ନୂଆବର୍ଷ ପାଇଁ ସଜେଇ ହୋଇଛି ପୁରୀ, ୧ ତାରିଖ ମଧ୍ୟରାତ୍ରିରେ ଫିଟିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ନୂଆବର୍ଷ ପାଇଁ ନୂଆ ରୂପରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର ।   ଏହା ସହିତ ଭକ୍ତଙ୍କ ସୁବିଧା ପାଇଁ କେତେକ ବନ୍ଦୋବସ୍ତ କରାଯାଇଛି । ବଡ଼ଦାଣ୍ଡ, ନବ ନିର୍ମିତ ସେଡ୍ ବା ଛାମୁଣ୍ଡିଆ ଏବଂ ମନ୍ଦିରର ଚାରିପାଖକୁ ବେଶ ଆକର୍ଷଣୀୟ ଢ଼ଙ୍ଗରେ ସଜେଇ ଦିଆଯାଉଛି ।

ମିଳିଥିବା ସୂଚନା ଅନୁସାରେ, ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ  ଶ୍ରୀଜୀଉଙ୍କ ଶୀଘ୍ର ପହୁଡ଼ ପଡ଼ିବ । ଜାନୁୟାରୀ ୧ ତାରିଖ ରାତି ୧୨ଟାରେ ଦ୍ୱାର ଫିଟିବ । ସେହିପରି ମଙ୍ଗଳଆଳତୀ ୧ଟା, ରୋଷହୋମ ୪ଟା, ମଇଲମ ଓ ତଡ଼ପ ଲାଗି ୪ଟା ୩୦, ଅବକାଶ ୫ଟା ୧୫, ସୂର୍ଯ୍ୟପୂଜା ୫ଟା ୪୫, ଦ୍ୱାରପାଳ ପୂଜା ୬ଟା, ବେଶ ଶେଷ ୬ଟା୩୦ ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଅନ୍ୟପଟେ ମଧ୍ୟାହ୍ନ ଧୂପ ୧୧ଟାରୁ ୧୨ଟା୩୦ ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ତେବେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦେଖି ଦିନ ୧୧ଟା ସୁଦ୍ଧା ମହାପ୍ରସାଦ ବାହାରିବାର ବ୍ୟବସ୍ଥା କରାଯାଇଛି ।

କେବଳ ଏତିକି ନୁହେଁ, ଭକ୍ତମାନେ ଯିବାବେଳେ ସେମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ସେଡ ନିକଟରେ ଭଜନ ଶୁଣିବା ପାଇଁ ଲାଗିଛି ସ୍ପିକର । ଆଉ ଏସବୁ ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା ।

ତେବେ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ନୂଆବର୍ଷ ପାଇଁ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ୮ଶହ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସୋମବାର ରାତିରୁ ଗୁରୁବାର ଦିନ୨ଟା ଯାଏଁ ଏହି ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ । ରେଳ ଷ୍ଟେସନ, ବଡ଼ଦାଣ୍ଡ ଏବଂ ସମୁଦ୍ରକୂଳ ଉପରେ ରହିବ ପୁଲିସର ୨୪ ଘଣ୍ଟିଆ ନଜର ।

ସମ୍ବନ୍ଧିତ ଖବର