ନୟାଗଡ଼ରେ ସୋଲାର ପାଣି ପମ୍ପ୍‌ କେଳେଙ୍କାରୀ: ଅଧ୍ୟକ୍ଷାଙ୍କ ସ୍ୱାମୀ ଅର୍ଥ ହଡ଼ପ କରିବା ଅଡ଼ୁଆ ବଢ଼ୁଛି

ଘଟଣାର ତଦନ୍ତ ପାଇଁ ଜିଲ୍ଲା କଂଗ୍ରେସର ଦାବି

ନୟ‌ାଗଡ଼ : ନୟାଗଡ଼ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ସ୍ଥାପିତ ହୋଇଥିବା ସୋଲାର୍‌ ପାଣିପମ୍ପ୍‌ ପ୍ରକଳ୍ପ ବାବଦରେ ପ୍ରାୟ ୧୨ ଲକ୍ଷ ଟଙ୍କା ହଡ଼ପ ହୋଇଛି। କାମ କରିଥିବା ସଂସ୍ଥା ଉକ୍ତ ଟଙ୍କା ପାଇନଥିବା ଅଭିଯୋଗ ଆସିଛି। ଫଳରେ ଏହି ଘଟଣାରେ ସଂପୃକ୍ତ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୋଲାପ ଦଳବେହେରାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଡ଼ୁଆ ବଢ଼ି ଚାଲିଛି। ଏଥି ନେଇ ରାଜନୈତିକ ସ୍ତରରେ ମଧ୍ୟ ଗୁଞ୍ଜରଣ ଆରମ୍ଭ ହେଲାଣି। ଏନେଇ ଆଜି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଖୋଲା ଚିଠି ଲେଖି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ଘଟଣାର ତଦନ୍ତ କରାଇବାକୁ ଦାବି କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ଦଳୀୟ ଲୋକ ହୋଇଥିବାରୁ ବିଧାୟକ ଏହି ଘଟଣାରେ ନିରବତା ଅବଲମ୍ବନ କରୁଛନ୍ତି କି ‌ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏଭଳି ସମ୍ବେଦନଶୀଳ ଦୁର୍ନୀତିର ଫାଇଭ୍‌-ଟି ନିୟମ ଅନୁସାରେ ତ୍ୱରିତ ତଦନ୍ତ ସହ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଲକ୍ଷଲକ୍ଷ ଟଙ୍କା ଚଳୁ କରିଥିବା ପୂର୍ଣ୍ଣଚନ୍ଦ୍ରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଏନେଇ ପଦକ୍ଷେପ ନେବାକୁ ବିଧାୟକଙ୍କୁ କଂଗ୍ରେସ ଆହ୍ବାନ ଦେଇଛି। ନଚେତ୍‌ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖି ଏଭଳି ଦୁର୍ନୀତି, ଅନ୍ୟାୟ ବିରୋଧରେ ନୟାଗଡ଼ ବ୍ଲକ୍‌ ସହିଦ ସ୍ମୃତିସ୍ତମ୍ଭ ତଳେ ଦିନିକିଆ ଧାରଣାରେ ଜିଲ୍ଲା କଂଗ୍ରେସ ସଭାପତି ବସିବେ ବୋଲି ଚେତାବନୀ ଦେଇଛନ୍ତି। ତଥାପି ବି ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଭୁବନେଶ୍ୱରସ୍ଥିତ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେବେ ବୋଲି ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଇକିରି, ଗମ୍ଭାରିଡିହି, ଘଡ଼ୁଆଳ, ଶରଣକୁଳ (ଜହ୍ନିପଦା) ଆଦି ପଞ୍ଚାୟତରେ ଏଭଳି ଠକେଇ ହୋଇଛି। ଏହି ସବୁ ପ୍ରକଳ୍ପର କାର୍ଯ୍ୟାଦେଶ ସଂପୃକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ନାମରେ ଥିବା ବେଳେ, ପିଇଓ ନିଜେ କାମ ନକରି ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୋଲାପ ଦଳବେହେରାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଜରିଆରେ କାମ କରିଥିଲେ। ପୂର୍ଣ୍ଣଚନ୍ଦ୍ର ଠିକାଦାର ସାଜି ଏହି କାମ ଭୁବନେଶ୍ବରର ଓଜାକି ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ କରିଥି‌ଲେ। ହେଲେ ଉକ୍ତ ସଂସ୍ଥା ପାଇବାକୁ ଥିବା‌ ସମସ୍ତ ଅର୍ଥ ପୂର୍ଣ୍ଣଚନ୍ଦ୍ର ପକଟେ୍‌ରେ ପୂରାଇ ଦେଇଛନ୍ତି। ଫଳରେ କାମ ‌ଶେଷ ହେବାର ପ୍ରାୟ ୨ ବର୍ଷ ବିତିବାକୁ ଯାଉଥିବାରୁ ଉକ୍ତ ସଂସ୍ଥାର ମାଲିକ ସୌରଭ ଶୁଭଚନ୍ଦନ ବାରିକ ଟଙ୍କା ନପାଇ ଅକଳରେ ପଡ଼ିଛନ୍ତି। ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ସହିତ ଆଗାମୀ ଦିନରେ ଚରମ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି। ପିଇଓମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ପ୍ରକଳ୍ପ ବାବଦରେ ଟଙ୍କା ଦେଇଥିବା ଓ ପୂର୍ଣ୍ଣଚନ୍ଦ୍ର ମଧ୍ୟ ଟଙ୍କା ନେଇଥିବା କହୁଛନ୍ତି। କିନ୍ତୁ ଏନେଇ ଠିକାସଂସ୍ଥାକୁ ଦୁଇ ବର୍ଷ ହେବ ଭଣ୍ଡାଇବା ପରେ ଘଟଣା ପଦାକୁ ଆସିଛି। ସଂସ୍ଥାର ମାଲିକ ଏନେଇ ନିଜର କର୍ମଚାରୀଙ୍କ ଦରମା ପ୍ରଦାନଠାରୁ ଆରମ୍ଭ କରି ନାନା ସମସ୍ୟାରେ ପଡ଼ିଥିବା କହିଛନ୍ତି।

‘‘ଟଙ୍କା ଦେଇଥାନ୍ତି, ମୋ ସମ୍ମାନ ନେଇ ଠିକ୍‌ କଲାନି
ଠିକାଦାରୀ କରୁଛି, ଲାଭକ୍ଷତି ଦେଖିବି ନା ଆଉ..’’
ଅଭିଯୋଗ ମୁତାବକ ପ୍ରାୟ ୧୨ ଲକ୍ଷ ଟଙ୍କା ଓଜାକି ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପୂର୍ଣ୍ଣଚନ୍ଦ୍ର ନାୟକ, ଗଣମାଧ୍ୟମରେ ଖବର ପ୍ରକାଶ ପରେ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରୁଥିବା ଜଣାପଡ଼ିଛି। ଏପରିକି ଶ୍ରୀ ନାୟକ ବର୍ତ୍ତମାନ ଏହି ଘଟଣାର ଯେକୌଣସି ପ୍ରକାର ସମାଧାନ ପାଇଁ ମଧ୍ୟସ୍ଥି ଲୋଡ଼ୁଥିବା ଜଣାପଡ଼ିଛି। ‘‘ମୁଁ ଟଙ୍କା ଦେଇଥାନ୍ତି, ସୌରଭ ଶୁଭଚନ୍ଦନ ମୋ ବିରୋଧରେ ଅଭିଯୋଗ କରିବ‌ା, ଗଣମାଧ୍ୟମରେ ଖବର ପ୍ରକାଶନ କରି ମୋର ସମ୍ମାନ ନେଇଗଲା। ଏସବୁ କରିବା କିଛି ଠିକ୍‌ ହୋଇନି’’ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି। ତଥାପି ସହଜରେ ଏତେ ପରିମାଣର ଟଙ୍କା ହାତେଇଥିବାରୁ ଏହାକୁ ଫେରାଇବା ପାଇଁ ମଧ୍ୟ ପୂର୍ଣ୍ଣଚନ୍ଦ୍ରଙ୍କ ଲୋଭ ଛାଡ଼ୁନି। ‘‘ମୁଁ ଠିକାଦାରି କରୁଛି, ମୋର ପୁଣି ଲାଭକ୍ଷତି ଦେଖିବି ନା ନାହିଁ’’ ବୋଲି କହିଛନ୍ତି। ‘‘୧୨ ଲକ୍ଷ ଟଙ୍କା ନୁ‌ହେଁ, ମୋ ହିସାବରେ ମୁଁ ହିସାବ କରି ଟଙ୍କା ଦେଇଦେବି’’ ବୋଲି ପୂର୍ଣ୍ଣଚନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ ‘ସମ୍ବାଦ’କୁ କହିଛନ୍ତି। ତେବେ ଶ୍ରୀ ନାୟକ ନୟାଗଡ଼ରେ ରହୁଥିବା ବେଳେ, ‘‘ଦୀର୍ଘ ଦିନ ହେଲା ମୁଁ ନୟାଗଡ଼ରେ ନଥିଲି, ବ୍ରହ୍ମପୁରରେ ଥିଲି। ସେଥିନେଇ ତାଙ୍କ ଟଙ୍କା ସଂପୃକ୍ତ ସଂସ୍ଥାର ମାଲିକ ସୌରଭ ଶୁଭଚନ୍ଦନଙ୍କୁ ଦେଇପାରିନି। କାହାରି ‌ଫୋନ୍‌ ଉଠାଉ ନଥିଲି, ସୌରଭର ‌ଫୋନ୍‌ କିଭଳି ଉଠାଇଥାନ୍ତି’’ ବୋଲି ଅଜବ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର