‘ସମ୍ବାଦ‘ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଆରମ୍ଭ ହେଲା ବିପଦର ବନ୍ଧୁ କାର୍ଯ୍ୟକ୍ରମ, ପ୍ରତିଦିନ ହଜାରେ ଲୋକଙ୍କୁ ଯୋଗାଇ ଦିଆଯିବ ରନ୍ଧାଖାଦ୍ୟ

ଭୁବନେଶ୍ବର: କରୋନା ପ୍ରଭାବିତଙ୍କ ସହାୟତା ପାଇଁ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ ପକ୍ଷରୁ ଆରମ୍ଭ ହୋଇଛି ବିପଦର ବନ୍ଧୁ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ .ଯୋଗାଇ ଦିଆଯାଉଛି। ଏ.କେ.ଦାଶ ଆସୋସିଏଟସ୍ ଲିମିଟେଡ ସହଯୋଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଥମ ଦିନରେ ହଜାରେ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ୟାକେଟ କରି ଦିଆଯାଇଛିି ।

ସାରା ବିଶ୍ୱକୁ କରୋନା କବଜା କରିନେଇଥିବା ବେଳେ ଏଭଳି କୌଣସି ଅଂଚଳ ନାହିଁ ଯାହା କରୋନା ଦ୍ୱାରା ପ୍ରଭାବିତ ହୋଇନାହିଁ । ଆଉ ଏତିକିବେଳେ  ମୌଳିକ ଆବଶ୍ୟକତାରୁ ବଞ୍ଚିତଙ୍କ  ବିପଦର ବନ୍ଧୁ ପାଲଟିଛନ୍ତି ସମ୍ବାଦ ଓ କନକ ନ୍ୟୁଜ । ଏ.କେ ଦାସ ଆସୋସିଏଟସ ସହାୟତାରେ ବିପନ୍ନଙ୍କ ପାଖରେ ରନ୍ଧାଖାଦ୍ୟ ପହଞ୍ଚାଇବାକୁ ଆରମ୍ଭ ହୋଇଛି ପ୍ରୟାସ ।

ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ କାମ ବନ୍ଦ, ବଜାର ବି ବନ୍ଦ । ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପେଟକୁ ଦାନା ମଧ୍ୟ ନାହିଁ । ତେଣୁ କେହି ଯେପରି ଭୋକିଲା ନ ରହିବେ ସେଥିପାଇଁ ସମସ୍ତେ ପ୍ରୟାସ ଆରମ୍ଭ କରିବା ଦରକାର ।  ସରକାରୀ ସହାୟତା ପହଞ୍ଚିବାକୁ ସମୟ ଲାଗେ,ତା’ପୂର୍ବରୁ ସେହି ଭୋକିଲାଙ୍କ ପାଖରେ ପହଞ୍ଚିବା ଏବେ ଗୁରୁଦାୟିତ୍ୱ ହୋଇଯାଇଛି ।  ବିପଦରେ ପଡ଼ି ହନ୍ତସନ୍ତ .ହେଉଥିବା ମଣିଷଙ୍କର ବନ୍ଧୁ ସାଜିବାର ସମୟ ଏବେ ଆସିଯାଇଛି । ତେଣୁ ଏହି ଅଭିଯାନରେ କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିହେବ ସେ ନେଇ ଚାଲିଛି ପ୍ରୟାସ । ଆଜି ପ୍ରାୟ ଏକ ହଜାର ପ୍ରଭାବିତଙ୍କୁ  ଏହି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଗକୁ ମଧ୍ୟ ଏହି ଉଦ୍ୟମ  ଜାରି ରହିବ । ଖାଲି ସମ୍ବାଦ ଓ କନକ ନ୍ୟୁଜ କାହିଁକି ଆପଣ ବି ଏମିତି କିଛି ଅଭିଯାନ କରନ୍ତୁ ଏବଂ ଏହି ସଙ୍କଟ ସମୟରେ କେହି .ଯେପରି ଭୋକିଲା ନ ରହିବେ ସେ ଦିଗରେ ପ୍ରୟାସ କରନ୍ତୁ।

ସମ୍ବନ୍ଧିତ ଖବର