କୂଳ ଲଂଘୁଛି ସମୁଦ୍ର: ୩ ବର୍ଷରେ ମାଡ଼ିଆସିଲାଣି ୩ କିମି, ଅଞ୍ଚଳବାସୀ ଭୟଭୀତ

ବାଲେଶ୍ବର : ଜଙ୍ଗଲ ପାଇଁ ବଞ୍ଚି ଯାଉଥିଲୁ। ଧନଜୀବନ ସୁରକ୍ଷିତ ରହିଥିଲା। ବାତ୍ୟା ଆସିଲେ ବି ସେମିତି ବିଶେଷ କ୍ଷତି ହେଉନଥିଲା। ହେଲେ ଆଜି ଆମେ ସମସ୍ତେ ଅସୁରକ୍ଷିତ। କେତେବେଳେ କଣ ହେବ, ସେହି ଚିନ୍ତାରେ ଦିନ କାଟୁଛୁ। ଅଶାନ୍ତ ସମୁଦ୍ର ଧୀରେ ଧୀରେ ଜନବସତିମୁହାଁ ହେଉଛି। ବର୍ଷ ବର୍ଷ ଧରି ଜନବସତିକୁ ସୁରକ୍ଷା ଦେଇଆସୁଥିବା ଝାଉଁ ଜଙ୍ଗଲ ଆଜି ସମୁଦ୍ରଗର୍ଭରେ ଲୀନ ହେବାକୁ ବସିଛି। ବିଗତ କିଛି ବର୍ଷ ଭିତରେ ୪୦ ପ୍ରତିଶତ ଜଙ୍ଗଲକୁ ଗିଳିଦେଲାଣି ସମୁଦ୍ର। ବନ୍ୟା କି ବାତ୍ୟା କଥା ଶୁଣିଲେ ଏବେ ଛାତି ଥରୁଛି। ପ୍ରକୃତିର କରାଳ ରୂପରୁ କେମିତି ବର୍ତ୍ତିବୁ, ସେହି ଚିନ୍ତାରେ ଆଖିକୁ ନିଦ ନା ପେଟକୁ ଭୋକ ହେଉଛି। ବାରମ୍ବାର ଅଭିଯୋଗ ପରେ ବି ଜିଲ୍ଲା ପ୍ରଶାସନ କିମ୍ବା ରାଜନେତା, କେହି ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ବାଲେଶ୍ବର ଜିଲ୍ଲା ଚାନ୍ଦିପୁରଠାରୁ ମାତ୍ର ଏକ କିମି ଦୂର ପନ୍ତା-ପରିଖି ସମୁଦ୍ର ବେଳାଭୂମି ଉପକୂଳବର୍ତ୍ତୀ ଅଞ୍ଚଳବାସୀ ଏମିତି ନିଜର ଦୁଃଖ ବଖାଣିଛନ୍ତି।

Odisha Tour Packages

ସମୁଦ୍ର ଉପକୂଳ ଅଞ୍ଚଳରେ ୩ ହଜାରରୁ ଊର୍ଦ୍ଧ୍ବ ପରିବାରକୁ ସୁରକ୍ଷା ଦେବା ପାଇଁ ବାଲେଶ୍ବର ସଦର ବ୍ଲକ ବଳରାମଗଡ଼ି ମୁହାଣରୁ ବାହାବଳପୁର ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୮ କିମି ପର୍ଯ୍ୟନ୍ତ ଝାଉଁ ଜଙ୍ଗଲ ସୃଷ୍ଟି କରିଥିଲା ବନ ବିଭାଗ। ଏହାକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ୮ଟି ଜଙ୍ଗଲ ସୁରକ୍ଷା କମିଟି ଗଠନ ହୋଇଛି। ସମୁଦ୍ର ଜୁଆର ମାଡ଼ରେ ନଷ୍ଟ ହେଉଥିବା ଜଙ୍ଗଲର ପୁନରୁଦ୍ଧାର ପାଇଁ ଏହି କମିଟି କାର୍ଯ୍ୟ କରିଆସୁଛି। ହେଲେ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସମୁଦ୍ରଠାରୁ ଜଙ୍ଗଲ ଓ ଜନବସତିକୁ ସୁରକ୍ଷା ଦେବା କମିଟି ପକ୍ଷରେ ଆଉ ସମ୍ଭବ ନୁହେଁ। ଦିନକୁ ଦିନ ସମୁଦ୍ର ଉଗ୍ର ହୋଇ କରାଳ ରୂପ ଦେଖାଉଛି। ୩ ବର୍ଷ ତଳେ ଜନବସତିଠାରୁ ୩ କିମି ଦୂରରେ ଥିଲା ସମୁଦ୍ର। ଏବେ କୂଳ ଲଂଘି ଜନବସତିଠାରୁ ମାତ୍ର ୨ ଶହ ମିଟର ଦୂରରେ ରହିଛି। ସମୁଦ୍ରର ଏଭଳି ଭୟଙ୍କର ରୂପକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

 

୧୦ ବର୍ଷ ତଳେ ବନ ବିଭାଗ ଏହି ବିସ୍ତୃତ ଅଞ୍ଚଳରେ ଝାଉଁ ଜଙ୍ଗଲ ସୃଷ୍ଟି କରିବା ପରେ ବନ ସୁରକ୍ଷା କମିଟି ଏହାର ରକ୍ଷଣାବେକ୍ଷଣ କରିଆସୁଛି। ଜୁଆରରେ ଗଛ ନଷ୍ଟ ହେଲେ ବନ ବିଭାଗ ନିରନ୍ତର ବ୍ୟବଧାନରେ ବୃକ୍ଷରୋପଣ କରୁଥିଲା। ହେ‌ଲେ ଗତ ୩ ବର୍ଷ ହେଲା ବନ ବିଭାଗ ପକ୍ଷରୁ ଆଉ ଗଛ ଲଗାଯାଇନାହିଁ। ଗତବର୍ଷ ‘ୟାସ୍‌ ବାତ୍ୟାରେ ପାଖାପାଖି ୧୦ ହଜାର ଗଛ ନଷ୍ଟ ହୋଇଯାଇଛି। ଏବେ ଯେତିକି ଗଛ ଅଛି, ବନ ବିଭାଗ ଏହାର ସୁରକ୍ଷା ନେଇ ଗୁରୁତ୍ବ ଦେଉନାହିଁ। ଯାହାଫଳରେ ଦିନକୁ ଦିନ ଉକ୍ତ ଅଞ୍ଚଳ ଜଙ୍ଗଲହୀନ ହୋଇଗଲାଣି।

ସମ୍ବନ୍ଧିତ ଖବର