ସାତକଡ଼ି ହୋତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ : ଓଡ଼ିଶାର ସାହିତ୍ୟ, ସଂସ୍କୃତି ବିଶ୍ୱରେ ଅଦ୍ୱିତୀୟ

କଟକ : ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଭୂମି। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ବିଶ୍ୱରେ ଅଦ୍ୱିତୀୟ। ଏହି ମାଟିର ଅନେକ ବରପୁତ୍ର ଦେଶ ଓ ଜାତି ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରି ଅମର ହୋଇଛନ୍ତି ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ୍‌ କହିଛନ୍ତି। କଳାବିକାଶ କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ଶ୍ରୀଗଙ୍ଗାଧର ରଥ ଫାଉଣ୍ଡେସନର ତ୍ରୟବିଂଶତମ ସମ୍ମାନ ପ୍ରଦାନ ସମାରୋହକୁ ଉଦ୍‌ଘାଟନ କରି ସେ କହିଛନ୍ତି, ବିଶିଷ୍ଟ ଆଇନଜ୍ଞ ସ୍ୱର୍ଗତ ଗଙ୍ଗାଧର ରଥ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ନୀତି ଓ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହେବାକୁ ଜଷ୍ଟିସ୍‌ ସରନ୍‌ ମତବ୍ୟକ୍ତ କରିିଥିଲେ। ସାରସ୍ୱତ ସାଧିକା ଡକ୍ଟର ଅର୍ଚ୍ଚନା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟିକମାନେ ସତ୍‌ସାହିତ୍ୟ ସୃଷ୍ଟି କରିବାକୁ ଆହ୍ଵାନ କରିଥିଲେ।

ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ ଡକ୍ଟର ବିଜୟାନନ୍ଦ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରି ଉତ୍ସବର ଆଭିମୁଖ୍ୟ ଓ ଟ୍ରଷ୍ଟ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସାହିତ୍ୟରେ ସାମଗ୍ରିକ କୃତି ପାଇଁ ବିଶିଷ୍ଟ ସାହିତ୍ୟିକ ଡକ୍ଟର ସାତକଡ଼ି ହୋତାଙ୍କୁ ମର୍ଯ୍ୟାଦାଜନକ ‘ସାହିିତ୍ୟ ଭାରତୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନ ସ୍ୱରୂପ ଡକ୍ଟର ହୋତାଙ୍କୁ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ସମେତ ଏକ ଲକ୍ଷ ଟଙ୍କାର ଉପାୟନ, ମାନପତ୍ର ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଶିକ୍ଷାବିତ ଡକ୍ଟର ପ୍ରଭାତ କୁମାର ମିଶ୍ରଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କୁ ଏକ ରୌପ୍ୟ ଫଳକ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି କାବ୍ୟ ସାହିତ୍ୟ ପାଇଁ ବିଶିଷ୍ଟ କବି ଡକ୍ଟର ହୃଷୀକେଶ ମଲ୍ଲିକଙ୍କୁ ଭାନୁଜୀ ରାଓ ସ୍ମାରକୀ ସମ୍ମାନ ଓ କଥାକାର ଅଳକା ଚାନ୍ଦଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ମାନିତ ପ୍ରତିଭା ଡକ୍ଟର ମଲ୍ଲିକ ଓ ଶ୍ରୀମତୀ ଚାନ୍ଦଙ୍କୁ ୨୫ହଜାର ଟଙ୍କାର ଉପାୟନ ସମେତ ରୌପ୍ୟଫଳକ, ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସାହିତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ପାଇଁ କଥାକାର ବୈଜୟନ୍ତୀ ମିଶ୍ର ଓ କବି ଅମିୟ ରଞ୍ଜନ ମହାପାତ୍ରଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କାର ଉପାୟନ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଡାକ୍ତର ଅଳକା ରଥ ସମାରୋହ ସଂଯୋଜନା କରିଥିବା ବେଳେ ଫାଉଣ୍ଡେସନର ସଂପାଦିକା ସୁସ୍ମିତା ରଥ ଧନ୍ୟବାଦ ଅର୍ପଣ କରିିଥିଲେ। ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଡକ୍ଟର ବନ୍ଦିତା ଦାଶ, କମଳ ମାହୁନ୍ତ, ଡକ୍ଟର ଶିଶିର ବେହେରା ମାନପତ୍ର ପାଠ କରିଥିଲେ।

ସମ୍ବନ୍ଧିତ ଖବର