ହିନ୍ଦୁ ବୋଲି ପରିଚୟ ଦେଇ ପାରିଲେନି ବୋଲି ଜଗନ୍ନାଥଙ୍କ ଦର୍ଶନ ମିଳିଲାନି

ପୁରୀ : ଆଜି ଥିଲା ଧାଡ଼ି ଦର୍ଶନର ପ୍ରଥମ ଦିନ। ଶ୍ରୀମନ୍ଦିର ପ୍ରଶାସନ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିଲା ଏହି ବ୍ୟବସ୍ଥା। ତେବେ ଏହି ବ୍ୟବସ୍ଥା ଭିତରେ ଛନ୍ଦି ହୋଇ ପଡ଼ିଥିଲେ ଅନେକ ଭକ୍ତ। କିଛି ଭକ୍ତ ବିଳମ୍ବରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। କିନ୍ତୁ ଆଜି ଏମିତି ଏକ ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ବିସ୍ମିତ କରିଥିଲା। ସିକିମ୍‌ରୁ ଆସିଥିବା ଜଣେ ଯୁବତୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାୟିତ୍ବରେ ଥିବା ସୁରକ୍ଷା କର୍ମୀଙ୍କୁ କାକୁତିମିନତି ହୋଇଥିଲେ। ହାତ ଯୋଡ଼ି ଗୁହାରି କରିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ। ମାତ୍ର ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଆଇନ ବିଧିବ୍ୟବସ୍ଥାର ଆଳ ଦେଖାଇ ତାଙ୍କୁ ଦର୍ଶନ କରିବାକୁ ସୁଯୋଗ ଦେଇନଥିଲେ। ଯୁବତୀଙ୍କୁ ଅଣ ହିନ୍ଦୁ ଦର୍ଶାଇ ତାଙ୍କଠାରୁ ପରିଚୟପତ୍ର ଲୋଡ଼ିଥିଲେ ସୁରକ୍ଷା କର୍ମୀ। ଗାଡ଼ିରେ ପରିଚୟପତ୍ର ଛାଡ଼ି ଆସିଛନ୍ତି ଓ ସେ ହିନ୍ଦୁ ବୋଲି କହିଥିଲେ ମଧ୍ୟ ଉକ୍ତ ଯୁବତୀଙ୍କୁ ମନ୍ଦିର ଭିତରକୁ ଛଡାଯାଇନଥିଲା। ‌େଶଷରେ ଯୁବତୀ ଜଣକ ନିଜକୁ ହିନ୍ଦୁ ବୋଲି ପ୍ରମାଣ ଦେବାକୁ ଯାଇ ଗାୟତ୍ରୀ ମନ୍ତ୍ର ଗାଇଥିଲେ। ତେବେ ଏତେ ସବୁ ଘଟଣା ଘଟିଥିଲା ଏଇଥି ପାଇଁ କି ଯୁବତୀ ଜଣଙ୍କ ଦେଖିବାକୁ ଟିକେ ଭିନ୍ନ ଲାଗୁଥିଲେ। ଯେଉଁ କାରଣରୁ ତାଙ୍କୁ ଆଜି କାଳିଆ ଦର୍ଶନରୁ ବଞ୍ଚିତ କରାଗଲା।

ସିକିମ୍‌ରୁ ଆସିଥିବା ଏହି ଯୁବତୀ ତାଙ୍କ ନାମ ଜେନି ରାୟ ବୋଲି କହିଥିଲେ। ତାଙ୍କ ଭଳି ଆଉ ଜଣେ ବିହାରର ଆଇନ ଛାତ୍ରୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ତେବେ ପରିଚୟପତ୍ର ବିନା ଭିତରକୁ ଛଡ଼ା ଯିବନାହିଁ ବୋଲି ଜାଣିବା ପରେ କାନ୍ଦି କାନ୍ଦି ପଳାଇଥିଲେ ଦୁଇ ଯୁବତୀ। ପତିତପାବନକୁ ମୁଣ୍ତିଆ ମାରି ଫେରି ଯାଇଥିଲେ। ଗଲା ବେଳେ କହିଗଲେ ସିକିମ ଯୁବତୀ; ଆମ ରାଜ୍ୟକୁ ଆସ, ଅତିଥିଙ୍କୁ ଆମେ କେମିତି ଆତିଥ୍ୟ ଦେଉ ଦେଖିବ।

ସମ୍ବନ୍ଧିତ ଖବର