ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଷୋୟୀ ହେବେ ସୂଚନା କମିସନର୍‌

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଷୋୟୀ ହେବେ ରାଜ୍ୟ ସୂଚନା କମିସନର୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଶ୍ରୀ ବିଷୋୟୀଙ୍କ ନାମ ସୁପାରିସ୍ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କମିଟିରେ ବିରୋଧୀ ଦଳ ନେତା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଦସ୍ୟ ଅଛନ୍ତି। ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ।

ତିନି ଦଶନ୍ଧିରୁ ଅଧିକ ସମୟ ଧରି ସାମ୍ବାଦିକତା ଜଗତରେ କାର୍ଯ୍ୟରତ ଥିବା ଶ୍ରୀ ବିଷୋୟୀ ‘ସମ୍ବାଦ’ରୁ ତାଙ୍କ ସାମ୍ବାଦିକତା ଆରମ୍ଭ କରିଥିଲେ। ଏହା ପରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଓ ଫାଇନାନ୍ସିଆଲ୍‌ ଏକ୍ସପ୍ରେସ୍‌ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ଦୈନିକ ଖବରକାଗଜ ‘ସମୟ’ର ସମ୍ପାଦକ ଓ ପରେ ଏମ୍‌ବିସି ଟିଭିର ମୁଖ୍ୟ ସମ୍ପାଦକ ଭା‌େବ ଦାୟିତ୍ବ ଗ୍ରହଣ କରିଥିଲେ। ଅର୍ଥନୀତି ଓ ରାଜନୀତିର ଜଣେ ସମୀକ୍ଷକ ଭାବେ ତାଙ୍କର ଖ୍ୟାତି ରହିଛି।

ବର୍ତ୍ତମାନ ମୁଖ୍ୟ ସୂଚନା କମିସନର୍‌ ଭାବେ ସୁନିଲ କୁମାର ମିଶ୍ର କାର୍ଯ୍ୟରତ ଥିଲା ବେଳେ ଏକମାତ୍ର କମିସନର୍‌ ଭାବେ ବାଳକୃଷ୍ଣ ମହାପାତ୍ର କାର୍ଯ୍ୟ କରୁଛନ୍ତି। ଗତ ଜୁନ୍ ୧୫ ତାରିଖରେ ଅନ୍ୟତମ ସୂଚନା କମିସନର୍‌ ଶଶିପ୍ରଭା ବିନ୍ଧାଣୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ମୁଖ୍ୟ ସୂଚନା କମିସନର୍‌ଙ୍କ ବାଦ୍ ସର୍ବାଧିକ ୧୦ ଜଣ ସୂଚନା କମିସନର୍‌ ଭାବେ ନିଯୁକ୍ତି ପାଇପାରିବେ। ବର୍ତ୍ତମାନ ଶ୍ରୀ ବିଷୋୟୀଙ୍କୁ ମିଶାଇଲେ ମାତ୍ର ଦୁଇ ଜଣ କମିସନର୍‌ ରହିବେ। ଖୁବ୍ ଶୀଘ୍ର ଆଉ ଦୁଇ ଜଣଙ୍କୁ ସୂଚନା କମିସନର୍‌ ଭାବେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର