ପିସିସିର ସବୁ କମିଟିରୁ ଇସ୍ତଫା ଦେଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସବୁ କମିଟିରୁ ଶ୍ରୀକାନ୍ତ ଜେନା ଇସ୍ତଫା ଦେଇଛନ୍ତି। ପ୍ରଦେଶ କଂଗ୍ରେସର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ ଶ୍ରୀକାନ୍ତ ଜେନା । ତେବେ (ପିସିସି)ର ସବୁ କମିଟିରୁ ଇସ୍ତଫା ନେଇ ଶ୍ରୀକାନ୍ତ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅବଗତ କରାଇଥିବା ମଧ୍ୟ ଜଣାପଡ଼ିଛି । ଗତ କିଛି ଦିନ ତଳେ ଶ୍ରୀକାନ୍ତଙ୍କୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯାଇଥିଲା । ଏବଂ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ।

ଶ୍ରୀକାନ୍ତ ଦଳ ଭିତରେ ଥାଇ ଦଳକୁ ଅଡୁଆରେ ପକାଇବାକୁ ଶ୍ରୀକାନ୍ତ ବାରମ୍ବାର ଉଦ୍ୟମ କରୁଥିବା ଅଭିଯୋଗ ହୋଥିଲା । ଏବଂ ଯାହାର ପ୍ରତିଫଳନ ତାଙ୍କୁ ପିସିସି ଇସ୍ତାହାର ଅଧ୍ୟକ୍ଷ ପଦବୀରୁ ହିଁ ହଟାଯିବା ପରେ ସ୍ପଷ୍ଟ ହୋଇଥିଲା। ପିସିସି ପୁର୍ନଗଠନ ହେବା ପରେପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିବାଦୀୟ ହୋଇପଡ଼ିଥିଲେ ଶ୍ରୀକାନ୍ତ । ଏହାସହ କୃଷ୍ଣ ସଗରିଆଙ୍କୁ ମଧ୍ୟ ଶ୍ରୀକାନ୍ତ ଉସୁକାଉଥିଲେ ବୋଲି ଦଳରେ ହଟ ଟପିକ୍‌ ପାଲଟିଥିଲା । ତେବେ ଏନେଇ ପିସିସି ସଭାପତି ପୂର୍ବରୁ ମଧ୍ୟ କହିଥିଲେ ଯେ, ଦଳରେ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ ।

ଆଗକୁ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଘର ସଜାଡ଼ି ହେଉ ନଥିବାବେଳେ ଏବେ ଶ୍ରୀକାନ୍ତ ଏଭଳି ନିଷ୍ପତି ଦଳକୁ ଫାଇଦା ଦେବ ନା ଆଗକୁ ସମସ୍ୟା ସୃଷ୍ଟି କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର