ମଣ୍ଡିରେ ଧାନ ବିକ୍ରି ପାଇଁ ଅଡ଼ୁଆ ବଢିଛି 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମଣ୍ଡି ମାନଙ୍କରେ ଧାନ ବିକ୍ରି ପାଇଁ ଚାଷୀମାନେ ଅଡୁଆରେ ପଡିଛନ୍ତି । ଭିଜାଧାନ ବିକ୍ରି ପାଇଁ ମିଲର୍ସ ମାନଙ୍କ ନଖରାମି ଚାଷୀଙ୍କୁ ଦାଉ ସାଧୁଛି । ଫଳସ ଏଣ୍ଟ୍ରି ପାଇଁ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ରର ଚକ୍ରବ୍ୟୁହ ଭିତରେ ଚାଷୀ ଫସିଛନ୍ତି । ବ୍ୟାପକ କଟନୀ ଛଟନୀ ଯୋଗୁଁ ଚାଷୀ ବାଧ୍ୟ ହୋଇ ଅଧିକ କଟନୀ ଛଟନୀ ରେ ଦଲାଲ ମାନଙ୍କୁ ଧାନ ଟେକି ଦେବାକୁ ବାଧ୍ୟ ହେଉଛନ୍ତି । କୋଭିଡ ମୁକାବିଲା ଆଳ ନେଇ କେହି ମଧ୍ୟ ଚାଷୀଙ୍କ ଗୁହାରୀ ଶୁଣିବାକୁ ପ୍ରସ୍ତୁତ ନ ଥିବା ଯୋଗୁଁ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି ।

ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଆଜି ଭବାନୀପାଟଣା ସଦର ବ୍ଳକରେ ୨୭ ମିମି ବର୍ଷା ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଳକରେ ୪ ମିମି, ଧର୍ମଗଡ଼ ବ୍ଳକରେ ୨୭ ମିମି, ଜୁନାଗଡ଼ ବ୍ଳକରେ ୧୭ ମିମି, କଲମପୁର ବ୍ଳକରେ ୬.୩ମିମି ବର୍ଷା ସରକାରୀ ଭାବେ ରେକର୍ଡ ହୋଇଛି । ଝିପି ଝିପି ବର୍ଷା ଯୋଗୁଁ ମଣ୍ଡିର ଚାଷୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଭିଜାଧାନକୁ ନେଇ ମଣ୍ଡିରେ ଅଧିକ କଟନୀ ଛଟନୀ ପାଇଁ ମିଲର୍ସ ମାନେ ମୁଲଚାଳ କରୁଛନ୍ତି । ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଟାର୍ଗେଟ ସହିତ ୨୩ ଲକ୍ଷ ୯୭ ହଜାର ୨୮୬ କୁଇଣ୍ଟାଲ ଧାନ କ୍ରୟ ପାଇଁ ଧାର୍ଯ୍ୟ ରହିଛି । ଜିଲ୍ଲାରେ ୩୧ ଲକ୍ଷ ୩୧ ହଜାର ୩୩୫ କୁଇଣ୍ଟାଲ ୨ କେଜି ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି ।

ସରକାରୀ ଭାବରେ ମଣ୍ଡି ମାନଙ୍କରେ ୧୮ ହଜାର ୨୭୦ କୁଇଣ୍ଟାଲ ୬୩ କେଜି ଧାନ ମଣ୍ଡିରେ ପଡି ରହିଥିବା ଜଣାପଡିଛି । କିନ୍ତୁ ବାସ୍ତବରେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ ଏବେ ମଧ୍ୟ ମଣ୍ଡିରେ ପଡି ରହିଛି । ବିଭିନ୍ନ ସ୍ଥାନରେ ମିଲର୍ସ ମାନଙ୍କ ନଖରାମି ଯୋଗୁଁ ମଣ୍ଡିରେ ଭିଜା ଧାନକୁ ନେଇ ଦିନ ଦିନ ଧରି ପଡି ରହିଛନ୍ତି । ଚାଷୀ ଏ ସମସ୍ୟା ପାଇଁ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ଭାଷୀଙ୍କ ଏହି ଦୁର୍ଦ୍ଦିନ ବେଳେ ରାଜନେତା ଠାରୁ ଅଧିକାରୀ ପର୍ଯ୍ୟନ୍ତ କାହାରି ଦେଖାଦର୍ଶନ ମିଳୁନାହିଁ ।

କୋଭିଡ ମୁକାବିଲା ଆଳରେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସମସ୍ୟା ଶୁଣିବାକୁ ଧରାଛୁଆଁ ଦେଉନାହାନ୍ତି । ଜୁନାଗଡ଼ ବ୍ଲକର ତଳ ଜାରିଙ୍ଗ ମଣ୍ଡିର ଧାନ ଉଠୁ ନ ଥିବା ଯୋଗୁଁ ଚାଷୀମାନେ ଧାନ ବସ୍ତା ଧରି ମଣ୍ଡିରେ ପଡି ରହିଛନ୍ତି । ଟାର୍ଗେଟ ଆଳ ନେଇ ମିଲର୍ସ ମାନେ ମଣ୍ଡି କୁ ଯାଉନଥିବା ଯୋଗୁଁ ଚାଷୀମାନେ ଭିଜା ଧାନକୁ ଧରି ପଡି ରହିଛନ୍ତି । ଯୋଗାଣ ବିଭାଗର ଚକ୍ରାନ୍ତ ଯୋଗୁଁ ଚାଷୀମାନେ କମ ରେଟ ରେ ଦଲାଲ ହାତରେ ଟେକି ଦେଉଛନ୍ତି । ବର୍ତ୍ତମାନ ମୌସୁମୀ ବର୍ଷା ପହଞ୍ଚି ଥିବା ବେଳେ ଚାଷୀଙ୍କ ଧାନ କେବେ ବିକ୍ରି ହେବ ସେନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କେବେ ପହଡ଼ ଭାଙ୍ଗିବ ଚାଷୀମାନେ ଅପେକ୍ଷା କରି ରହିଛନ୍ତି । ତୁରନ୍ତ ରାଜ୍ୟ ସରକାର ଚାଷୀଙ୍କ ଧାନ ଉଠାଣ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର