ମିଳିମିଶି ଲୁଟ୍, ଏମସିଏଲ୍‌ର ୯୭ କୋଟି ଟଙ୍କାର କ୍ଷତି

୨୫ କମ୍ପାନି, ୪ ଅଧିକାରୀଙ୍କ ବିରୋଧରେ ମାମଲା, ଓଡ଼ିଶା, କୋଲକାତାର ୩୦ ଜାଗାରେ ଚଢ଼ଉ

ଭୁବନେଶ୍ବର : କୋଇଲା ଯୋଗାଣରେ ବ୍ୟାପକ ହେରଫେର ‌ହୋଇଥିବା ଅଭିଯୋଗରେ ସିବିଆଇ ତରଫରୁ ଆଜି ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର କିଛି ଅଧିକାରୀ ଓ ୨୫ଟି କଂପାନି ନାମରେ ମାମଲା ରୁଜୁ କରିଛି। ସିବିଆଇ ଏଫ୍‌ଆଇଆର୍‌ରେ ଜଣାଇଛି ଯେ, ଏମ୍‌ସିଏଲ୍‌ର ଅଧିକାରୀମାନେ କଂପାନିଗୁଡ଼ିକ ସହ ଅପରାଧିକ ଷଡ଼ଯନ୍ତ୍ରରେ ଲିପ୍ତ ରହି ଏମ୍‌ସିଏଲ୍‌କୁ ଠକିଛନ୍ତି। କୋଇଲା ଯୋଗାଣ ନେଇ ଏମ୍‌ସିଏଲ୍‌ ଓ ଏହାର ଗ୍ରାହକମାନଙ୍କ ଭିତରେ ସ୍ବାକ୍ଷରିତ ହୋଇଥିବା ‘ଇନ୍ଧନ ଯୋଗାଣ ବୁଝାମଣା’ର ସର୍ତ୍ତକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ସେଥିପାଇଁ ଏମ୍‌ସିଏଲ୍‌ ୯୭ କୋଟି ଟଙ୍କାର କ୍ଷତି ସହିଛି।

ଏମସିଏଲର ବରିଷ୍ଠ ଅଧିକାରୀ ଓ ୨୫ଟି କମ୍ପାନି କର୍ତ୍ତୃପକ୍ଷଙ୍କ ଜାଲିଆତି ଏବେ ଧରାପଡ଼ିଛି। ଏମ୍‌ସିଏଲ୍‌ର ମୂଳ କଂପାନି କୋଲ୍‌ ଇଣ୍ଡିଆରୁ ଅନୁମତି ମିଳିବା ପରେ ଭୁବନେଶ୍ବର ସିବିଆଇ ଶାଖା ମାମଲା ରୁଜୁ କରିଛି। ଆଇପିସି ଧାରା-୧୨୦(ବି), ୪୨୦, ୪୭୭(ଏ) ଓ ଦୁର୍ନୀତି ନିବାରଣ ଆଇନର ଧାରା-୧୩(୨), ୧୩(୧)(ଡ଼ି)ରେ ମାମଲା ରୁଜୁ କରିଛି ସିବିଆଇ। ମାମଲା ରୁଜୁ ହେବା ପରେ ଭୁବନେଶ୍ବର, ସମ୍ବଲପୁର ଓ କୋଲକାତାର ୩୦ଟି ସ୍ଥାନରେ ସିବିଆଇ ଏକକାଳୀନ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏମ୍‌ସିଏଲ୍‌ର କୋଲକାତା ସ୍ଥିତି କାର୍ଯ୍ୟାଳୟର ଚାରି ପୂର୍ବତନ ଅଧିକାରୀ-ପୂର୍ବତନ ଅର୍ଥ ପ୍ରବନ୍ଧକ କାବେରୀ ମୁଖାର୍ଜୀ, ବରିଷ୍ଠ ପ୍ରବନ୍ଧକ କୁମାର ଭୌମିକ, ଦେବଜ୍ୟୋତି ଚକ୍ରବତ୍ତୀ ଓ ଅର୍ଥ ବିଭାଗର ଉପ ପ୍ରବନ୍ଧକ ତଥା ଏବେ ସମ୍ବଲପୁର ବୁର୍ଲାସ୍ଥିତ ଏମ୍‌ସିଲ୍ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଶ୍ରୀଭାଲି ବୀରଘାନ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଫ୍‌ଆଇଆର୍‌ରେ ଅଦାନୀ ପାଵାର ଲିମିଟେଡ୍, ବେଦାନ୍ତ ଲିମିଟେଡ୍, ହଳଦିଆ ଏନର୍ଜି, ହଳଦିଆ ଷ୍ଟିଲ, ଜେକେ ପେପର୍, ଇମ୍ଫା, ଇଫକୋ, ଇମାମି ବାୟୋଟେକ୍ ଲିମିଟେଡ୍ ସମେତ ୨୫ଟି କମ୍ପାନି ବିରୋଧରେ ମାମଲା ରୁଜୁ ହୋଇଛି।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇନ୍ଧନ ଯୋଗାଣ ବୁଝାମଣାରେ ଧାର୍ଯ୍ୟ ହୋଇଥିବା କୋଇଲା ପରିମାଣର ଯେଉଁ କମ୍ପାନି ୯୦ ପ୍ରତିଶତ କିମ୍ବା ଅଧିକ କୋଇଲା ନେବେ, ପରଫରମାନ୍ସ ଇନସେନଟିଭ୍ ଦାଖଲ କରିବା କଥା। ୩୦ ଦିନ ଭିତରେ ଏହି ଇନସେନଟିଭ୍ ଦାଖଲ ହେବାର ନିୟମ ରହିଛି। କିନ୍ତୁ ଦାୟିତ୍ବରେ ଥିବା ଅଧିକାରୀ ବିଳମ୍ବରେ ଏହି ବିଲ୍ ଦାଖଲ କରିଛନ୍ତି। କେତେକ କ୍ଷେତ୍ରରେ କମ୍ପାନି ବିଳମ୍ବରେ ବିଲ୍ ଅର୍ଥ ପୈଠ କରିଛନ୍ତି। ବିଳମ୍ବରେ କାରବାର ଯୋଗୁଁ ଏମସିଏଲକୁ କ୍ଷତି ସହିବାକୁ ପଡ଼ିଛି। ବହୁ ପରିମାଣର ସୁଧ ବି ହରାଇବାକୁ ପଡ଼ିଛି। ଯେଉଁ କମ୍ପାନି ଯେତିକି ପରିମାଣର କୋଇଲା ନେବାକୁ ଚୁକ୍ତି କରିଥିବେ, ଯଦି ନିର୍ଦ୍ଧାରିତ ସର୍ବନିମ୍ନ ପରିମାଣ ଠାରୁ କମ୍ କୋଇଲା ନେବେ, ଏଥିଲାଗି ଏମସିଏଲକୁ କ୍ଷତିପୂରଣ ଦେବାର ନିୟମ ରହିଛି। ଏହାକୁ ମଧ୍ୟ ଖିଲାପ କରାଯାଇଛି। ଏହିଭଳି ଭାବେ ଏମସିଏଲକୁ ୯୭କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ନିୟମ ଓ ସର୍ତ୍ତାବଳୀ ଉଲ୍ଲଂଘନ ନେଇ ସିବିଆଇ ନିକଟରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରିଥିଲା ସିବିଆଇ। ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ସିବିଆଇ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର