ବିଧାନସଭାରେ କାମ କଲାନି ମାଇକ୍ରୋଫୋନ୍

ଭୁବନେଶ୍ବର : ବିଧାନସଭାରେ ଆଜି ବ୍ୟୟମଞ୍ଜୁରି ବିଲ୍‌ ଆଲୋଚନା ଚାଲିଥିଲା ବେଳେ ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଲା। ବିଜେଡି ସଭ୍ୟ କିଶୋର ନାୟକ କହିସାରିଲା ପରେ ବାଚସ୍ପତି ବିଜେପି ସଭ୍ୟ ଆଦିତ୍ୟ ମାଢ଼ୀଙ୍କୁ କହିବା ପାଇଁ ଡାକିଲେ। ଶ୍ରୀ ମାଢ଼ୀ କହିବା ପାଇଁ ଠିଆ ହେଲେ। କିନ୍ତୁ ମାଇକ୍ରୋଫୋନ୍ ଅନ୍ ହେଲାନି। ସେପଟେ ପୂର୍ବ ବକ୍ତା ଶ୍ରୀ ନାୟକଙ୍କ ମାଇକ୍ ଅଫ୍ ହେଲାନି। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ। କିଛି ସମୟ ପର୍ଯ୍ୟନ୍ତ ମାଇକ୍ରୋଫୋନ୍ ଅନ୍ ନ ହେବାରୁ ବାଚସ୍ପତି ବିଧାନସଭା ଓଏସ୍‌ଡିଙ୍କୁ ନିୟନ୍ତ୍ରଣ କକ୍ଷକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ପଠାଇଥିଲେ। ନିୟନ୍ତ୍ରଣ କକ୍ଷରୁ ଉତ୍ତର ମିଳିଲା ଯେ ସର୍ଭର୍ ହ୍ୟାଙ୍ଗ୍ ହୋଇଯାଇଛି। ଏହି ସମୟରେ ତାରା ବାହିନୀପତି କଟାକ୍ଷ କରିଥିଲେ, ଆଉ ଯନ୍ତ୍ର କାମ କରିବନି। ତାହା ପରେ କର୍ଡଲେସ୍‌ ମାଇକ୍ରୋଫୋନ୍ ଦେବାକୁ ବାଚସ୍ପତି ନି‌ର୍ଦ୍ଦେଶ ଦେଲେ। ଶ୍ରୀ ମାଢ଼ୀ କର୍ଡଲେସ୍ ଫୋନ୍‌ରେ ତାଙ୍କ ଅଭିମତ ବ୍ୟକ୍ତ କଲେ। ପରବର୍ତ୍ତୀ ସମୟରେ ମାଇକ୍ରୋଫୋନ୍ ଠିକ୍ ହୋଇଥିଲେ ବି ସେଠାରେ ଲାଗିଥିବା ଟିଭି ପରଦାରେ ‘ସର୍ଭର୍ ନଟ୍‌ ଫାଉଣ୍ଡ୍‌’ ବୋଲି ଲେଖାଯାଉଥିଲା।

ସମ୍ବନ୍ଧିତ ଖବର