ସୁରକ୍ଷା କର୍ମୀଙ୍କୁ ବୀଭତ୍ସ ହତ୍ୟା : କାଟିଦେଲେ ଗୁପ୍ତାଙ୍ଗ, ଯୁବତୀ ଓ ୪ ଯୁବକ ଅଟକ
ନୀଳଗିରି : ନୀଳଗିରି ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେବା ସହ ମୁଣ୍ଡ ଓ ଛାତିକୁ ହାଣି ଅତି ଅମାନୁଷିକ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ପଛରେ ପ୍ରେମ କାହାଣୀ ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଖବର ପାଇ ନୀଳଗିରି ପୁଲିସ, ଏସ୍ଡିପିଓ ଓ ଏସ୍ପି ସନ୍ଧାନୀ କୁକୁର ଓ ଫରେନ୍ସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚାଲୁ ରଖିଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଜାମୁଡିହା ପଞ୍ଚାୟତ କେଶୁରା ଗାଁର ବିଜୟ ସିଂହ(୪୦)। ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ପାରିପାର୍ଶ୍ବିକ ଅବସ୍ଥାରୁ ପୁଲିସ ସନ୍ଦେହ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ବିଜୟ ନୀଳଗିରିସ୍ଥିତ ମାନାପ୍ପୁରମ ଗୋଲ୍ଡ ଲୋନ୍ କମ୍ପାନିରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ନିଜର ଡ୍ୟୁଟି ସାରି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଘରେ ପହଞ୍ଚିଥିଲେ। ସେଦିନ ତାଙ୍କ ଶାଳକ ସଜନାଗଡ଼ନିବାସୀ ସଂଜୟ କୁମାର ନାୟକଙ୍କ ଝିଅର ଜନ୍ମଦିନ ଥିବାରୁ ତାଙ୍କ ସ୍ତ୍ରୀ କୌଶଲ୍ୟା ଝିଅକୁ ନେଇ ସେଠାକୁ ଯାଇଥିଲେ। ରାତିରେ ବିଜୟ ଘରେ ଏକୁଟିଆ ଖାଇପିଇ ଶୋଇଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ବିଳମ୍ବିତ ରାତିରେ ହତ୍ୟାକାରୀମାନେ ସେଠାରେ ପହଞ୍ଚି ପ୍ରଥମେ ବିଜୟଙ୍କୁ ତାଲା ଖୋଲିବା ପାଇଁ କହିଥିଲେ। ସେମାନଙ୍କୁ ଚିହ୍ନିଥିବାରୁ ବିଜୟ ତାଲା ଖୋଲି ଦେଇଥିଲେ। ପରେ ବିଜୟ ଓ ହତ୍ୟାକାରୀମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଅଭିଯୁକ୍ତମାନେ ଉତ୍କ୍ଷିପ୍ତ ହୋଇ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ବିଜୟଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଜୀବନ ବଞ୍ଚାଇବା ପାଇଁ ବିଜୟ ରକ୍ତ ଜୁଡୁବୁଡୁ ହୋଇ ଘର ଭିତରେ ଦୌଡ଼ିଥିବା ସନ୍ଦେହ କରାଯାଉଛି। ଏହାପରେ ଦୁର୍ବୃତ୍ତମାନେ ବିଜୟଙ୍କ ୨ ପଟ ଛାତି, ବେକରେ ହାଣିଥିବା ଦେଖିବାକୁ ମିଳିଛି। ହତ୍ୟାକାରୀମାନେ ପ୍ରମାଣ ନଷ୍ଟ କରିବା ପାଇଁ ପଛପଟ ବାଡ଼ ଡେଇଁ ପଳାଇ ଯାଇଥିବା ଜଣାପଡ଼ିଛି। ରାତିରେ ଏତେ ବଡ଼ ଘଟଣା ଘଟି ଯାଇଥିଲେ ବି ପଡ଼ୋଶୀମାନେ ଏହାର ସାମାନ୍ୟତମ ସୁରାକ ପାଇନଥିଲେ।
ଆଜି ସକାଳେ ବିଜୟଙ୍କ ସ୍ତ୍ରୀ କୌଶଲ୍ୟା ଘରକୁ ଫେରିବା ଡେରିହେବାରୁ ତାଙ୍କର ଛେଳିଗୁଡ଼ିକୁ ଫିଟାଇଦେବାକୁ ପଡ଼ୋଶୀ ସୁମନ୍ତ ସ୍ବାଇଁଙ୍କ ସ୍ତ୍ରୀ ସୁମତିଙ୍କୁ ଫୋନ୍ ଯୋଗେ କହିଥିଲେ। ସୁମତି ବିଜୟଙ୍କ ଘରକୁ ଯାଇ ଏପରି ବୀଭତ୍ସ ଦୃଶ୍ୟ ଦେଖି ସଂଗେସଂଗେ ଏ ବାବଦରେ କୌଶଲ୍ୟାଙ୍କୁ ଫୋନ୍ କରି ଜଣାଇଥିଲେ। ଖବରପାଇ ନୀଳଗିରି ଆଇଆଇସି ନଳିତା ମୋଦି ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଏସ୍ଡିପିଓ ସୁଦାମ ଚରଣ ସାହୁ, ଏସ୍ପି ବି. ଯୁଗଳକିଶୋର କୁମାର ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିବା ସହ ତଦନ୍ତ କରିଥିଲେ। ବିଜୟଙ୍କ ଶବକୁ ନୀଳଗିରି ମେଡିକାଲରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ନୀଳଗିରି ଥାନାରେ ୧୮୩/୧୯ ନଂ ହତ୍ୟା ମାମଲା ରୁଜୁ କରାଯାଇଛି।
ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ କୁହାକୁହି ହେଉଛନ୍ତି। ପୁଲିସ ମଧ୍ୟ ଏହି ବ୍ୟାପାରରେ ଜଣେ ଯୁବତୀ ଓ ଜଣେ ଯୁବକ ଏବଂ ଯୁବକର ୩ ଜଣ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରେ ପୁଲିସ ହାତରେ କିଛି ସୁରାକ ଲାଗିଥିବା ବେଳେ ଖୁବ୍ଶୀଘ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହେବ ବୋଲି ପୁଲିସ କହିଛି।