ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ସୌମ୍ୟରଂଜନ, ଘରୋଇ ବିଦ୍ୟାଳୟର ମନମୁଖୀ ଫି’ ପ୍ରସଙ୍ଗ

ଓଡ଼ିଆ ପଢାଉନାହାନ୍ତି ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ନିଯୁକ୍ତି ବୟସସୀମା ବୃଦ୍ଧି ପାଇଁ ବି ଦାବି ରଖିଲେ

ଭୁବନେଶ୍ବର: ବେସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ଭାରି ବାଧୁଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଫି ଆଦାୟ ଉପରେ କୌଣସି ଅଙ୍କୁଶ ନାହିଁ । ଆଜି ଏହି ପ୍ରସଙ୍ଗରେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିେଜଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ଶୂନ୍ୟକାଳରେ ଏକ ବୈଧାନିକ ପ୍ରଶ୍ନ ଉତ୍ଥାପନ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଘରୋଇ ସ୍କୁଲରେ ମନଇଚ୍ଛା ଫି’ ନିର୍ଦ୍ଧାରଣ କରି ଆଦାୟ କରାଯାଉଛି। ରାଜ୍ୟରେ ଥିବା ସରକାରୀ ସ୍କୁଲଗୁଡ଼ିକ ଉପରେ ଅଭିଭାବକଙ୍କ ଆସ୍ଥା ନାହିଁ । ବାଧ୍ୟ ହୋଇ ଇଂରାଜୀ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଉତ୍ତମ ଶିକ୍ଷା ଦେବା ଆଳରେ ଅଭିଭାବକମାନେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ମନମାନି ସହୁଛନ୍ତି। ସବୁ ସ୍କୁଲରେ ଏକ ରେଗୁଲେଟାରି କମିଟି ରହିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସବୁ ସ୍କୁଲଗୁଡ଼ିକ ଏହି ନିୟମ ମାନିବା ପାଇଁ ବାଧ୍ୟ। ହେଲେ ଦୁର୍ଭାଗ୍ୟବଶତଃ ନିୟମ ମାନୁ ନାହାନ୍ତି କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ। ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଫି’ ନିର୍ଦ୍ଧାରଣ ଉପରେ ସରକାର ଦୃଷ୍ଟି ଦେବା ଉଚିବ ବୋଲି ଗୃହରେ ଦାବି କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି ବିଧାୟିକା ଲତିକା ପ୍ରଧାନ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ େଯ ଇଂରାଜୀ ସ୍କୁଲ ମିଡିୟମ ସ୍କୁଲଗୁଡିକରେ ଓଡ଼ିଆ ପଢ଼ାଯାଉନାହିଁ। ପିଲାମାନେ ନିଜ ଭାଷ ସାହିତ୍ୟଠାରୁ ଦୂରେଇ ଯିବା ଉଚିତ ନୁହେଁ। ଇଂରାଜୀ ଭାଷା ପ୍ରୀତିରେ ପିଲାମାନେ ମାତୃଭାଷାଠାରୁ ମୁହଁ ଫେରାଉଛନ୍ତି। ଦିନକୁ ଦିନ ଏପରି ହେଲେ ଦିନ ଆସିବ ଓଡ଼ଆ ଭାଷାର ଅସ୍ତିତ୍ବ ରହିବ ନାହିଁ। ସରକାର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଚାକିରିରେ ସର୍ବନିମ୍ନ ବୟସସୀମା ବୃଦ୍ଧି ପ୍ରସଙ୍ଗ ଉଠାଇ ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ କର୍ମନିଯୁକ୍ତ ବଢ଼ିବା ଆବଶ୍ୟକ । ବର୍ତ୍ତମାନ ସମୟରେ ରାଜ୍ୟରେ କାମ କରୁଥିବା ନିଯୁକ୍ତି ସଂସ୍ଥାଗୁଡ଼ିକ ଠିକ୍‌ରେ କାମ କରୁନାହାନ୍ତି। ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଛି। ଏଥିଯୋଗୁଁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ଗଡ଼ୁଛି। ଏହି ଆଳରେ ବହୁ ଯୋଗ୍ୟ ପ୍ରାର୍ଥୀ ଚାକିରି ପାଇପାରୁ ନାହାନ୍ତି। ଦୀର୍ଘ ୮-୧୦ ବର୍ଷ ହେବ ରାଜ୍ୟରେ ବିଭିନ୍ନ ପଦବି ଖାଲି ପଡ଼ୁଛି। ଅନ୍ୟ ରାଜ୍ୟଗୁଡ଼ିକରେ ଚାକିରି ବୟସୀସୀମା ୪୦-୪୫ ବର୍ଷକୁ ବଢ଼ାଇ ସାରିଲେଣି । ଓଡ଼ିଶାରେ ବି ଏହି ନିୟମ ଲାଗୁ ହେବା ଉଚିତ।
ଶ୍ରୀ ପଟ୍ଟନାୟକ କହିଥିଲେ, ଅବସର ପରେ ମଧ୍ୟ ସରକାରୀ ଚାକିରିଆ ନିଯୁକ୍ତି ପାଉଛନ୍ତି । ଆଉ ଯୋଗ୍ୟ ଯୁବକ ଯୁବତୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ଏସବୁ ଦିଗ ପ୍ରତି ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର।

ସମ୍ବନ୍ଧିତ ଖବର