ମାଙ୍କଡ଼ ଭାଙ୍ଗୁଛନ୍ତି ନୀଳଚକ୍ର ଆର୍ଥିଂ

ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା, ସ୍ଥିତି ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ, ୧୩ରେ ପରବର୍ତ୍ତୀ ଶୁଣାଣି

କଟକ: ଶ୍ରୀଜଗନ୍ନାଥ ମନ୍ଦିର ନୀଳଚକ୍ରର ସାନି ସ୍ଥିତି ସଂପର୍କରେ ସବିଶେଷ ରିପୋର୍ଟ ଦାଖଲ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ନୀଳଚକ୍ରରରେ ଆର୍ଥିଂ ପାଇଁ ରହିଥବା ବ୍ୟବସ୍ଥାକୁ ଜେନେରାଲ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ(ଜିଇଡି)ର ଏକ ଦଳ ଅନୁଧ୍ୟାନ କରିଛି। ବିଜୁଳିରୁ ରକ୍ଷା ପାଇଁ ନୀଳଚକ୍ରରେ ଲାଗିଥିବା ୧୨ଟି ତମ୍ବା ମୁନିଆ ଦଣ୍ଡ ମଧ୍ୟରୁ ୮ଟି ଭାଙ୍ଗି ଯାଇଛି। ମାଙ୍କଡମାନେ ଏପରି କରିଥିବା ଅନୁମାନ କରାଯାଉଛି। ଆର୍ଥିଂ ବ୍ୟବସ୍ଥାର ମରାମତି ଆବଶ୍ୟକ ହୋଇଥିବା ବେଳେ ଏଥିପାଇଁ ଜିଇଡିକୁ କୁହାଯାଇଛି ବୋଲି ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନୀଳଚକ୍ର ମରାମତିର ସାନି ସ୍ଥିତି ସଂପର୍କରେ ସବିଶେଷ ରିପୋର୍ଟ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଦାଖଲ ପାଇଁ ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କ ଜିଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମରାମତି ପାଇଁ ଜଗମୋହନ ଭିତରକୁ ପ୍ରବେଶ ବନ୍ଦ୍‌ ରହିଛି। ମରାମତି ଶେଷ ପର୍ଯ୍ୟାୟରେ ଥିବା ବେଳେ କେବେ ଜଗମୋହନ ଖୋଲିବ ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସ୍ପଷ୍ଟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ଚିତ୍ରସେନ ପରିଡା, ତ୍ରିଲୋଚନ ଦାଶ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଶ୍ରୀମନ୍ଦିର ପରିସରରେ ଚାଲିଥିବା ମରାମତି କାର୍ଯ୍ୟ ସଂପର୍କରେ ଏଏସଆଇର ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏ.ଏଚ୍‌.ନାୟକ ସତ୍ୟପାଠ ଦାଖଲ କରି ଦର୍ଶଆଇଥିଲେ ଯେ ଗରୁଡ ସ୍ତମ୍ଭ ନିକଟ ନାଟମଣ୍ଡପର ଦୁର୍ବଳ ବିମ୍‌କୁ ସମର୍ଥନ ଦେବା ପାଇଁ ଅସ୍ଥାୟୀ ଢାଞ୍ଚା ନିର୍ମାଣ କରାଯାଇଛି। ଏଏସଆଇ କୋର୍‌ କମିଟି ସଦସ୍ୟ, ବରିଷ୍ଠ ଆର୍କିଓଲୋଜିଷ୍ଟ, ବରିଷ୍ଠ କେମିଷ୍ଟ, ଏଏସଆଇ ଇଂଜିନିୟର, ମନ୍ଦିର ପ୍ରଶାସନ ଇଂଜିନିୟର, ସିବିଆର୍‌ଆଇ ବରିଷ୍ଠ ବୈଜ୍ଞାନିକଙ୍କ ଦଳ ଜଗମୋହନ, ନାଟମଣ୍ଡପ, ବେହେରଣ ଦ୍ୱାର, ଜୟବିଜୟ ଦ୍ୱାରର ମରାମତି ସ୍ଥଳ ଫେବ୍ରୁଆରି ୨୧ରୁ ୨୩ ମଧ୍ୟରେ ଅନୁଧ୍ୟାନ କରିଥିଲେ।

ନାଟ ମଣ୍ଡପ ନିକଟ ଜରୁରି ମରାମତି ପାଇଁ ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ଅଧିକ ଅନୁଧ୍ୟାନ ଆବଶ୍ୟକ ଥିବା ବେଳେ ଜଗମୋହନ ଖୋଲିବା ପରେ ଏହା ସମ୍ଭବ ହୋଇ ପାରିବ। ଏପରି ସ୍ଥିତି ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି। ଏଥି ସହିତ ଜଗମୋହନ ମୌଳିକ ଢାଞ୍ଚାର ମରାମତି କାର୍ଯ୍ୟ ସରିଥିବା ବେଳେ ଏବେ ସୌନ୍ଦର୍ଯ୍ୟକରଣ ଓ ଆନୁସଙ୍ଗିକ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ କରି ଜଗମୋହନ ଖୋଲିବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଏହାପରେ ନାଟ ମଣ୍ଡପ ମରାମତି କାର୍ଯ୍ୟରେ ଅଗ୍ରଗତି ହୋଇ ପାରିବ। ଏଏସଆଇ ନୂଆଦିଲ୍ଲୀର ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଇଂଜିନିୟର ଜି.ଏ.କୁଲକର୍ଣ୍ଣି ଓ କୋର କମିଟି ସଦସ୍ୟ ଡକ୍ଟର ଏନ୍‌.ସି.ପାଲ ଗର୍ଭଗୃହର ଦ୍ୱିତୀୟ ମହଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପବନ ଯାତାୟତ ବ୍ୟବସ୍ଥା ସହିତ କାନ୍ଥ ଓ କାନ୍ଥରୁ ବାହାରିଥିବା ପଥର ଥାକ ଗୁଡିକ ଯାଞ୍ଚ କରିଥିଲେ। ଅଧିକ ଆଲୋକ ବ୍ୟବସ୍ଥା ସହିତ ଗର୍ଭଗୃହ ଭିତରର ଯାଞ୍ଚ ଆବଶ୍ୟକ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା।ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୭, ଡିସେମ୍ବର ୧୯ରେ ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଗରୁଡ ସ୍ତମ୍ଭ ନିକଟ ନାଟମଣ୍ଡପର ପଥର ବିମ୍‌ରେ ଫାଟ ରହିଛି। ବିମ୍‌ର ପୂର୍ବମୁହଁରେ ଗୋଟିଏ ବଡ ଫାଟ ରହିଥିବା ବେଳେ ତଳ ପଟେ ଛୋଟ ଫାଟ ସ୍ପଷ୍ଟ ଦେଖା ଦେଇଛି। ଜଗମୋହନ ବିମ୍‌ରେ ଯେପରି ଫାଟ ସୃଷ୍ଟି ହୋଇଥିଲା ଠିକ୍‌ ସେପରି ପରିସ୍ଥିତି ଗରୁଡସ୍ତମ୍ଭ ନିକଟ ନାଟମଣ୍ଡପ ବିମ୍‌ରେ ମଧ୍ୟ ଦେଖା ଦେଇଥିବା କଥା ଉଲ୍ଲେଖ କରାଯାଇଥିଲା ସତ୍ୟପାଠରେ। ମରାମତି ପାଇଁ ଅସ୍ଥାୟୀ ମଞ୍ଚ(ଫ୍ରେମ୍‌) ନିର୍ମାଣ କରାଯାଇ ଦୁର୍ବଳ ହୋଇ ପଡିଥିବା ପ୍ଲାଷ୍ଟର ଛଡା ଯିବା ପରେ ଏଭଳି ଅବସ୍ଥା ସଂପର୍କରେ ଜଣା ପଡିଥିଲା ବୋଲି ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର