ସେଲ୍‌ ସ୍ଵର୍ଣ୍ଣ ଜୟନ୍ତୀ ଟେବଲ ଟେନିସ: ଆର୍‌ଏସ୍‌ପି ଚାମ୍ପିୟନ

ରାଉରକେଲା: ସେଲ୍‌ର ୫୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଆୟୋଜିତ ‘ସ୍ଵର୍ଣ୍ଣ ଜୟନ୍ତୀ ଟେବଲ ଟେନିସ’ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଚାମ୍ପିଅନ ହୋଇଛି। ସେହିଭଳି ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ୍‌(ଡିଏସ୍‌ପି) ଉପବିଜେତା ଓ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ ତୃତୀୟ ସ୍ଥାନ ଅଧିକାର କରିଛି।

ପ୍ରତିଯୋଗିତା ସ୍ବେଥ୍‌ଲିଂ କପ୍‌ ପଦ୍ଧତିରେ ଖେଳାଯାଇଥିଲା। ସର୍ବାଧିକ ପଏଣ୍ଟ୍‌ ହାସଲକାରୀ ଦଳ, ଆର୍‌ଏସ୍‌ପି ଓ ଡିଏସ୍‌ପି ମଧ୍ୟରେ ଶ୍ରେଷ୍ଠ-୫ ମ୍ୟାଚ୍‌ ଖେଳାଯାଇଥିଲା; ଯାହାକି ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମ ମ୍ୟାଚ୍‌ରେ ଡିଏସ୍‌ପିର ଦୀପରଞ୍ଜନ ଚୌଧୁରୀ ୩-୧ରେ ଆର୍‌ଏସ୍‌ପିର ଆଲବର୍ଟ କିଣ୍ଡୋଙ୍କୁ ପରାସ୍ତକରି ଦଳକୁ ଆଗୁଆ କରିଥିଲେ। ତେବେ ପରବର୍ତ୍ତୀ ଦୁଇ ମ୍ୟାଚ୍‌କୁ ଆର୍‌ଏସ୍‌ପି ଖେଳାଳି ଜିତିନେଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଆର୍‌ଏସ୍‌ପିର ରାଜେଶ ଚୌଧୁରୀ ସିଧାସଳଖ ୩-୦ ସେଟ୍‌ରେ ପ୍ରତିପକ୍ଷ ସଞ୍ଜୟ ସରକାରଙ୍କୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚ୍‌ରେ ଡ. ସଞ୍ଜୟ ତିୱାରୀ ୩-୧ ସେଟ୍‌ରେ ଡିଏସ୍‌ପିର କୌଶିକ ଭଟ୍ଟାଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ତେବେ ଚତୁର୍ଥ ମ୍ୟାଚ୍‌ରେ ଡିଏସ୍‌ପିର ଦୀପରଞ୍ଜନ ଚୌଧୁରୀ ୩-୦ ସେଟ୍‌ରେ ଆଏସ୍‌ପିର ରାଜେଶ ଚୌରାସିଆଙ୍କୁ ପରାସ୍ତକରି, ସ୍ଥିତି ୨-୨ରେ ବରାବର କରିଥିଲେ। ଫଳରେ ନିର୍ଣ୍ଣାୟକ ୫ମ ମ୍ୟାଚ୍‌ରେ ଆର୍‌ଏସ୍‌ପିର ରାଜେଶ ଚୌରାସିଆ ଓ ଡିଏସ୍‌ପିର ଦୀପରଞ୍ଜନ ଚୌଧୁରୀଙ୍କ ମୁହାଁମୁହିଁ ହୋଇଥିଲେ।

ତେବେ ଏଥିରେ ରାଜେଶ ଏକତରଫାଭାବେ ତିନି ସେଟ୍‌କୁ ୧୧-୧, ୧୧-୦ ଓ ୧୧-୨ରେ ଜିତିନେଇଥିଲେ। ତୃତୀୟ ସ୍ଥାନ ପାଇଁ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଓ ସେଣ୍ଟ୍ରାଲ ମାର୍କେଟିଂ ଅର୍ଗନାଇଜେସନ(ସିଏମ୍‌ଓ) ମଧ୍ୟରେ ଖେଳାଯାଇଥିଲା। ଏଥିରେ ଭିଏସ୍‌ପିର ଖେଳାଳି ସିଧାସିଳଖ ପ୍ରଥମ ତିନି ମ୍ୟାଚକୁ ଜିତି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ପ୍ରକାଶଥାଉକି, ସେକ୍ଟର-୨୦ସ୍ଥ ଇନଡୋର ଷ୍ଟାଡିୟମରେ ତିନି ଦିନ ଧରି ପ୍ରତିଯୋଗିତା ଚାଲିଥିଲା। ଏଥିରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ସମେତ ବିଏସଏଲ(ବୋକାରୋ), ସେଲ୍‌ କର୍ପୋରେଟ ଅଫିସ(ନୂଆ ଦିଲ୍ଲୀ), ଆଇଏସପି,ଏଏସପି, ବିଏସପି, ଡିଏସପି, ଏସଏସପି, ସିଏମଓ ଏବଂ ଚନ୍ଦ୍ରପୁର ଦଳ ଅଂଶଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଆର୍‌ଏସ୍‌ପି ଇଡି ପି.କେ. ଶତପଥୀ ଯୋଗଦେଇ ବିଜୟୀ ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର