ଚୋରା ବାଲି ଧରପଗଡ଼; ୬ ଗାଡ଼ି ଜବତ, ୮ ଗିରଫ

ବଣାଇଁଗଡ଼ (ସୁନ୍ଦରଗଡ଼): ଗତକାଲି ବ୍ରାହ୍ମଣୀ ନଦୀର ତୁମକଳା ବାଲିଘାଟରୁ ବିନା ଟିପିରେ ବାଲି ପରିବହନ ହେଉଥିବା ଖବର ପାଇ ଲହୁଣିପଡ଼ା ପୁଲିସ ଚଢଉ କରି ୬ଟି ବାଲି ବୋଝେଇ ଗାଡି ଜବତ କରିବା ସହ ୮ଜଣଙ୍କୁ ଗିରଫ କରିଛି। ଲହୁଣିପଡ଼ା ଥାନାରେ ନୂଆ କରି ଯୋଗ ଦେଇଥିବା ଶିକ୍ଷାନବିସ ମହିଳା ଆଇପିଏସ୍‌ ଏସ. ଶ୍ବାତୀ କୁମାର ତଥା ଲହୁଣିପଡ଼ା ଥାନା ଅଧିକାରୀ ସନ୍ତୋଷ ଜେନା ଚଢଉ କରି ଏହି ବାଲିଘାଟରୁ ବାଲି ବୋଝେଇ କରି ନେଉଥିବା ୨ଟି ଟ୍ରାକ୍ଟର, ଗୋଟିଏ ଟିପର ଓ ୩ଟି ହାଇୱା ଟ୍ରକ୍‌କୁ ଅଟକ ରଖି କାଗଜପତ୍ର ତନଖି କରିଥିଲେ। ମାତ୍ର ଚାଳକଙ୍କ ଠାରେ ବାଲି ପରିବହନ ନେଇ କୌଣସି କାଗଜପତ୍ର କିମ୍ବା ଟିପି ନଥିବାରୁ ଏଗୁଡିକୁ ଜବତ କରି ୬ଜଣ ଚାଳକଙ୍କୁ ଗିରଫ କରିଥିଲେ।

ସେହିପରି ବାଲିଘାଟ ଚଳାଉଥିବା ଠିକାଦାରଙ୍କ ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ଗିରଫ କରିଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କୁ ନୋଟିସ ଦେଇ ଛାଡି ଦିଆଯାଇଥିଲା। ଅନ୍ୟ ୬ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର