ଧାନ କିଣାରେ ଅବ୍ୟବସ୍ଥା; ଏଆରସିଏସ୍‌ଙ୍କୁ କାରଣ ଦର୍ଶାଅ ନୋଟିସ

ଯାଜପୁର : ଯାଜପୁର ଜିଲ୍ଲାର ଧାନ କିଣାବିକା କେଳେଙ୍କାରୀ ବର୍ଷ ବର୍ଷ ଧରି ଲାଗି ରହିଛି। ଧାନ କିଣାବିକା କାରବାରକୁ ନିୟନ୍ତ୍ରଣ କରୁଥିବା ବିଭିନ୍ନ ବିଭାଗର ଅସାଧୁ ଅଧିକାରୀ ଓ କେ‌ତେକ ମିଲରଙ୍କ ଦଲାଲରାଜରେ ହଜାର ହଜାର ଚାଷୀ ଶୋଷିତ ହେଉଛନ୍ତି। ଚଳିତ ବର୍ଷ ଚାଷୀମାନଙ୍କର ପ୍ଲଟ୍ ସାଟେଲାଇଟ୍ ସର୍ଭେରେ ଘୋର ଅବ୍ୟବସ୍ଥାକୁ ନେଇ ସମବାୟ ସମିତି ନିବନ୍ଧକ(ଆରସିଏସ) କ୍ଷୋଭ ପ୍ରକାଶ କରିଛନ୍ତି। ୩ଦିନ ମଧ୍ୟରେ ଉତ୍ତର ଦେବାକୁ ସମବାୟ ସମିତି ଅତିରିକ୍ତ ନିବନ୍ଧକଙ୍କୁ ଜରୁରି ନିର୍ଦ୍ଦେଶ ଦେଇଛନ୍ତି। ୭୫ହଜାର ୮୨୮ଟି ସନ୍ଦିଗ୍ଧ ପ୍ଲଟ୍‌ର ସାଟେଲାଇଟ୍ ସର୍ଭେ ଉପରେ ଆରସିଏସ ପ୍ରଶ୍ନ ଉଠାଇଛନ୍ତି।

ପ୍ରକାଶ ଥାଉକି ଚଳିତ ଖରିଫ ଧାନ କିଣାବିକା ପୂର୍ବରୁ ଚାଷୀମାନଙ୍କର କାଗଜପତ୍ର ପ୍ରସ୍ତୁତିରେ ପ୍ରଶାସନ ଲାଗିଛି। ବିଶେଷ କରି ସମବାୟ ସମିତିର ଏଥିରେ ମୁଖ୍ୟ ଭୂମିକା ରହୁଛି। ମାତ୍ର ଯାଜପୁର ଜିଲ୍ଲାରୁ ସଠିକ ତଥ୍ୟ ଯାଇନଥିବାରୁ ସମବାୟ ସମିତିର ନିବନ୍ଧକ(ଆରସିଏସ) ଏଆରସିଏସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୭୫ହଜାର ୮୨୮ ପ୍ଲଟ୍ର ସାଟେଲାଇଟ୍ ସର୍ଭେକ୍ଷଣକୁ ନେଇ ସେ ସନ୍ଦେହ ପ୍ରକାଶ ପାଇଛି। ଯାହାକୁ ନେଇ ଏଆରସିଏସଙ୍କୁ ୩ଦିନ ମଧ୍ୟରେ ଉତ୍ତର ଦେବାକୁ ଆରସିଏସ ଅତି ଜରୁରି ଚିଠି ଲେଖିଛନ୍ତି। ଗତକାଲି ଚିଠି ନମ୍ବର ୧୮୮୨୩ ରେ ଆରସିଏସ ସାଟେଲାଇଟ୍ ସର୍ଭେ ଅତ୍ୟନ୍ତ ‌ନୈରାଶ୍ୟଜନକ ବୋଲି ଦର୍ଶାଇଛନ୍ତି। ସାଟେଲାଇଟ୍ ସର୍ଭେ ରିପୋର୍ଟରେ ସନ୍ଦେହ କରାଯାଉଥିବା ପ୍ଲଟ୍ ଗୁଡ଼ିକ ସମ୍ପର୍କରେ ସଠିକ୍ ତଥ୍ୟ ନଥିବା ସେ ଦର୍ଶାଇଛନ୍ତି। ସନ୍ଦେହ କରାଯାଉଥିବା ପ୍ଲଟର ନମ୍ବର ଓ ସ୍ଥିତି ସମ୍ପର୍କରେ ତଥ୍ୟ ନାହିଁ। ଆଗାମୀ ଦିନରେ ଧାନ କେଳେଙ୍କାରୀ ପାଇଁ ବାଟ ଖୋଲା ରଖିବାକୁ ଏପରି ଉଦ୍ୟମ କରାଯାଇ ନାହିଁ ତ? ଇତ୍ୟାଦି ପ୍ରଶ୍ନ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର