ସୌମ୍ୟରଂଜନଙ୍କୁ ଇଟାଲିର ‘ବିଶ୍ୱାମିତ୍ର ଆନ୍ତର୍ଜାତିକ ପୁରସ୍କାର’

ବି‌ଶ୍ୱସ୍ତରର ୯ ଖ୍ୟ‌ାତିସମ୍ପନ୍ନ ବ୍ୟକ୍ତିତ୍ବଙ୍କ ସହ ପୁରସ୍କାର ଗ୍ରହଣ କରିବେ

ସିରାକୁସା, ଇଟାଲି/ଭୁବନେଶ୍ବର : ‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଇଟାଲିର ସମ୍ମାନଜନକ ‘ବିଶ୍ବାମିତ୍ର ଆନ୍ତର୍ଜାତିକ ଉତ୍କୃଷ୍ଟତା ପୁରସ୍କାର’ ପାଇବେ। ଆସନ୍ତା ୩୦ ତାରିଖ ଦିନ ଇଟାଲିର ସିରାକୁସାଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଅନ୍ୟ ୯ ଜଣ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବଙ୍କ ସହିତ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବେ। ଏହିଭଳି ଏକ ଆନ୍ତର୍ଜାତିକ ପୁରସ୍କାର ପାଇବାରେ ଶ୍ରୀ ପଟ୍ଟନାୟକ ହେଉଛନ୍ତି ଅନ୍ୟତମ ଭାରତୀୟ।

ଇଟାଲିର ଯୋଗବିଦ୍ୟା ଅନ୍‌ଲସ୍ ନାମକ ଏକ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଚଳିତବର୍ଷ ୧୪ଟି କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବମାନଙ୍କୁ ଏକ ଜୁରୀ କମିଟି ମାଧ୍ୟମରେ ମନୋନୀତ କରାଯାଇଥିଲା। ଏହି ସବୁ କ୍ଷେତ୍ରଗୁଡ଼ିକ ହେଲା, ଲୋକସ୍ବରର ସଶକ୍ତୀକରଣ, ଔଷଧ, ବୈକଳ୍ପିକ ଔଷଧ, କର୍ପୋରେଟ୍‌ ଏଚ୍‌ଆର୍‌., ମହିଳା ଉ‌େଦ୍ୟାଗପତି, ଷ୍ଟାର୍ଟ-ଅପ୍‌ କମ୍ପାନି, ଆଇନ, ଆଦେଶର ସାମର୍ଥ୍ୟ, ଆର୍ଟିଟେକ୍‌ଚର ଓ ଇଞ୍ଜିନିୟରିଂ, କୃଷି, ଯୋଗ ଓ ସଂସ୍କୃତି, କଳା, ଓ ମାତୃତ୍ବ। ଷ୍ଟେଫାନିଆ ରୋସିଟ୍ଟୋ, ଲାଉରା ତାଲାମୋନି, କାଟେରିନା ବ୍ରିନ୍ଦିସି, କାର୍‌ମେଲୋ ଡିନାରାଓ, ଏନ୍‌ଜୋ ରେଭେଲ୍ଲା, ରୋଷାରିଓ ଡ୍ରାଗୋ, ସିଲ୍‌ଭିଓ ଓଣ୍ଟାରିଓ, ଡୋମେନିକୋ ଡେଲ୍ଲା’ରିଆ ଓ ମାସିମୋ ଡି ମୈତାଙ୍କୁ ନେଇ ଗଠିତ ଏକ ୯ ଜଣିଆ ଜୁରୀ କମିଟି ଲୋକଙ୍କ ସ୍ବରକୁ ଶାଣିତ କରିବାରେ ନିରନ୍ତର ପ୍ରୟାସ କରିଥିବାରୁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଏ ସମ୍ପର୍କରେ ସଂସ୍ଥା ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ‌ଯେ, ‘ଶ୍ରୀ ପଟ୍ଟନାୟକ ଜଣେ ବୁଦ୍ଧିଜୀବୀ ଓ ଦୂରଦ୍ରଷ୍ଟା ଭାବେ ଓଡ଼ିଶାର ଘରେଘରେ ପରିଚିତ। ଏକ ପ୍ରତିଷ୍ଠିତ ଗଣମାଧ୍ୟମର ସଂସ୍ଥାପକ ଭାବେ ହେଉ, ଆମ ଓଡ଼ିଶା ଚାରିଟେବୁଲ୍‌ ଟ୍ରଷ୍ଟ ହେଉ କିମ୍ବା ଜଣେ ରାଜନେତା ଭାବେ ହେଉ, ତାଙ୍କରି ପ୍ରତିଟି ଉଦ୍ୟମରେ ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଅଙ୍ଗୀକାରବଦ୍ଧତା ଓ ଭଲପାଇବା ପ୍ରତିଫଳିତ ହୋଇଆସୁଛି। ଓଡ଼ିଆ ଭାଷା ଓ କୃଷକଙ୍କ ଅଧିକାର ପାଇଁ ବି ତାଙ୍କ ଉଦ୍ୟମ ଅନନ୍ୟ।’

ଶ୍ରୀ ପଟ୍ଟନାୟକଙ୍କ ସହିତ ଅନ୍ୟ ୯ ଜଣ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବ ଏହି ‘ଆନ୍ତର୍ଜାତିକ ବିଶ୍ବାମିତ୍ର ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ରୋମାନିଆର ଡା. ଦୋଇନା ନାପା (ଔଷଧ), ଇଟାଲିର ଡା. ଆରିଆନା ସ୍କ୍ବିଲାଣ୍ଟେ (ବୈକଳ୍ପିକ ଔଷଧ), ଇଟାଲିର ଡ. ମାରିଆ ଗ୍ରାଜିଆ ମିସିଲି ( ମହିଳା ଉଦ୍ୟୋଗ) ଓ ଫେଡେରିକୋ ପିପିଟୋନ୍‌ ( ଷ୍ଟାର୍ଟ-ଅପ୍‌), ବ୍ରାଜିଲ୍‌ର ୱେଲ୍‌ଟନ୍‌ ରେ‌ାବର୍ଟୋ (ଆଇନ), ଇଟାଲିର ଲେଫ୍ଟନାଣ୍ଟ ଆଲ୍‌ଫିଓ ମାମ୍ମିନୋ ( ଆଦେଶର ସାମର୍ଥ୍ୟ), ଫ୍ରାନ୍‌ସିସ୍କୋ ଫ୍ରେସା ( ଆର୍କିଟେକଚର୍ ଓ ଇଞ୍ଜିନିୟରିଂ) ଓ ଆଲେସିଆ ମୋଣ୍ଟାନି (କୃଷି), ଜାପାନର ଯାଶୁ ଜିନେନ (ଯୋଗ ଓ ସଂସ୍କୃତି), ସୁଇଜର୍‌ଲାଣ୍ଡର ଜିଆକୋମୋ ବ୍ରାଗିଲା (କଳା)। ଅନ୍ୟତମ ଭାରତୀୟ ଭାବେ ମହାରାଷ୍ଟ୍ରର ସିନ୍ଧୁତାଇ ସପକାଳ(ମାତୃତ୍ବ)ଙ୍କୁ ଏହି ଆନ୍ତର୍ଜାତିକ ପୁରସ୍କାର ପ୍ରଦାନ କରାଯିବ। ସିନ୍ଧୁତାଇ ହେଉଛନ୍ତି ଜଣେ ସାମାଜିକ କର୍ମୀ, ଯିଏ କି ଅନାଥ ଶିଶୁଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ‘ ଅନାଥଙ୍କ ମା’ ଭାବେ ବେଶ୍‌ ଜଣାଶୁଣା। ସେହିଭଳି, ସିଏସ୍‌ଆର୍‌ରେ ଉତ୍କୃଷ୍ଟତା ପାଇଁ ଇଟାଲିର ଗୁନା ଏବଂ କର୍ପୋରେଟର୍‌ ଏଚ୍‌ଆର୍‌ ପାଇଁ ସିଫି ନାମକ ସଂସ୍ଥାକୁ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ପ୍ରକାଶଥାଉକି, ପ୍ରାଚୀନ କାଳର ଭାରତୀୟ ସ‌ର୍ବଶ୍ରେଷ୍ଠ ଋଷିମାନଙ୍କ ମଧ୍ୟରେ ବିଶ୍ବାମିତ୍ର ହେଉଛନ୍ତି ଅନ୍ୟତମ। ଗାୟତ୍ରୀ ମନ୍ତ୍ର ଓ ଋକ୍‌ବେଦର ବହୁ ପରିଚ୍ଛେଦ ତାଙ୍କର ଅବଦାନ ବୋଲି ବିବେଚନା କରାଯାଇଥାଏ। ବିଶ୍ବାମିତ୍ର କହିଲେ ଯିଏ କି ଅନ୍ୟମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ସହିତ ଶୀର୍ଷ ସଫଳତା ସତ୍ତ୍ବେ ବିରାମ ନେଇ ନଥା’ନ୍ତି ଏବଂ ଅନ୍ୟଙ୍କୁ ସଶକ୍ତୀକରଣ କରିବାରେ ତାଙ୍କର ଯୋଗଦାନ ରହିଥାଏ- ଏହା ହିଁ ବୁଝାଇଥାଏ। ଏହାକୁ ଦୃଷ୍ଟିରେ ରଖି ଇଟାଲିର ଯୋଗବିଦ୍ୟା ଅନ୍‌ଲସ୍ ନାମକ ସଂସ୍ଥା ‘ବିଶ୍ବାମିତ୍ର’ଙ୍କ ନାମ‌େର ଏହି ଆନ୍ତର୍ଜାତି ଉତ୍କର୍ଷ ପୁରସ୍କାର ପ୍ରଦାନ କରୁଛନ୍ତି। ‘ବିଶ୍ବାମିତ୍ର ଆନ୍ତର୍ଜାତିକ ପୁରସ୍କାର’ ହେଉଛି ଏକ ସଫଳତାକୁ ଅନ୍ୟମାନଙ୍କ ସହିତ ସମଭାଗୀ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନିବା ଏବଂ ସେମାନଙ୍କୁ ସ୍ବୀକୃତି ପ୍ରଦାନ କରିବା। ଏକ ଚୟନ କମିଟି ମାଧ୍ୟମରେ ସେମାନଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଥାଏ ବୋଲି ଏହି ସଂସ୍ଥା ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର