ମୟୂରଭଞ୍ଜ ସ୍କୁଲ୍ ଅଫ୍ ଇଂଜିନିୟରିଂରେ ମେକାନିକାଲ୍ ବିଭାଗର ସିଟ୍ ସଂଖ୍ୟା ବୃଦ୍ଧି

ବିଭାଗକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିଲା ଆଗ୍ରହ

ବାରିପଦା : ବାରିପଦା ଲକ୍ଷ୍ମୀପୋଷିସ୍ଥିତ ୨୭ବର୍ଷର ରାଜ୍ୟର ଅନ୍ୟତମ ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ମୟୂରଭଞ୍ଜ ସ୍କୁଲ୍ ଅଫ୍ ଇଂଜିନିୟରିଂ(ଏମଏସଇ)ର ମେକାନିକାଲ ବିଭାଗରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି। ଏହାର ଗୁଣାତ୍ମକ ଶିକ୍ଷାଦାନ ଓ ଉତ୍ତମ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଶିକ୍ଷାନୁଷ୍ଠାନର ମେକାନିକାଲ ବିଭାଗର ଆସନ ସଂଖ୍ୟା ୧୨୦ରୁ ୧୮୦କୁ ବୃଦ୍ଧି ପାଇଛି। ଏହାଫଳରେ ଆହୁରି ଅନେକ ଆଶାୟୀ ଛାତ୍ରଛାତ୍ରୀ ଏହି ବିଭାଗରେ ଏଠାରୁ ପଢ଼ିବାର ସୁଯୋଗ ପାଇବେ।

ଉଲ୍ଲେଖଯୋଗ୍ୟଯେ ଲକ୍‌ଡାଉନ ସମୟରେ ଏମଏସଇ ପକ୍ଷରୁ ସମସ୍ତ ସେମିଷ୍ଟାରର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ଲାସ୍, ଭିଡିଓ ଲେକ୍ଚର, ଅନୁଷ୍ଠାନ ୱେବ୍‌ସାଇଟରେ ପାଠ୍ୟ ଉପାଦାନକୁ ସ୍ଥାନିତ କରାଯିବା ସହିତ ଛାତ୍ରଛାତ୍ରୀଙ୍କୁ ଡାକ ମାଧ୍ୟମରେ ଷ୍ଟଡି ମ୍ୟାଟେରିଆଲ୍ ମଧ୍ୟ ପ୍ରେରଣ କରାଯାଇଛି। ଇଲେକ୍ଟ୍ରୋନିକ୍ସ୍ ଓ ଟେଲିକମ୍ୟୁନିକେସନ ବିଭାଗରୁ କିଛି ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତର ସରକାରୀ ତାଲିମ କେନ୍ଦ୍ର ଗାଜିଆବାଦସ୍ଥିତ ଉଚ୍ଚସ୍ତରୀୟ ଦୂରସଞ୍ଚାର ପ୍ରଶିକ୍ଷଣ ସଂସ୍ଥାନ ଦ୍ୱାରା ଅନ୍‌ଲାଇନ ପ୍ରଶିକ୍ଷଣ ଦିଆଯାଉଛି। ଲକ୍‌ଡାଉନ ପୂର୍ବରୁ ୬ଟି ବହୁରାଷ୍ଟ୍ରୀୟ କମ୍ପାନୀ ଦ୍ୱାରା କ୍ୟାମ୍ପସ୍ ଚୟନ ମାଧ୍ୟମରେ ୫ଟି ବିଭାଗର ୧୫୭ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ସେବା ପ୍ରଦାନ, ଗୁଣାତ୍ମକ ବୈଷୟିକ ଶିକ୍ଷା, ଅତ୍ୟାଧୁନିକ ଭିତ୍ତିଭୂମି ପାଇଁ ମୟୂରଭଞ୍ଜ ସ୍କୁଲ୍ ଅଫ ଇଂଜିନିୟରିଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ଶ୍ରଦ୍ଧା ଓ ବିଶ୍ବାସ ଭାଜନ ହୋଇଥିବା ଅନୁଷ୍ଠାନର ଅଧ୍ୟକ୍ଷ ଧରମବୀର ବୁଗୁଡ଼େଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର