ଚାଷୀଙ୍କୁ ଗୁଣାତ୍ମକ ବିହନ ଯୋଗାଣ ଉପରେ ଗୁରୁତ୍ୱ : ରାଜ୍ୟ ବାହାରୁ ଆଉ ଅଧିକ ବିହନ ଆସୁନି – ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଚାଷୀଙ୍କୁ ଗୁଣା‌ତ୍ମକ ମାନର ବିହନ ଯୋଗାଇ ଦିଆଯାଉ। ‌େସମାନେ ଯେପରି କମ୍ ଜମିରୁ ଅଧିକ ଅମଳ କରିପାରିବେ। ନିମ୍ନ ମାନର ବିହନ ଦେଉଥିବା ଲୋକଙ୍କ ପ୍ରତି ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆଜି ବିଧାନସଭାର ପ୍ରଶ୍ନକାଳରେ ବିଧାୟକମାନେ ଏମିତି ପ୍ରତିକ୍ରିୟା ପ୍ରକାଶ କରିଥିଲେ। କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତରରେ କହିଥିଲେ ଯେ ବିହନର ଗୁଣାତ୍ମକ ମାନ ପ୍ରତି ସରକାର ସଚେତନ ଅଛନ୍ତି। ଗତ କିଛି ବର୍ଷ ହେଲା ଏପରି ଅଭିଯୋଗ ବିଶେଷ ଆସୁନି। ରାଜ୍ୟ ବାହାରୁ ମଧ୍ୟ ଆଉ ଅଧିକ ବିହନ ଆସୁ ନାହିଁ। ରାଜ୍ୟ ଭିତରୁ ଭଲ ବିହନ ପ୍ରସ୍ତୁତ କରାଯାଉଛି।

ରାଜ୍ୟରେ କୃଷି ଫାର୍ମ ସ୍ଥିତି ସମ୍ପର୍କରେ ତାରା ପ୍ରସାଦ ବାହିନୀପତି ପଚାରିଥିବା ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଆଲୋଚନା। ମନ୍ତ୍ରୀଙ୍କ ଉତ୍ତର ଥିଲା, ରାଜ୍ୟରେ ଏବେ ୬୩ଟି କୃଷି ଫାର୍ମ ଓ ୮୫ଟି ଉଦ୍ୟାନ କୃଷି ଫାର୍ମ ଅଛି। ତାହା ମଧ୍ୟରୁ ୪ଟି କୃଷି ଫାର୍ମ ଓ ୫ଟି ଉଦ୍ୟାନ କୃଷି ଫାର୍ମ ପୁନରୁଦ୍ଧାର ଅବସ୍ଥାରେ ନାହାନ୍ତି। ଏହି ଅଚଳ ଫାର୍ମଗୁଡ଼ିକ କାର୍ଯ୍ୟକ୍ଷମ କରିବାର ପ୍ରଚେଷ୍ଟା ବୈଷୟିକ ଦୃଷ୍ଟିକୋଣରୁ ଲାଭଦାୟକ ହୋଇ ନ ଥିବାରୁ ଏଗୁଡ଼ିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯାଇ ନାହିଁ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ ଉଦ୍ୟାନ କୃଷି ମିସନ୍ ମାଧ୍ୟମରେ ଫାର୍ମଗୁଡ଼ିକର ଆଧୁନିକୀକରଣ କରାଯାଉଛି। ସରକାରୀ କୃଷି ଫାର୍ମରେ ସାଧାରଣତଃ ପିଣ୍ଡ ବିହନ ଉତ୍ପାଦନ ହୋଇଥାଏ। ଏହି ପିଣ୍ଡ ବିହନ ପ୍ରାମାଣିତ ବିହନ ଉତ୍ପାଦନରେ ବ୍ୟବହାର ‌େହାଇଥାଏ। କିନ୍ତୁ ରାଜ୍ୟର ବିହନ ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ବାହାରୁ ଆବଶ୍ୟକ ସ୍ଥଳେ ଧାନ ଓ ମୁଖ୍ୟତଃ ଅଣଧାନ ବିହନ ଚାଷୀଙ୍କ ଚାହିଦା ମୁତାବକ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥାଏ। ଏହା ବାଦ୍ ଆମ ରାଜ୍ୟରେ ଉଦ୍ୟାନ କୃଷି ଫାର୍ମଗୁଡ଼ିକରୁ ଉତ୍ପାଦିତ ବିଭିନ୍ନ ଉନ୍ନତ କିସମର କଲମୀ ଫଳ ଚାରା କୃଷକମାନଙ୍କୁ ଯୋଗାଇ ଦିଆଯାଉଛି। ତେବେ ରାଜ୍ୟରେ ଉତ୍ପାଦିତ ହେଉ ନ ଥିବା ଅନ୍ୟ ଜାତୀୟ କଲମୀ ଫଳ ଚାରା ବା ପେଷିପୋଷଣ ଚାରା ଅନ୍ୟ ରାଜ୍ୟରୁ ଅଣାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାହିନୀପତି କହିଥିଲେ ଯେ ଆମ ରାଜ୍ୟରେ ଥିବା ଫାର୍ମଗୁଡ଼ିକୁ ଆହୁରି ଦୃଢ଼ କରି ଏଠାରୁ ବିହନ ଯୋଗାଣ ହେଉ। ରାଜ୍ୟ ବାହାରୁ ଆଉ ବିହନ ଆଣିବାର ଆବଶ୍ୟକତା ନାହିଁ। ପ୍ରୀତିରଞ୍ଜନ ଘଡ଼ାଇ କହିଥିଲେ ଯେ ସୁକିନ୍ଦାରେ ବିହନ ଫାର୍ମ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ତାହାକୁ ପୁନରୁଦ୍ଧାର କରାଯାଉ। କେବେକେବେ ଚାଷୀଙ୍କୁ ନିମ୍ନ ମାନର ବିହନ ଯୋଗାଣ ହେଉଛି। ଫଳରେ ସେମାନେ ବହୁତ କ୍ଷତି ‌ସହୁଛନ୍ତି। କିନ୍ତୁ କୌଣସି ଫୋରମ୍‌ରୁ ସେମାନଙ୍କୁ ନ୍ୟାୟ ମିଳୁନି। ଏ ଦିଗରେ ପଦକ୍ଷେପ ନିଆଯାଉ। ନିତ୍ୟାନନ୍ଦ ଗଣ୍ଡ ଉମରକୋଟ କୃଷି ଫାର୍ମର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସୁରେଶ ରାଉତରାୟ ଡେରାସ କୃଷି ଫାର୍ମର ଆଧୁନିକୀକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ଅରବିନ୍ଦ ଢାଲି ଓ ପ୍ରଦୀପ ଅମାତ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର