ଭୁବନେଶ୍ୱର : ମହାନଦୀ ଜଳକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଲାଗି ରହିଛି ବିବାଦ। ଛତିଶଗଡ଼ ସରକାର ମହାନଦୀରେ ବ୍ୟାରେଜ କରି ପାଣିକୁ ଅଟକାଇବା ଫଳରେ ଓଡ଼ିଶାରେ ମହାନଦୀରେ ଜଳପ୍ରବାହ ହ୍ରାସ ପାଇବା ସହ ମହାନଦୀ କ୍ରମେ ଶୁଖିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ପକ୍ଷରୁ ଛତିଶଗଡ଼ ସରକାରଙ୍କ ମନମୁଖି କାର୍ଯ୍ୟ ବିରୋଧରେ ଆନ୍ଦୋଳନମାନ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏପରିସ୍ଥଳେ ମହାନଦୀ ସୁୁରକ୍ଷା ପାଇଁ ବିଜେଡି ଆରମ୍ଭ କରିବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ ଯାତ୍ରା। ମେ ୧୬ ତାରିଖରେ ଝାରସୁଗୁଡ଼ାର ଲଖନପୁର ବ୍ଲକ୍ ସୁଖାଶୋଡ଼ାରୁ ଆରମ୍ଭ ହେବ ସଚେତନତା ଅଭିଯାନ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଖାଶୋଡ଼ାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ଏହାପରେ ବରଗଡ଼ର ଆମ୍ବାଭୋନା ବ୍ଲକରେ ଚିଖିଲିଠାରେ ବି ଅନ୍ୟ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ଦେଇ ୧୫ ଦିନ ପର୍ଯ୍ୟନ୍ତ ଚାଲିବ।
ଏହି ସମୟରେ ବାଟରେ ଶତାଧିକ ପଥପ୍ରାନ୍ତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ମନ୍ଦିରରେ ଜଳ ଆଳତି କରାଯିବ। ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କରି ଛତିଶଗଡ଼ ପୁଣି ଏକ ବ୍ୟାରେଜ୍ ପାଇଁ ଟେଣ୍ଡର ଡକାଇଥିବା କହିଛି ବିଜେଡି। କେନ୍ଦ୍ର ସରକାର ସମସ୍ୟା ସମାଧାନରେ ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି । ମହାନଦୀ ସଚେତନତା ଯାତ୍ରାରେ ସବୁ ଦଳ ଓ ବୁଦ୍ଧିଜୀବୀ ସାମିଲ ହେବାକୁ ଆହ୍ଵାନ ଦେଇଛି ବିଜେଡି।