୨୩ ଯାଏଁ ନୟାଗଡ଼ରେ ବାଲିଘାଟ, ପଥର ଖଣି ବନ୍ଦ

ମାଫିଆଙ୍କ ଉପରେ ଲଗାମ୍‌!

ଲିଜ୍‌ଧାରୀଙ୍କ ୱାଇ ଫର୍ମ ବାତିଲ୍‌

ନୟାଗଡ଼ : ବାଲିଚାଲାଣକୁ କେନ୍ଦ୍ର କରି ଗତକାଲିର ଘଟଣା ପରେ ଜିଲ୍ଲା ପ୍ରଶାସନ ଆଜି କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଜିଲ୍ଲାରେ ଚାଲିଥିବା ସମସ୍ତ ପଥର ଖଣି, କ୍ରସର ଓ ବାଲିଘାଟକୁ ୧୮ ତାରିଖରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦେଶ ଦିଆଯାଇଛି। ବାଲି, ଗୋଡ଼ି ଭଳି ଖଣିଜ ପଦାର୍ଥର ପରିବହନ ଉପରେ ବି ରୋକ୍‌ ଲଗାଯିବା ସହ ଲିଜ୍‌ଧାରୀଙ୍କ ସମସ୍ତ ‘ୱାଇ’ ଫର୍ମ ବାତିଲ୍‌ କରାଯାଇଛି। ଖଣିଜ ପଦାର୍ଥ ପରିବହନ ପାଇଁ ବ୍ୟବହୃତ ‘ୱାଇ’ ଫର୍ମରେ ଜାଲିଆତି ଘଟଣା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏଥିସହ ରାଜ୍ୟସ୍ତରରୁ ସମସ୍ତ ତହସିଲକୁ ସରକାରୀ ଫର୍ମ ଯୋଗାଣ ଓ ତହସିଲ ପକ୍ଷରୁ ବିଧିବଦ୍ଧ ଅନୁମତିପତ୍ର ପ୍ରଦାନ ପରେ ଗୋଡ଼ି, ବାଲି ଭଳି ଖଣିଜ ପଦାର୍ଥର ଉତ୍ତୋଳନ ଓ ପରିବହନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଲିଜ୍‌ଧାରୀଙ୍କ ପାଖରେ ବଳକା ଥିବା ୱାଇ ଫର୍ମଗୁଡ଼ିକୁ ସଂପୃକ୍ତ ତହସିଲଦାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ପରେ ବେଶ୍‌ କିଛି ବର୍ଷ ଧରି ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ଆସିଥିବା ପଥର ଓ ବାଲି ମାଫିଆଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ସେପଟେ ଚୋରଙ୍କ ହାତରେ ଜିଲ୍ଲା ପ୍ରଶାସନ ଯେଉଁ ଚାବିକାଠି ଧରାଇଥିଲା ତାକୁ ଆଜି ଛଡ଼ାଇ ନେଇଛି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର