ହାଇକୋର୍ଟରେ ସ୍କୁଲ ଫି’ ଛାଡ଼ ମାମଲା : ଘରୋଇ ସ୍କୁଲ୍ ଫି’ ନିୟନ୍ତ୍ରଣ କ୍ଷମତା ସରକାରଙ୍କର ନାହିଁ

ଡିଏଭି ଓ ଆଇସିଏସଇ ସ୍କୁଲ ସଂଘର ସତ୍ୟପାଠ

କଟକ : ହାଇକୋର୍ଟରେ ସ୍କୁଲ ଫି’ ଛାଡ଼ ମାମଲା ଆଜି ଭିନ୍ନ ମୋଡ଼ ନେଇଛି। ୧୯୯୬ ସେପ୍ଟେମ୍ବର ୨୩ ତାରିଖର ଗେଜେଟ ବିଜ୍ଞପ୍ତି ଅନୁସାରେ ଘରୋଇ ସ୍କୁଲ ଗୁଡିକର ଫି’ ନିୟନ୍ତ୍ରଣ ପାଇଁ ସରକାରଙ୍କ କ୍ଷମତା ରହିଛି ବୋଲି ଆବେଦନକାରୀ ପୂର୍ବରୁ ସତ୍ୟପାଠ ଦାଖଲ କରିଥିବା ବେଳେ ଆଜି ଡିଏଭି ସ୍କୁଲ୍ ଓ ଆଇସିଏସଇ ସ୍କୁଲ ସଂଘ ପକ୍ଷରୁ ଦାଖଲ ସତ୍ୟପାଠରେ ଏହାକୁ ବିରୋଧ କରାଯାଇଛି। ଏହି ବିଜ୍ଞପ୍ତି‌ ସରକାରଙ୍କୁ ଏପରି କ୍ଷମତା ପ୍ରଦାନ କରି ନାହିଁ ବୋଲି ସେମାନଙ୍କ ସତ୍ୟପାଠରେ ଦର୍ଶାଯାଇଛି। ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ଓ ଏ ସଂପର୍କିତ ନିୟମ, ୨୦୧୦ ଆସିବା ପରେ ୧୯୯୬ର ବିଜ୍ଞପ୍ତି ପ୍ରାସଂଗିକତା ହରାଇଛି ବୋଲି ଉଭୟ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀଙ୍କ ସତ୍ୟପାଠ ଉପରେ ଡିଏଭି ପବ୍ଲିକ୍ ସ୍କୁଲସ୍ ଓଡ଼ିଶା ଜୋନ୍-୧ ଓ ୨ ତରଫରୁ ଆଞ୍ଚଳିକ ଅଧିକାରୀ କେଶବଚନ୍ଦ୍ର ଶତପଥୀ ସତ୍ୟପାଠ ମାଧ୍ୟମରେ ଦାଖଲ କରିଥିବା ଜବାବରେ ଉଲ୍ଲେଖ କରାଯାଇଛି ଯେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ପରେ ୧୯୯୬ର ଏହି ବିଜ୍ଞପ୍ତି ଅନାବଶ୍ୟକ। ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଫି’ ନିୟନ୍ତ୍ରଣ କରିବା ପାଇଁ ଶିକ୍ଷା ଅଧିକାର ଆଇନସଂଗତ ନିୟମ ପ୍ରଣୟନ କରାଯିବା କଥା। କିନ୍ତୁ ଏପରି କୌଣସି ନିୟମ ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଣୟନ କରାଯାଇନାହିଁ। ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଫି’ ନିୟନ୍ତ୍ରଣ ପାଇଁ ସରକାର କୌଣସି ନିୟମ କରି ନ ଥିବାବେଳେ ୨୦୧୩ରେ ଜଷ୍ଟିସ କେ.ପି.ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଫି’ ଷ୍ଟ୍ରକଚର୍ କମିଟିକୁ ରିପୋର୍ଟ ଦାଖଲ ପାଇଁ କହିଥିଲେ। ୨୦୧୪ରେ ମାମଲାର ରାୟ ପ୍ରକାଶ ପାଇଥିବାବେଳେ ସୁପ୍ରିମକୋର୍ଟ କମିଟି ଅନୁମୋଦନକୁ ଗ୍ରହଣ କରିଥିଲେ। ଏହି କମିଟି ରିପୋର୍ଟ ପରବର୍ତ୍ତୀ ସମୟରେ ଫି’ ନିୟନ୍ତ୍ରଣ ପ୍ରସଂଗରେ ଗାଇଡଲାଇନ ଭାବେ ସାରା ଓଡ଼ିଶାରେ ଗ୍ରହଣୀୟ ହୋଇଥିଲା ଓ ଅନ୍ୟମାନେ ମଧ୍ୟ ଏ ପର୍ଯ୍ୟନ୍ତ ଏହାକୁ ଅନୁସରଣ କରୁଛନ୍ତି। ଫି’ ଛାଡ଼ ପ୍ରସଂଗରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଦାଖଲ କରିଥିବା ରିପୋର୍ଟକୁ ଡିଏଭି ସ୍କୁଲ ପକ୍ଷରୁ ବିରୋଧ କରାଯାଇଛି। ବାରମ୍ବାର ଅନୁରୋଧ ସତ୍ତ୍ବେ ସଚିବ ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିଲେ। ୫୦ଟି ଡିଏଭି ସ୍କୁଲ ତଥା ସମସ୍ତ ଅଂଶୀଦାରଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା। ଡିଏଭିକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିବାରୁ ସଚିବଙ୍କ ଏହି ରିପୋର୍ଟ ଗ୍ରହଣୀୟ ନୁହେଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ସେହିପରି ଆସୋସିଏସନ୍ ଅଫ୍ ଓଡ଼ିଶା ଆଇସିଏସଇ ସ୍କୁଲ ପକ୍ଷରୁ ସଂପାଦକ ଫାଦର ଏସ. ଯୋଶେଫ ଦାଖଲ କରିଥିବା ସତ୍ୟପାଠରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଶିକ୍ଷା ଅଧିକାର ଆଇନ ଆସିବା ପରେ ୧୯୯୬ ମସିହା ବିଜ୍ଞପ୍ତିର କୌଣସି ପ୍ରାସଂଗିକତା ନାହିଁ। ଗଣଶିକ୍ଷା ସଚିବଙ୍କ ରିପୋର୍ଟର ଗ୍ରହଣୀୟତା ନେଇ ପ୍ରଶ୍ନ ଉଠାଯାଇଛି। ପ୍ରାୟ ୫୦ଟି ଡିଏଭି ସ୍କୁଲ ଓ ଶହେଟି ଆଇସିଏସଇ ସ୍କୁଲକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ଗଣଶିକ୍ଷା ସଚିବଙ୍କ ରିପୋର୍ଟ ବୋଲି କୁହାଯାଇ ପାରିବ ନାର୍ହି। ଏହା ସଚିବଙ୍କ ନିକଟରେ ଦାଖଲ ଏମ୍‌ଓୟୁ ଆଧାରରେ କେବଳ ପ୍ରସ୍ତୁତ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫କୁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଏହି ସତ୍ୟପାଠ ଉପରେ ପକ୍ଷ ରଖାଯିବ।

ସ୍କୁଲ ଫି’ ଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସ୍ବତନ୍ତ୍ର ଶିକ୍ଷାନୀତି ପ୍ରସଂଗ ନେଇ ପୃଥକ ମାମଲା ଦାୟର କରିଥିଲେ। ଏହି ସବୁ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍‌, ସ୍କୁଲ ଶିକ୍ଷକ ସଂଘ ପିଟିସନ୍, ଅନ୍ୟ କେତେକ ଘରୋଇ ସ୍କୁଲ ପିଟିସନ୍ ଦାଖଲ କରିଥିଲେ। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସଭାପତି ପ୍ରଦୀପ୍ତ ନାୟକ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଆବେଦନକାରୀ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବିଭୂତି ଭୂଷଣ ଚୌଧୁରୀ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ତରଫରୁ ଆଇନଜୀବୀ ଦୀପକ ମହାପାତ୍ର, ପଦ୍ମାଳୟା ମହାପାତ୍ର, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍‌ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ଓ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର