ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର

ବଲାଙ୍ଗୀର/ପାଟଣାଗଡ଼/ବେଲପଡ଼ା : ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ। ଏକ ଦାଖଲ ଖାରଜ ମାମଲା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

ସୂଚନା ଅନୁସାରେ, ବେଲପଡ଼ା ତହସିଲ କାର୍ଯ୍ୟାଳୟରେ ଯୁବା ପଞ୍ଚାୟତ ସାତଚୁଆଁ ଗାଁର ଅର୍ଜୁନ ଶବରଙ୍କ ଏକ ଜମି ଦାଖଲ ଖାରଜ ମାମଲା ରହିଥିଲା। ତାଙ୍କ ନାମରେ ଆଦେଶ କରାଇବା ପାଇଁ ସେକ୍ସନ ଅଫିସର ଶ୍ରୀ ରାଉତ ୧୫ ହଜାର ଟଙ୍କା ଦାବି କରିଥିଲେ। ଶ୍ରୀ ଶବର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ଟିମ୍‌ ଯୋଜନା ମୁତାବକ ଶ୍ରୀ ଶବରଙ୍କୁ ରାସାୟନିକ ପ୍ରଲେପ ଲଗା ୧୫ ହଜାର ଟଙ୍କା ଦେଇଥିଲେ। ଶୁକ୍ରବାର ଶ୍ରୀ ରାଉତ ପାଟଣାଗଡ଼ ବଡ଼ପଡ଼ାସ୍ଥିତ ନିଜଘରୁ ବାହାରି ବେଲପଡ଼ା ତହସିଲ ଅଫିସ ଯିବାପାଇଁ କଲେଜ ଛକଠାରେ ପହଞ୍ଚିଥିଲେ। ଏହିସମୟରେ ସେ ଶ୍ରୀ ଶବରଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍‌ ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରି ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ପରେ ତାଙ୍କ ପାଟଣାଗଡ଼ ବଡ଼ପଡ଼ାସ୍ଥିତ ଘର ଓ ବେଲପଡ଼ା ତହସିଲ କାର୍ଯ୍ୟାଳୟକୁ ନେଇ ତଦନ୍ତ କରିଥିଲେ। ତାଙ୍କୁ ବଲାଙ୍ଗୀର ନିଆଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର