ସମ୍ବଲପୁର ଜିଲ୍ଲାରେ କାଟ୍ ଖାଇଲା ୧୮୫ ପ୍ରାର୍ଥିପତ୍ର, ୪୨୪୯ କାଏମ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ପଦ ପାଇଁ ୪୪୩୪ଟି ପ୍ରାର୍ଥିପତ୍ର ପଡ଼ିଥିଲା। ତେବେ, ଆଜି ଯାଂଚ ବେଳେ ୧୮୫ଟି ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି। ଏଭଳି ସ୍ଥିତିରେ ୪୨୪୯ଟି ପ୍ରାର୍ଥିପତ୍ର କାଏମ୍ ରହିଥିବା ଜଣାପଡ଼ିଛି। ତ‌େବେ, କ‌େତେକ ପ୍ରାର୍ଥୀ ଏକାଧିକ ପ୍ରାର୍ଥିପତ୍ର ପକାଇଥିବାରୁ ସର୍ବମୋଟ କ‌େତେ ଜଣ ନିର୍ବାଚନୀ ମଇଦାନ‌ରେ ରହିଛନ୍ତି, ତାହାର ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ୱାର୍ଡ ସଭ୍ୟ ପଦ ପାଇଁ ୩୦୨୦ଟି, ସରପଞ୍ଚ ପଦ ପାଇଁ ୭୪୯ଟି, ସମିତି ସଭ୍ୟ ପଦ ପାଇଁ ୫୭୭ଟି ଏବଂ ଜିଲ୍ଲା ପରିଷଦ ପଦ ପାଇଁ ୮୮ଟି ପ୍ରାର୍ଥିପତ୍ର ପଡ଼ିଥିଲା। ଏଥିରୁ ସର୍ବାଧିକ ୧୫୨ଟି ୱାର୍ଡ ସଭ୍ୟ ପଦ ପାଇଁ ପଡ଼ିଥିବା ନାମାଙ୍କନପତ୍ର ଖାରଜ ହୋଇଛି। ସେହିପରି ୧୫ଟି ସରପଞ୍ଚ ଓ ୧୮ଟି ସମିତି ସଭ୍ୟ ପଦ ପାଇଁ ପଡ଼ିଥିବା ନାମାଙ୍କନପତ୍ର ଖାରଜ ହୋଇଥିବା ଜଣାପଡ଼ିଛି। ତେବେ, ସମସ୍ତ ୮୮ଟି ଯାକ ଜିଲ୍ଲା ପରିଷଦ ପଦ ପାଇଁ ପଡ଼ିଥିବା ନାମାଙ୍କନପତ୍ର କାଏମ୍ ରହିଛି। ଏମାନଙ୍କ ମଧ୍ୟରୁ ୫ ଜଣ ସ୍ବାଧୀନତା ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟମାନେ ଦଳୀୟ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି। ଦଳୀୟ ଟିକଟରୁ ବଂଚିତ ହେବା ପରେ ସମ୍ଭବତଃ ବଂଚିତ ହେବା ପରେ ଏହି ନେତାମାନେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଯଦି, ନାମାଙ୍କନପତ୍ର ଏମାନେ ପ୍ରତ୍ୟାହାର ନକରନ୍ତି, ତାହେଲେ ନିର୍ବାଚନରେ ଏମାନେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର