ଶ୍ରୀବଳଦେବଜିଉଙ୍କ ମେଘନାଦ ପାଚେରି ଅସୁରକ୍ଷିତ

୨ କୋଟିର ଖର୍ଚ୍ଚ ପାଇଁ ବାଟ ପାଉନାହାନ୍ତି

କେନ୍ଦ୍ରାପଡା: ଶ୍ରୀକ୍ଷେତ୍ର ପୁରୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଉଛି। କିନ୍ତୁ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ବିକାଶ ପାଇଁ ଏଯାଏ ଗୁରୁତ୍ବ ଦିଆ ନଯିବା ଘଟଣାକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଭୁ ବଳଦେବଜିଉଙ୍କ ମନ୍ଦିର ମେଘନାଦ ପାଚେରିର ସୁରକ୍ଷାକୁ ନେଇ ଦୀର୍ଘଦିନରୁ ଆଶଙ୍କା ପ୍ରକାଶ ପାଉଥି‌ବାବେଳେ ମନ୍ଦିର ମେଘନାଦ ପାଚେରି ପାର୍ଶ୍ବ ଜବରଦଖଲ ହୋଇ ରହିଛି। ଏହାକୁ ଅବରୋଧମୁକ୍ତ ରଖାଯିବା ସହ ଏହାର ସୌନ୍ଦର୍ଯ୍ୟକରଣ ଦିଗରେ ନା ଧ୍ୟାନ ଦେଉଛନ୍ତି ମନ୍ଦିର ପରିଚାଳନା କର୍ତୃପକ୍ଷ, ଟ୍ରଷ୍ଟ ବୋର୍ଡ଼ ନା ସରକାର।

ସୂଚନା ଅନୁସାରେ, ଦୁଇ ଏକର ୨୧ ଡିସିମିଲ ଜମିରେ ମନ୍ଦିର ଓ ବେଢ଼ାରେ ଗଡ଼ି ଉଠିଥିବା ପ୍ରସିଦ୍ଧ ବଳଦେବଜିଉଙ୍କ ମନ୍ଦିରର ୪୦୦ ଫୁଟ ଲମ୍ବ ଓ ଅନ୍ୟ ପାର୍ଶ୍ବ ୧୫୦ ଫୁଟ, ଏପରି ୫୫୦ ଫୁଟ ଦୈର୍ଘ୍ୟର ମେଘନାଦ ପାଚେରି ରହିଛି। ଅଢେ଼ଇ ହାତ ଚଉଡ଼ାର ପାଚେରିର ଉଚ୍ଚତା ୧୮ ଫୁଟ ହୋଇଥିଲେ ହେଁ ଏବେ ୬/୭ ଫୁଟ ପାଚେରି ମାଟି ତଳେ ଲୁଚି ରହିଛି। ମାଟିରେ ପୋତି ହୋଇ ଥିବା ପାଚେରିର ପୁନରୁଦ୍ଧାର କରାଯାଉ ନାହିଁ। ମନ୍ଦିରକୁ ଲଗାଇ ଅବା ପାଚେରିକୁ ଲଗାଇ କୌଣସି ଦୋକାନ ଗୃହ ଭଡ଼ା ଦିଆଯାଇ ନାହିଁ। ଅନ୍ୟପଟେ ବଳଦେବଜିଉଙ୍କ ଜମି ମଧ୍ୟ ଜବରଦଖଲରେ ରହିଛି। ଏହାର ପୁନରୁଦ୍ଧାର ଉଦ୍ୟମ ହେଉନାହିଁ। ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ଯେଉଁ ଦୁଇ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି, ସେ ଟଙ୍କା କେଉଁ କ୍ଷେତ୍ରରେ ଖର୍ଚ୍ଚ କରାଯିବ ତାହା ମଧ୍ୟ ସ୍ଥିର ହୋଇନାହିଁ। ତେଣୁ ଏ ଦିଗରେ ସରକାର ଗୁରୁତ୍ବର ସହ ବିଚାର କରି ତୁଳସୀକ୍ଷେତ୍ରର ବିକାଶ ପାଇଁ ତ୍ବରାନ୍ବିତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର