ବାରବାଟୀ ଦିନିକିଆ: ଟିକଟ ସଂଖ୍ୟା କମିବ

ବିପଦସଙ୍କୁଳ ୭ ନମ୍ବର ଗ୍ୟାଲେରି ଟିକଟ ବିକ୍ରି ହୋଇନପାରେ, ସରକାରୀ ଏଜେନ୍ସି ଯନ୍ତ୍ରୀଙ୍କ ରିପୋର୍ଟ ଉପରେ ଭାଗ୍ୟ ନିର୍ଭର କରିବ

କଟକ: ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଦିନିକିଆ ଟିକଟ ସଂଖ୍ୟାରେ ହ୍ରାସ ପାଇବ। ଷ୍ଟାଡିୟମର ସର୍ବ ପୁରାତନ ଗ୍ୟାଲେରିର ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ଏହାର ଟିକଟଗୁଡ଼ିକ ବିକ୍ରି ହେବା ନେଇ ଆଶଙ୍କା ଦେଖାଦେଇଛି। ତେଣୁ ପ୍ରଥମେ ସରକାରୀ ଏଜେନ୍ସି ଯନ୍ତ୍ରୀ ଦଳ ଏହି ଗ୍ୟାଲେରି ଅନୁଧ୍ୟାନ କରିବାକୁ ଅନୁରୋଧ କରାଯିବ ଏବଂ ଯନ୍ତ୍ରୀଙ୍କ ରିପୋର୍ଟ ଉପରେ ଗ୍ୟାଲେରି ଭବିଷ୍ୟତ ନିର୍ଭର କରିବ। ଗ୍ୟା‌େଲରିର ମରାମତି ନିହାତି ଆବଶ୍ୟକ ହେଉଥିଲେ ବି ଆନ୍ତର୍ଜାତିକ ଦିନିକିଆ ପୂର୍ବରୁ ଏହା ବ୍ୟବହାର ଯୋଗ୍ୟ କି ନୁହେଁ ତାହା ଜାଣିବା ଜରୁରୀ। ଯଦି ଏହା ବିବଦସଙ୍କୁଳ ବୋଲି ରିପୋର୍ଟ ଆସେ, ତାହେଲେ ୭ ନମ୍ବର ଗ୍ୟାଲେରିର ଟିକଟ ବିକ୍ରି ବାତିଲ କରାଯିବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି।

ବାରବାଟୀ ଷ୍ଟାଡିୟମ ଆରମ୍ଭ ହେବା ଦିନଠୁ ପ୍ରଥମେ ଆଜବେଷ୍ଟସ୍‌ ଗ୍ୟାଲେରି ରହିଥିଲା। କିନ୍ତୁ ଡକ୍ଟର ହରେକୃଷ୍ଣ ମହତାବ ଓ ବସନ୍ତ ବିଶ୍ବାଳ ଅଲିମ୍ପିକ ସଂଘର ସଭାପତି ଓ ସମ୍ପାଦକ ଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ୧୯୮୭-୮୮ ମସିହାରେ ଏହି ଗ୍ୟାଲେରିର ଉଦ୍‌ଘାଟନ କରାଯାଇଥିଲା। ଏହାପରଠୁ ପର୍ଯ୍ୟାୟକ୍ରମେ ଅନ୍ୟ ଗ୍ୟାଲେରିଗୁଡ଼ିକର ନିର୍ମାଣ କରାଯାଇଥିଲା। ଏଥିପୂର୍ବରୁ ଷ୍ଟାଡିୟମରେ ୪ଟି ଗ୍ୟାଲେରି ରହିଥିଲା। କିନ୍ତୁ ଉକ୍ତ ନୂଆ ଗ୍ୟାଲେରି ନିର୍ମାଣ ହେବା ପରେ ଏହାକୁ ୫ ନମ୍ବର ଗ୍ୟାଲେରି କୁହାଗଲା। ପରବର୍ତ୍ତୀ ସମୟରେ ୧ ନମ୍ବର ଓ ୨ ନମ୍ବର ଗ୍ୟାଲେରି ଉପରେ ୨୦୧୨ ମସିହା ବେଳକୁ ନୂଆ ଗ୍ୟାଲେରି ନିର୍ମାଣ ହେବା ପରେ ସମସ୍ତ ଗ୍ୟାଲେରିଗୁଡ଼ିକର ସଂଖ୍ୟାରେ ପରିବର୍ତ୍ତନ କରାଯାଇଥିଲା ଓ ଉକ୍ତ ଗ୍ୟାଲେରି ୭ ନମ୍ବରର‌ ଭାବେ ପରିଗଣିତ ହେଲା।

ତେବେ ୭ ନମ୍ବର ଗ୍ୟାଲେରି ନିର୍ମାଣ ହେବା ପରଠୁ ଏହାର ଆଉ ମରାମତି ହୋଇନଥିଲା। ଗତ କିଛି ମାସ ଧରି ଗ୍ୟାଲେରିରୁ କଂକ୍ରିଟ ଛେଲା ଖସୁଥିବା ଲକ୍ଷ୍ୟ କରାଯାଇ ଆସୁଛି। ଅଲିମ୍ପିକ ସଂଘଠୁ ଲିଜ୍‌ରେ ବାରବାଟୀ ଷ୍ଟାଡିୟମକୁ ଓଡ଼ିଶା କ୍ରିକେଟ ସଂଘ ନେଇଥିବାରୁ ଗ୍ୟାଲେରିର ମରାମତି ଦାୟିତ୍ବ ମଧ୍ୟ ଓସିଏ ବହନ କରିବ। କିନ୍ତୁ ଗତ ତିନିବର୍ଷ ଧରି ପାଣ୍ଠି ଅଭାବ କାରଣରୁ ମରାମତି କରାଯାଇପାରିନାହିଁ। ହେଲେ ଆନ୍ତର୍ଜାତିକ ଦିନିକିଆ ପାଇଁ ଘୋଷଣା ହେବା ପରଠୁ ଷ୍ଟାଡିୟମର ଯାଞ୍ଚ କରାଯିବା ବେଳେ ଗ୍ୟାଲେରିର ଦୂରାବସ୍ଥା ସାମ୍ନାକୁ ଆସିଥିଲା। ଏପରିକି ଗତ ‘ଫନି’ ବାତ୍ୟା ବେଳେ ଗ୍ୟାଲେରିର କିଛି ଅଂଶ କ୍ଷତି ହୋଇଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ମରାମତି ପାଇଁ ପାଣ୍ଠି ନଥିବାରୁ ସମସ୍ତେ ହାତ ବାନ୍ଧି ବସିଥିଲେ। ଏବେ ହାତରେ ଆଉ ଦେଢ ମାସ ସମୟ ଥିବାରୁ ଏହି ସମୟ ମଧ୍ୟରେ ଗ୍ୟାଲେରି ମରାମତି ସମ୍ଭବ ନୁହେଁ। ତଥାପି ଯନ୍ତ୍ରୀଙ୍କ ରିପୋର୍ଟରେ ଯଦି ଏହା ବ୍ୟବହାର ଯୋଗ୍ୟ ହୁଏ, ତାହେଲେ ସର୍ବନିମ୍ନ ମରାମତି କରାଯାଇ ମ୍ୟାଚ୍‌ ପାଇଁ ଟିକଟ ବିକ୍ରି ହୋଇପାରେ। କିନ୍ତୁ ଏହା ବିପଦସଙ୍କୁଳ ବୋଲି ରିପୋର୍ଟ ଆସିଲେ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଟିକଟ ବିକ୍ରି କରାଯାଇନପାରେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ୭ ନମ୍ବର ଗ୍ୟାଲେରିର କ୍ଷମତା ୪୮୦୦। ବାରବାଟୀ ଷ୍ଟାଡିୟମରେ ୫୫୦୦୦ ଦର୍ଶକଙ୍କ ପାଇଁ ବସିବା ବ୍ୟବସ୍ଥା ଥିବାବେଳେ, ଯଦି ଉକ୍ତ ଗ୍ୟାଲେରି ଟିକଟ ବିକ୍ରି ନହୁଏ ତାହେଲ ଦର୍ଶକଙ୍କ ସଂଖ୍ୟା ୫୦ ହଜାରକୁ ଖସିଯିବା ସମ୍ଭାବନା ରହିଛି। ତଥାପି ଯାହା କ୍ଷତି ହେଲେ ହେଉ ପଛେ ଦର୍ଶକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ, ଆବଶ୍ୟକ ହେଲ ଏହି ଗ୍ୟାଲେରି ବନ୍ଦ କରି ଦିଆଯିବ ବୋଲି ସଂଜୟ କହିଛନ୍ତି।

ସମ୍ବନ୍ଧିତ ଖବର