ମହିଳା ବଞ୍ଚିଛନ୍ତି, ହତ୍ୟାକାରୀକୁ ଖୋଜୁଛି ପୁଲିସ; ୩ ମାସ ଧରି ଏଇ କାମରେ ଥିଲା ସୋର ଥାନ‌ା

ବାହାନଗା : ମହିଳା ବଞ୍ଚିଛନ୍ତି, କିନ୍ତୁ ପୁଲିସ ତାଙ୍କ ହତ୍ୟାକାରୀଙ୍କୁ ଖୋଜୁଛି। ପୁଣି ଦିନେ କି ଦୁଇଦିନ ନୁହେଁ, ଗତ ୩ ମାସ ହେଲା ବାଲେଶ୍ବରର ସୋର ପୁଲିସ ଏ କାମରେ ଲାଗିଛି। ତେବେ ମହିଳା ଜଣକ ବଞ୍ଚିଥିବା ଓ ଫେରିଆସିଥିବା ନେଇ ଖୋଦ୍‌ ତାଙ୍କ ବାପା କହିବା ପରେ ନୂଆ ମୋଡ଼ ନେଇଛି ଘଟଣା।

ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ସୋର ଥାନା ଅଠିଳାବାଜ ଗ୍ରାମର ଝୁନା ଜେନାଙ୍କୁ ତାଙ୍କ ଶାଶୂଘର ଲୋକେ ହତ୍ୟା କରିଥିବା ନେଇ ପୁଲିସ ମାମଲା ରୁଜୁ କରିଥିଲା। ଗିରଫ ଭୟରେ ଝୁନାଙ୍କ ସ୍ବାମୀ ସୁଶୀନ କୁମାର ଜେନା ଓ ତାଙ୍କ ଭିଣୋଇ ଏବେ ବି ଫେରାର ଅଛନ୍ତି। କିନ୍ତୁ ଝୁନା ବଞ୍ଚିଛନ୍ତି, ଗତ ୩ ମାସ ହେଲା ସେ ବେଙ୍ଗାଲୁରୁରେ ଥିଲେ। ଝିଅ ସଂପର୍କରେ ସୂଚନା ଦେବାକୁ ଯାଇ ଝୁନାଙ୍କ ବାପା କହିଛନ୍ତି, ତାଙ୍କ ଝିଅ ଜୀବିତ। ଖୁବଶୀଘ୍ର ସେ କୋର୍ଟରେ ଆତ୍ମସମର୍ପଣ କରିବ। ଏଥିପାଇଁ ଓକିଲଙ୍କ ପରାମର୍ଶ ଲୋଡିଛି। ତାଙ୍କ ଝିଅ ଝୁନା ପୁରୁଷ ବନ୍ଧୁଙ୍କ ସହିତ ବେଙ୍ଗାଲୁରୁ ପଳାଇଥିଲେ। ଫେରିବା ପରେ ମାମଲାର ରଫାଦଫା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ଝୁନାଙ୍କ ବାପା କହିଛନ୍ତି।

ସୁଶୀନଙ୍କ ପତ୍ନୀ ଗତ ନଭେମ୍ବର ୫ରେ ତାଙ୍କ ତିନିବର୍ଷର ଝିଅକୁ ଛାଡ଼ି ପୁରୁଷବନ୍ଧୁଙ୍କ ସହ ଫେରାର ହୋଇ ଯାଇଥିଲେ। ସୁଶୀନ ଘରକୁ ଫେରି ପତ୍ନୀଙ୍କୁ ନ ପାଇ ତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ। କିନ୍ତୁ ବାପଘର ଲୋକେ ଘରେ ପଡ଼ିଥିବା ରକ୍ତଛିଟାକୁ ଦେଖି ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ ବି ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏମିତିକି ସାଇଣ୍ଟିଫିକ୍ ଟିମ ଆସି ରକ୍ତନମୁନା ସଂଗ୍ରହ କରି ନେଇଥିଲା। ସେପଟେ ଗିରଫଦାରୀ ଭୟରେ ସୁଶୀନ ଓ ତାଙ୍କ ଭିଣୋଇ ଆଜି ପର୍ଯ୍ୟନ୍ତ ଫେରାର ଅଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ହତ୍ୟା ମାମଲା ରୁଜୁ କରିଥିଲା ସୋର ପୁଲିସ। ରକ୍ତ ନମୁନାରୁ କେମିତି ସ୍ପଷ୍ଟ ହୋଇଗଲା ଯେ, ତାହା ସୁଶୀନ ପତ୍ନୀଙ୍କର? ମୃତଦେହ ମିଳିନଥିଲେ ବି କେମିତି ହତ୍ୟା ମାମଲା ରୁଜୁ କଲା ପୁଲିସ? ସୁଶୀନଙ୍କ ଝିଅଙ୍କୁ ପଚରାଉଚୁରା କରିଥିଲା କି? ପୁଲିସର ଖିଆଲି ମନୋଭାବ ଯୋଗୁଁ ଗୋଟିଏ ପରିବାର ୩ ମାସ ହେଲା ଲୁଚି ଲୁଚି ବୁଲୁଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ପୁଲିସ୍‌ର ଭୂମିକା ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର