ସମୟସୀମା ମଧ୍ୟରେ ସ୍କୁଲ, କଲେଜକୁ ଜମିପଟ୍ଟା ମିଳିବ

କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନର ସମୀକ୍ଷା ବୈଠକ
ଲଘୁ ଖଣିଜ ସମ୍ପଦ ରାଜସ୍ୱ ବୃଦ୍ଧି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ସ୍କୁଲ୍‌ ଓ କଲେଜଗୁଡ଼ିକୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରିବାକୁ ରାଜସ୍ବ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ତହସିଲ୍‌ଦାର ମାନଙ୍କ ସହିତ ସମୀକ୍ଷା ବୈଠକ କରିବେ। ଏହି ବୈଠକରେ ସ୍କୁଲ ଓ କଲେଜଗୁଡ଼ିକରେ ଥିବା ଜମିଜମା ସମସ୍ୟାକୁ ସମାଧାନ କରି ରାଜସ୍ୱ ବିଭାଗକୁ ଜଣାଇବେ। ଆସନ୍ତା ମାର୍ଚ୍ଚ ୫ ତାରିଖ ମଧ୍ୟରେ ସେହି ସବୁ ଅନୁଷ୍ଠାନକୁ ଜମିପଟ୍ଟା ହସ୍ତାନ୍ତର କରିବେ। କେନ୍ଦ୍ରାଞ୍ଚଳ ରାଜସ୍ବ କମିସନ୍‌ ଅଧୀନସ୍ଥ ୧୦ଟି ଜିଲ୍ଲାକୁ ନେଇ ହୋଇଥିବା ଏକ ସମୀକ୍ଷା ବୈଠକରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ୧୦ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର, ଆଇ.ଜି.ଆର, ଓଡିଶା ଓ ଭୂ-ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଥିଲେ। ରାଜ୍ୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନିତ କରିବା ସହିତ ରେଳ, ଜାତୀୟ ରାଜପଥ ଓ ଜଳସେଚନ ଇତ୍ୟାଦି ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ଓଡିଶା ଲୋକସେବା ଅଧିକାର ଅଧିନିୟମ ଅନୁଯାୟୀ ସମସ୍ତ ଜନସେବାକୁ ଉଦ୍ଦିଷ୍ଟ ସମୟସୀମା ଭିତରେ ଫଇସଲା କରିବା, ବେ-ବନ୍ଦୋବସ୍ତ ଜମିଜମାଗୁଡ଼ିକର ଫଇସଲା ଓ ସମାଧାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଲଘୁ ଖଣିଜ ପଦାର୍ଥ ଉତ୍ସଗୁଡ଼ିକରୁ ନିୟମିତ ରାଜସ୍ୱ ଆଦାୟ, ବେଆଇନ ଉଠାଣ ଓ ଚୋରିକୁ ରୋକିବା ସହିତ ବୈଷୟିକ ଜ୍ଞାନର ଉପଯୋଗ କରି ଲଘୁ ଖଣିଜ ଉତ୍ସଗୁଡିକର ସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜସ୍ୱ ଜଙ୍ଗଲ ଜମି ଚିହ୍ନଟ କରି ନୂତନ ବନୀକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବସୁନ୍ଧରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଜମି ଯୋଗାଇ ଦେବା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ବିଭିନ୍ନ ରାଜସ୍ୱ କାର୍ଯ୍ୟାଳୟଗୁଡ଼ିକର କୋଠାବାଡ଼ି ନିର୍ମାଣ, ନବୀକରଣ, ରକ୍ଷଣାବେକ୍ଷଣ ଓ ଉପକରଣ ତଥା ଆସବାବପତ୍ର ଯୋଗାଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଏବଂ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନେ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରି ବିଭିନ୍ନ ସମସ୍ୟାର ସମାଧାନ କରିବେ। ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟସୂତ୍ରୀ ଆଧାରରେ ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ, ନିର୍ମଳ ଓ ସଶକ୍ତୀକରଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଏହିପରି ସମୀକ୍ଷା ବୈଠକ ପ୍ରତି ମାସରେ ଅନୁଷ୍ଠିତ ହେବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର