ଶିବମୟ ପରିବେଶ….ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ସାଜିପାରିଲାନି ବାଧକ, ବିନା ଭକ୍ତରେ ଉଠିଲା ମହାଦୀପ

ମେଳା ମହ‌ୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ନା

ବାରିପଦା: ଭକ୍ତ ଓ ଭଗବାନ ଶିବଙ୍କ ମଧ୍ୟରେ କରୋନା ସାଜିପାରିଲାନି ବାଧକ। ଆଜି ପବିତ୍ର ମହା ଶିବରାତ୍ରୀ ଅବସରରେ ଶିବମୟ ହୋଇପଡ଼ିଥିଲା ପୁରା ମୟୂରଭଞ୍ଜ। ଓଁ ନମୋଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଶିବାଳୟ। ତେବେ କରୋନା କାରଣରୁ କିନ୍ତୁ ଭକ୍ତ ମନ‌ରେ ଯେଉଁ ସରାଗ ରହିବା କଥା ତାହା କିନ୍ତୁ ଦେଖିବାକୁ ମିଳିନଥିଲା। ସେହିପରି ବିନା ଭକ୍ତରେ ଚଳିତ ବର୍ଷ ଜାଗରରେ ମହାଦ୍ବୀପ ଉଠିଛି। ଯଦିଓ ମନ୍ଦିର ଯାଇ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ଥିଲା, ତଥାପି ମହାଦ୍ବୀପ ଉଠିବା ସମୟରେ ଭକ୍ତଙ୍କ ସମାଗମକୁ ପ୍ରଶାସନ ବାରଣ କରିଛି। ତେଣୁ ମହାଦ୍ବୀପ ଉଠିବାବେଳେ ବିଭିନ୍ନ ଶିବାଳୟରେ ଭକ୍ତଙ୍କ ସମାଗମ ବେଶ୍‌ କ୍ଷୀଣ ଥିଲା।

ଆଜି ସକାଳୁ ସକାଳୁ ଜିଲ୍ଲା ସଦରମହକୁମା ବାରିପଦାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। କୈଳାଶପତିଙ୍କ ଦର୍ଶନ ଏବଂ ଶିବ ଆରାଧନା ନିମନ୍ତେ ଭକ୍ତମାନେ ମନ୍ଦିରରେ ଲମ୍ବା ଲାଇନ୍‌ ଲଗାଇଥିବା ଦେଖିବାକୁ ମିଳିଥିଲା। କରୋନା କଟକଣା କାରଣରୁ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ଜାଗର ଜାଳିବା ବାରଣ କରାଯାଇଛି। ରାଜାରାଜୁଡ଼ା ଅମଳର ବାରିପଦା ସହରର ବାରୁଣୀଘାଟ ବାରୁଣେଶ୍ୱର ଶୈବପୀଠରେ ଆଜି ପ୍ରତ୍ୟୁଷରୁ ଦିନସାରା ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା । ପାଗ ଅନୁକୁଳ ଥିବାରୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ମଧ୍ୟ ବହୁ ସଂଖ୍ୟାରେ ଶୈବ ଭକ୍ତ ଏଠାକୁ ଦର୍ଶନ କରିବାକୁ ଆସିଥିବା ପରିଲକ୍ଷିତ ହୋଇଥିଲା ।

ସେହିପରି ବାରିପଦା ସହର ଉପକଣ୍ଠରେ ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡ଼ି ନଦୀର ସଂଗମସ୍ଥଳୀରେ ଅବସ୍ଥିତ ଓ ଦକ୍ଷିଣାବର୍ତ୍ତ ତନ୍ତ୍ରପୀଠ ଭାବରେ ପରିଚିତ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ବୁଢ଼ାରାଉଳ ମହାଦେବ ବା ଧ୍ୱନୀ ମଠରେ ମହାଶିବ ରାତ୍ରି ଉପଲକ୍ଷେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା, ଯଜ୍ଞ ଓ ହୋମ ଆଦି ଆୟୋଜିତ ହୋଇଥିଲା । ଏହାବ୍ୟତୀତ ସହରର ଟ୍ରାଫିକ ଛକ ନିକଟସ୍ଥ ତ୍ରିବିକ୍ରମେଶ୍ୱର ମନ୍ଦିର, ବେଲଗଡ଼ିଆ ପଞ୍ଚାନନ ଶିବ ମନ୍ଦିର, ପୁଲିସ ଲାଇନ ମହାଦେବ ମନ୍ଦିର, ତକତପୁର ପାତାଳେଶ୍ୱର ମନ୍ଦିର, ବାଘଡ଼ାରୋଡ଼ ଓ ଭଞ୍ଜପୁର ଭଂଜେଶ୍ୱର ମନ୍ଦିର, ଶ୍ରୀ ଅମ୍ବିକେଶ୍ୱର ମହାଦେବ, ଝିଞ୍ଜିରୀ ବନ୍ଧ ଶ୍ରୀ ଲୋକେଶ୍ୱର ମନ୍ଦିର, ମୁର୍ଗାବାଡ଼ି ମହାଦେବ ମନ୍ଦିର, ଭୁଗୁଡ଼ାକଟାର ଆଖଣ୍ଡଳମଣି ମନ୍ଦିର, କାଳୀ ମନ୍ଦିର ସାହି ଶ୍ମଶାନେଶ୍ୱର ଶିବ ମନ୍ଦିର, ଧବଳେଶ୍ୱର, କାମେଶ୍ୱର, ପାତାଳେଶ୍ୱର, ଯଜ୍ଞେଶ୍ୱର ମନ୍ଦିର, କପାଳଲୋଚନ, ବଟେଶ୍ୱର, ଚମ୍ପକେଶ୍ୱର ମନ୍ଦିର, ଅଷ୍ଟଲିଙ୍ଗେଶ୍ୱର, ଷ୍ଟେସନ ବଜାର, କେ.ସି.ସାର୍କଲ, ଚାପଲ ପୋଖରୀ, ହେମସାଗର ପୋଖରୀ ଓ ରାଜପ୍ରାସାଦ ପରିସରରେ ଥିବା ସମସ୍ତ ଶୈବପୀଠ ସହିତ ମା ଅମ୍ବିକା ମନ୍ଦିର, ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିର, ରାଣୀ ସତୀ, ଶୀତଳା, ରାଧାମୋହନ ଓ ଶିରିଡ଼ି ସାଇପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ସେହିପରି ଜିଲ୍ଲାର ଖିଚିଂ, ମାଣତ୍ରିର ବାବା କଖାରୁଆ ବୈଦନାଥ ପୀଠ, କପ୍ତିପଦାର ଝିକଂପଦାର ବାବା ଝିଙ୍କେଶ୍ୱର, ବାଙ୍ଗିରିପୋଷି ସିମିଳାର ସିମେଳେଶ୍ୱର, ଝାରପୋଖରୀଆର ଲୋକନାଥ ମହାଦେବ ପୀଠ, କାଲାଝିନେଇର ଶୈବପୀଠ, ଚିତ୍ରଡ଼ା, କୋହି, ଗଡ଼ିଆ, ଚଡ଼େଇଗାଁ, ମୋରଡ଼ା, ଛୋଟରାୟପୁର, ପାରିଆକୁଲି, ପଳାସମୁଣ୍ଡଳି, କମାରଡ଼ିହା, ଜାମଶୋଳ, ଶୀର୍ଷା ଓ ଦେବଶୋଳ ଆଦି ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ମଧ୍ୟ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଜାଗର ଅବସରରେ ପଡ଼ୁଥିବା‌ ମେଳା ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ମନା ହୋଇଥିବାରୁ ଭକ୍ତଙ୍କ ମନ ନିରାଶ ହୋଇଛି। ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

ସମ୍ବନ୍ଧିତ ଖବର