ ବୋଲି ସାହି ବାସିନ୍ଦା ପ୍ରଶ୍ନ କରିଛନ୍ତି। ଖୁବ୍ ଶୀଘ୍ର ବ୍ଲକ୍ କର୍ତ୍ତୃପକ୍ଷ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସାହି ବାସିନ୍ଦା ଚେତାବନୀ ଦେଇଛନ୍ତି।

ଏ ସଂପର୍କରେ ରାୟଗଡ଼ା ବିଡିଓ ଲକ୍ଷ୍ମୀନାରାୟଣ ସାବତଙ୍କୁ ପଚାରିବାରୁ ପଞ୍ଚାୟତ ସମିତି ବୈଠକରେ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରାଯାଇ ଧୀରେ ଧୀରେ ବିକାଶ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଷ୍ଟ୍ରିଟ୍ ଲାଇଟ୍ ସୁବିଧା ନଥିବାରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତ ଘରେ ପଶି ଚୋରି କରୁଛନ୍ତି। ନିକଟରେ ଏକ ପରିବାର ସଦସ୍ୟଙ୍କ ହାତ ଗୋଡ ବାନ୍ଧି ଦୁର୍ବୃତ୍ତ ଘରୁ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରି ନେଇଥିଲେ। ସେହିପରି ତାଲା ବନ୍ଦ ଥିବା ଘର ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତି ପାରୁନି। ପ୍ରତି ମାସରେ ୭ରୁ ୮ଟି ଚୋରି ଏହି ଅଞ୍ଚଳରେ ହେଉଥିବାରୁ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର