କଟକ ବଡ଼ ଡାକ୍ତରଖାନାରେ ପ୍ରସ୍ତୁତି ଏହିଭଳି! ଗୋଟିଏ ମହଲାରେ କରୋନା ଆଉ ସ୍ବାଇନ୍‌ ଫ୍ଲୁ’ ୱାର୍ଡ

ଗୋଟିଏ କୋଠାରେ କରୋନା ୱାର୍ଡ ସହ ମେଡିସିନ୍, ରୁମାଟିଜିମ୍ ଓପିଡି, ଚକ୍ଷୁ ବିଭାଗ ଓଟି

କଟକ : କରୋନା ପାଇଁ ଆବଶ୍ୟକ ହେଉଛି ସ୍ବତନ୍ତ୍ର ୱାର୍ଡ। କଟକ ବଡ଼ ଡାକ୍ତରଖାନାରେ ଯେଭଳି ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ ହୋଇଛି, ସେଥିରେ ଲୋକଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ଗୋଟିଏ ମହଲାର ଗୋଟିଏ ପଟେ କରୋନା ୱାର୍ଡ ରହିଥିବା ବେଳେ ଅନ୍ୟ ପାର୍ଶ୍ବରେ ରହିଛି ସ୍ବାଇନ୍‌ ଫ୍ଲ ୱାର୍ଡ। ସନ୍ଦିଗ୍ଧ ‌ରୋଗୀଙ୍କୁ ସେଠାରେ ରଖାଯାଉଛି। ଚକ୍ଷୁ ବିଭାଗର ୪ର୍ଥ ମହଲାରେ ଖୋଲାଯାଇଛି ଏହି ସ୍ବତନ୍ତ୍ର ୱାର୍ଡ। ହେଲେ, ଯେ କେହି ଚାହିଁଲେ ଯାଇପାରିବ ଏହି ୱାର୍ଡକୁ। ଏଥିପାଇଁ କୌଣସି ସତର୍କତାମୂଳକ ପୋଷ୍ଟର ମରାଯାଇନି କି ସୂଚନା ଲେଖା ହୋଇନି। ସେହି କୋଠାରେ ମେଡିସିନ୍‌, ‌ରୁମାଟିଜିମ୍‌ ବିଭାଗର ଓପିଡି, ସହ ଚକ୍ଷୁ ବିଭାଗର ଓଟି ବି ରହିଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ କୋଠାର ସବୁଠୁ ଉପର ମହଲା ଅର୍ଥାତ ୪ର୍ଥ ମହଲାରେ ସନ୍ଦିଗ୍ଧ କରୋନା ଓ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କୁ ଭର୍ତ୍ତି କରାଯାଉଛି। ଯେତେବେଳେ କୌଣସି ଭାଇରାଲ ବା ସଂକ୍ରମଣଜନିତ ରୋଗ ଦେଖାଯାଏ ବା ଚିହ୍ନଟ ହୁଏ ରାଜ୍ୟରେ ଏସ୍‌ସିବିକୁ ନୋଡାଲ ସେଣ୍ଟରଭାବେ ଗ୍ରହଣ କରାଯାଇ ସ୍ବତନ୍ତ୍ର ୱାର୍ଡ ଖୋଲାଯାଏ। କିନ୍ତୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବା ସ୍ବତନ୍ତ୍ର ସଂକ୍ରମଣ ୱାର୍ଡ ଆଜି ପର୍ଯ୍ୟନ୍ତ ଏସ୍‌ସିବିରେ ପ୍ରସ୍ତୁତ ହୋଇପାରିନି। ସେହି ଚିରାଚରିତ ଢଙ୍ଗରେ ଡେଙ୍ଗୁ, ସ୍ବାଇନ୍‌ ଫ୍ଲୁ ୱାର୍ଡ ଯେଉଁଠି ଖୋଲାଯାଏ ସେହି ମହଲାରେ ହିଁ ପୁଣି ଖୋଲାଯାଇଛି କରୋନା ୱାର୍ଡ।

ଏସ୍‌ସିବିରେ ସ୍ବତନ୍ତ୍ର ସଂକ୍ରମଣ ୱାର୍ଡ ପାଇଁ ୭ ମହଲା କୋଠା ଡାଇରିଆ ୱାର୍ଡ ପାଖରେ ତିଆରି କରାଯିବାର ଯୋଜନା କରାଯାଇଛି। ଯେଉଁଠି ବିଭିନ୍ନ ସଂକ୍ରମଣ ବା ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ। ଆଜି ପର୍ଯ୍ୟନ୍ତ କେବଳ ଯୋଜନାରେ ଅଟକିଛି ଏହି ସ୍ବତନ୍ତ୍ର ସଂକ୍ରମଣ ୱାର୍ଡ। ଏଭଳି ସ୍ଥି୍ତିରେ ଏସ୍‌ସିବି ଭଳି ‌ରାଜ୍ୟର ବଡ ଡାକ୍ତରଖାନାରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡରେ ପାଖରେ କେଉଁଭଳି ଭାବେ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କୁ ଚିକିତ୍ସା କରାଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ସେହିଭଳି, ଗୋଟିଏ କୋଠାରେ ମେଡିସିନ୍‌, ‌ରୁମାଟିଜିମ୍‌ ବିଭାଗର ଓପିଡି, ଚକ୍ଷୁ ବିଭାଗର ଓଟି ସହିତ କରୋନା ଓ ସ୍ବାଇନ୍ ଫ୍ଲୁ ୱାର୍ଡ ରହିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର