ବାହାର ଦୁନିଆରୁ ବିଚ୍ଛିନ୍ନ ଆଦିବାସୀ ଗାଁର ଦୁଃଖ; ଜାରାପାଙ୍ଗାକୁ ଭଙ୍ଗାପୋଲ ଯନ୍ତ୍ରଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ନୂଆପଦର ପଞ୍ଚାୟତ ଅନ୍ତର୍ଗତ ଜାରାପାଙ୍ଗା ଗାଁର ଲୋକଙ୍କ ଦୁଃଖ ବଢ଼ିଚାଲିଛି। ଏହି ଗାଁ ଦେଇ ବହି ଯାଇଥିବା ଏକ ପ୍ରାକୃତିକ ନାଳ ଉପରେ ପୋଲ ଭାଙ୍ଗି ଯାଇଥିବାରୁ ଗାଁଟି ବାହ୍ୟଜଗତରୁ ବିଚ୍ଛିନ୍ନ। ଜାରାପାଙ୍ଗାର ଏହି ଭଙ୍ଗାପୋଲ ଗ୍ରାମବାସୀଙ୍କ ପାଇଁ ଯନ୍ତ୍ରଣା ପାଲଟିଛି। ପୋଲ ଭାଙ୍ଗି ଯାଇଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ପାଣିରେ ପଶି ଯିବା ଆସିବା କରୁଛନ୍ତି। ଗାଁକୁ ଯାନବାହନ ଚଳାଚଳ ସ୍ବପ୍ନ। ଦୀର୍ଘ ବର୍ଷ ଧରି ପୋଲଟି ଭାଙ୍ଗି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂଆ ପୋଲଟିଏ ନିର୍ମାଣ ହୋଇପାରୁ ନାହିଁ। ପ୍ରଶାସନ ନିକଟରେ ଏ ନେଇ ବହୁବାର ଦାବି କରା ଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁ ନାହିଁ।

ଜାରାପାଙ୍ଗା ଏକ ରାଜସ୍ବ ଗ୍ରାମ ଏବଂ ଏ ଗାଁର ଲୋକସଂଖ୍ୟା ଏକ ହଜାରରୁ ଅଧିକ ହେବ। ଏହି ଗାଁ ସହିତ ଫିରିଙ୍ଗିଆ ବ୍ଲକର ଅନ୍ୟାନ୍ୟ ଗାଁଗୁଡ଼ିକ ସଂଯୁକ୍ତ ହୋଇଛି। ତେବେ ପୋଲ ଭାଙ୍ଗି ଯାଇଥିବାରୁ ଏହି ଗାଁଟି ଏବେ ଅନ୍ୟାନ୍ୟ ଗ୍ରାମଠାରୁ ବିଚ୍ଛିନ୍ନ ହୋଇପଡ଼ିଛି। ଅନ୍ୟପକ୍ଷେ ଦୀର୍ଘ ବର୍ଷ ଧରି ପୋଲ ଭାଙ୍ଗି ଯାଇଥିବାରୁ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରି ଯାତାୟାତ କରୁଥିଲେ। ମାତ୍ର, ଗତ ବର୍ଷାଋତୁରେ ସେହି ବାଉଁଶ ପୋଲଟି ମଧ୍ୟ ଭୁଶୁଡ଼ି ଯିବାରୁ ଗ୍ରାମଟି ‌ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଏହାପରେ ବି ଗ୍ରାମବାସୀ ସେହି ଭଙ୍ଗା ବାଉଁଶ ପୋଲକୁ ମରାମତି କରି ଯାତାୟାତ କରୁଛନ୍ତି। ପଞ୍ଚାୟତ ସଦର ମହକୁମା ନୂଆପଦରଠାରୁ ଏହି ପୋଲ ଦେଇ ଗଲେ ମାତ୍ର ଅଧ କିଲୋମିଟର ରାସ୍ତା ପଡୁଥିବା ବେଳେ ପୋଲଟି ଭାଙ୍ଗି ଯାଇଥିବାରୁ ରବିଙ୍ଗିଆ ଦେଇ ଅଧିକ ପାଞ୍ଚ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ଅନ୍ୟପ‌ଟେ ପୋଲଟି ଭାଙ୍ଗି ଯାଇଥିବାରୁ ନାଳପାଣି ଭିତ‌ର ଦେଇ ଛୋଟଛୋଟ ଶିଶୁମାନେ ନିକଟସ୍ଥ କାଟାପାଙ୍ଗା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାତାୟାତ କରିଥା’ନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ପାଣି ଭିତରେ ପଶି ସ୍କୁଲ, କଲେଜକୁ ଯାଆନ୍ତି।

ଅନ୍ୟପଟେ ବର୍ଷାଦିନେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଗାଁଟି ସମ୍ପୂର୍ଣ୍ଣ ଭାବେ ଫିରିଙ୍ଗିଆ ବ୍ଲକ୍‌ ସଦରମହକୁମା ଠାରୁ ବିଚ୍ଛିନ୍ନ ହୋଇଯାଏ। ବର୍ଷାଦିନେ ନାଳ ଭିତରେ ପଶି ଯାତାୟାତ କରିବା ବେଶ ବିପଦପୂର୍ଣ୍ଣ ହୋଇଥାଏ। ଅନ୍ୟପଟେ ତୁରନ୍ତ ଏଠାରେ ଏକ ନୂତନ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆସନ୍ତା ଦୁଇମାସ ମଧ୍ୟରେ ଏଠାରେ ପୋଲ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବାକୁ ଗ୍ରାମର ନନ୍ଦ କହଁର, ସାଙ୍ଗ କହଁର, ରଞ୍ଜ କହଁର ଓ ଶୁକ କହଁର ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର