ଶାଳଦେଈ ହତ୍ୟାକାଣ୍ଡ, ଏସପିଙ୍କୁ ଫେରାଦ ହେଲା ବିଜେପି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶାଳଦେଈ ବାଲିଘାଟ ବିବାଦକୁ କେନ୍ଦ୍ରକରି ଘଟିଥିବା ହତ୍ୟା‌ ଘଟଣାକୁ ଇତିମଧ୍ୟରେ ତିନିଦିନ ପୂରିଛି। ହେଲେ ଏଯାଏ ପୁଲିସ ଏହି ମାମଲାରେ କାହାରିକୁ ଗିରଫ କରିପାରିନି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଖୋଦ୍‌ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକମାନେ ସମ୍ପୃକ୍ତ ଥିବା ବିଜେପି ଅଭିଯୋଗ କରିଛି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଜେପିର ଏକ ପ୍ରତିନିଧି ଦଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ଦାବି ଜଣାଇଛନ୍ତି।

ବିଜେପି ଅଭିଯୋଗ କରିଛି ଯେ, ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଈ ଗ୍ରାମରେ ଥିବା ବାଲିଘାଟକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରୁଥିଲେ। ରାଜସ୍ୱ ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ବାଲିଘାଟକୁ ବିରୋଧ କରୁଥିବା ଲୋକଙ୍କୁ ଦମନ କରିବା ପାଇଁ ଘସିପୁରା ବ୍ଲକ୍‌ ଅଧ୍ୟକ୍ଷା ସୁଜାତା ସାହୁଙ୍କ ସ୍ୱାମୀ ମଦନ ମୋହନ ସାହୁ, ବଳରାମ ବେହେରା, ଶାଳଦେଈ ଗ୍ରାମର ରାମକୃଷ୍ଣ ବୋଇତେଇ ଓ ସେମାନଙ୍କ ସମର୍ଥକମାନେ ଗତ ୨୨ ତାରିଖରେ ମୃତ ମଲ୍ଲୀ ଜେନାଙ୍କ ଘର ଉପରକୁ ଟେକାପଥର ମାଡ଼ କରିଥିଲେ। ତାଙ୍କ ପୁଅ ବିରଞ୍ଚିଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମଲ୍ଲୀ ଏହାର ପ୍ରତିବାଦ କରିବାରୁ ଭୁଜାଲିରେ ତାଙ୍କ ଗୋଡ଼କୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତ ୨୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପ‌ରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏହାକୁ ଶାଳଦେଈ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ନେତା ପୃଥ୍ବୀରାଜ କୁଅଁର, ଜିତେନ୍ଦ୍ର କୁମାର ଘଡ଼େଇ, ରୁଦ୍ରପ୍ରସାଦ ବେହେରା, ପଦ୍ମନାଭ ମହାନ୍ତ ପ୍ରମୁଖ ଏସ୍‌ପିଙ୍କୁ ଭେଟି ଦାବି ଜଣାଇଛନ୍ତି। ଅନ୍ୟପକ୍ଷରେ ଘଟଣା‌କୁ ଇତିମଧ୍ୟରେ ତିନିଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି। ବିଭିନ୍ନ ସମୟରେ ପୁଲିସ ଏକାଧିକ ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରି ଛାଡ଼ି ଦେଉଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମଦନ ମୋହନ ସାହୁ ବିଧାୟକଙ୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିବାରୁ ପୁଲିସ ଚାପରେ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ଅବିନାଶ ପରିଡ଼ାଙ୍କୁ ପଚାରିବାରୁ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ବାବଧାନରେ ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର