ସମ୍ବଲପୁର ବିଶ୍ୱବିଦ୍ୟାଳୟର ନମୁନା ସର୍ଭେ ରିପୋର୍ଟ: ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଶୋଚନୀୟ

କେବଳ ୪.୧ ପ୍ରତିଶତ ଭଲରେ ଅଛନ୍ତି, ନ୍ୟୁନତମ ଆବଶ୍ୟକତା ପୂରଣରେ ଯାଉଛି ସବୁ ଟଙ୍କା

ଭୁବନେଶ୍ୱର : ବନ୍ଧକ ପଡ଼ିଛନ୍ତି ଦାଦନ ଶ୍ରମିକ। ଉଦ୍ଧାର ପାଇଁ ନିବେଦନ କରୁଛନ୍ତି ପରିବାର। ଏମିତି ବି ଅଭିଯୋଗ ଆସୁଛି ଯେ ସେମାନଙ୍କୁ ପ୍ରାପ୍ୟରୁ ବଞ୍ଚିତ କରାଯାଉଛି, ମାନସିକ, ଶାରୀରିକ ନିର୍ଯାତନା ବି ଦିଆଯାଉଛି। କେବଳ ସେତିକି ନୁହେଁ, ବାହାର ରାଜ୍ୟରେ କେଉଁଠି ଓଡ଼ିଆ ଶ୍ରମିକଙ୍କ ହାତ କାଟିଦେଲେଣି ତ ଆଉ କେଉଁଠି କାମ ପାଇଁ ଯାଇ ଶବ ହୋଇ ଫେରୁଛନ୍ତି। ମହିଳା ଶ୍ରମିକଙ୍କ ଅବସ୍ଥା ନକହିଲେ ଭଲ। ଅଧାରୁ ପିଲାଙ୍କ ପାଠର ଡୋରି ବନ୍ଦ ହୋଇଯାଉଛି।

ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଗୋଆ, ଦିଲ୍ଲୀ ଭଳି ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶାର ଏଭଳି ଲୋମଟାଙ୍କୁରା ଚିତ୍ର ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ଏହାକୁ ରାଜ୍ୟ ସରକାର ଯେତେ ଗୁରୁତ୍ବ ଦେବା କଥା ତାହା ଏଯାଏ ଦେଖାଯାଇନାହିଁ। ଏପରିକି ଲକଡାଉନ୍ ସମୟରେ ବାହାର ରାଜ୍ୟରୁ ଚାଲିଆସିଥିବା ହଜାର ହଜାର ଶ୍ରମିକଙ୍କୁ ରାଜ୍ୟରେ ରୋକିବା ସମ୍ଭବ ହୋଇନାହିଁ। ଏସବୁ ଭିତରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସେଣ୍ଟର ଅଫ ଏକ୍ସଲେନ୍ସ ରିଜିନାଲ ଡେଭଲପମେଣ୍ଟ ଏବଂ ଟ୍ରାଇବଲ ଷ୍ଟଡି ପକ୍ଷରୁ କରାଯାଇଥିବା ସର୍ଭେ ଆହୁରି ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆଣିଛି। ଏହି ରିପୋର୍ଟ ବୟାନ କରୁଛି ଯେ ଅତ୍ୟନ୍ତ କଷ୍ଟଦାୟକ ସ୍ଥିତିରେ, ଏତେ ଘଣ୍ଟା ଧରି କାର୍ଯ୍ୟ କରିବା ପରେବି ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ପ୍ରବାସୀ ଶ୍ରମିକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରୁନାହାନ୍ତି। କାରଣ ସେମାନେ ନିଜ ଆୟର ମୁଖ୍ୟ ଅଂଶ ଖାଇବାରେ ଏବଂ ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣରେ ଖର୍ଚ୍ଚ କରୁଛନ୍ତି।

La Prensa Latina

ସମ୍ବଲପୁର ବିଶ୍ବବିଦ୍ୟାଳୟ ସେଣ୍ଟର ଏକ୍ସଲେନ୍ସର ନୋଡାଲ ଅଧିକାରୀ ତଥା ସୋସିଓଲୋଜି ବିଭାଗ ପ୍ରଫେସର ଅରୁଣ ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶାର ୩୯୪ ପରିବାରକୁ ନେଇ ଏହି ନମୁନା ସର୍ଭେ କରାଯାଇଥିଲା। ଏଥିରେ ବରଗଡ଼ର ୨୦୫, ସମ୍ବଲପୁରର ୪୦, ବଲାଙ୍ଗୀରର ୮୮, ଝାରସୁଗୁଡ଼ାର ୧୦, ସୁନ୍ଦରଗଡ଼ର ୬, ସୁବର୍ଣ୍ଣପୁରର ୧୭, ଦେବଗଡ଼ର ୨୮ ପରିବାର ରହିଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ୮୭.୮ ପ୍ରତିଶତ ଆର୍ଥିକ ସୁଯୋଗ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ଏଥିମଧ୍ୟରୁ ୪୬.୭ ପ୍ରତିଶତ ତାମିଲନାଡ଼ୁ, ୧୩.୭ ପ୍ରତିଶତ ଆନ୍ଧ୍ରପ୍ରଦେଶକୁ ଯାଆନ୍ତି। ଏମାନଙ୍କ ମଧ୍ୟରୁ ୧୯.୮ ପ୍ରତିଶତ ମାସକୁ ୧୦ ହଜାର, ୫୮.୬ ପ୍ରତିଶତ ୧୦ ହଜାରରୁ ୧୫ ହଜାର ଟଙ୍କା ରୋଜଗାର କରିପାରନ୍ତି। ମାତ୍ର ୪.୧ ପ୍ରତିଶତ ୨୦ ହଜାର ଟଙ୍କା ମାସକୁ ଆୟ କରୁଛନ୍ତି।

ଏହି ରିପୋର୍ଟ ଆହୁରି କହୁଛି ଯେ ୩୬.୧ ପ୍ରତିଶତ ପରିବାର ସହିତ କାର୍ଯ୍ୟ କଲେହିଁ ୧୦ ହଜାର ଟଙ୍କା ଆୟ କରି ପାରୁଛନ୍ତି। ୩୩.୫ ପ୍ରତିଶତ ପରିବାର ସହିତ ଗଲେ ୫ରୁ ୧୦ ହଜାର ଆୟ କରୁଛନ୍ତି। ସର୍ଭେ ବେଳେ ପ୍ରବାସୀ ଶ୍ରମିକଙ୍କ ଆୟରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଶୁ, ଜମି କ୍ରୟରେ କେତେ ଖର୍ଚ କରାଯାଉଛି ଏହାକୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ସେମାନେ ନିଜ ଆୟର ୯୦ ପ୍ରତିଶତ ପରିବାର ପାଇଁ ଖର୍ଚ କରିଛନ୍ତି। ସେଥିରୁ ୭୨ ପ୍ରତିଶତ କେବଳ ନ୍ୟୁନତମ ଆବଶ୍ୟକତା ପୂରଣ ହେଉଛି। ୬୧ ପ୍ରତିଶତ ସ୍ବାସ୍ଥ୍ୟରେ ଏବଂ ୩୩.୨ ପ୍ରତିଶତ କୃଷିରେ ଖର୍ଚ ହେଉଛି। ବାହାର କାର୍ଯ୍ୟ କରିବା ସତ୍ତ୍ବେ ମଧ୍ୟ ୫୮.୪ ପ୍ରତିଶତ ଶ୍ରମିକଙ୍କ ଜୀବନ ସ୍ତର ନିମ୍ନରେ, ୩୭.୬ ପ୍ରତିଶତଙ୍କ ମଝିମଝିଆ ଏବଂ କେବଳ ୪.୧ ପ୍ରତିଶତ ଭଲ ସ୍ଥିତି ରହିଛି।

ସମ୍ବନ୍ଧିତ ଖବର