ଏମ୍‌ସରେ ମେଡିକାଲ୍ ଅଙ୍କୋଲୋଜି ବିଭାଗର ସ୍ବତନ୍ତ୍ର ଡେ କେୟାର, ଓପିଡି ସେବା ଆରମ୍ଭ

ମଙ୍ଗଳବାର ଏବଂ ଗୁରୁବାର ଓପିଡି ସେବା, ଖୋଲିବ ମେଡିକାଲ୍ ଅଙ୍କୋଲୋଜିରେ ଡିଏମ୍ ପାଠ୍ୟକ୍ରମ

ଭୁବନେଶ୍ବର : ରାଜ୍ୟ ତଥା ରାଜ୍ୟ ବାହାରୁ କର୍କଟ ରୋଗୀଙ୍କ କେମୋଥେରାପି ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଙ୍କୋଲୋଜି ବିଭାଗ ପକ୍ଷରୁ ଡେ କେୟାର୍ ଏବଂ ଓପିଡି ସେବା ଆରମ୍ଭ ହୋଇଛି। ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ହସ୍‌ପିଟାଲ୍‌ର ଜି ବ୍ଲକରେ ଥିବା ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ନିର୍ଦ୍ଦେଶକ ଡା. ତ୍ରିପାଠୀ କହିଛନ୍ତି, ଏହି ବ୍ୟବସ୍ଥା କେମୋଥେରାପି ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କୁ ସହାୟତା କରିବ। କାର୍ଯ୍ୟକ୍ରମରେ ମେଡିକାଲ୍ ଅଧୀକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତି, ମେଡିକାଲ ଅଙ୍କୋଲୋଜି ହେମାଟୋଲୋଜି ବିଭାଗ ମୁଖ୍ୟ ଡା. ପ୍ରବୋଧ ଦାସ, ଜେଏମଏସ ଡା. ଜେ ଏସ ପିଲାଇ, ଆସୋସିଏଟ ପ୍ରଫେସର ଡା. ସୌରଭ କୁମାର ମିଶ୍ର ଏବଂ ମେଡିକାଲ ଅଙ୍କୋଲୋଜି ବିଭାଗର ସହକାରୀ ପ୍ରଫେସର ଡା. ଇଲାଭାରାସି ଭାନିଡାସାନେ ମଧ୍ୟ ଉପସ୍ଥିତ ଥିଲେ।

ଏମ୍‌ସରେ ପୂର୍ବରୁ ମେଡିକାଲ୍ ଅଙ୍କୋଲୋଜି ହେମାଟୋଲୋଜି ବିଭାଗ ସହିତ ମିଳିତ ଭାବରେ ଏକକାଳୀନ ଓପିଡି ଏବଂ ଡେ କେୟାର ସେବା ପ୍ରଦାନ କରୁଥିଲା। ପ୍ରତିଦିନ ଅନେକ ସଂଖ୍ୟାରେ ରୋଗୀ ପରାମର୍ଶ ନେବା ପାଇଁ ଆସୁଥିଲେ। ଏଥିପାଇଁ ସ୍ବତନ୍ତ୍ର ଆବଶ୍ୟକତା ଥିଲା। ଗତ ମାସରେ କେବଳ ମେଡିକାଲ୍ ଅଙ୍କୋଲୋଜି ପକ୍ଷରୁ ୧୦୫ କେମୋଥେରାପି, ୪୪୬ଟି ଓପିଡି ସେବା ପ୍ରଦାନ କରାଯାଇଥିଲା। ସେହିପରି ୧୬୦ଜଣ ନୂତନ ଓପିଡି ରୋଗୀ ପରାମର୍ଶ ନେଇଥିବା ଡା. ମିଶ୍ର ସୂଚନା ଦେଇଛନ୍ତି। ଡା. ସୌରଭ କୁମାର ମିଶ୍ର ଏବଂ ଡା. ଇଲାଭାରାସୀ ଭାନିଡାସାନେ ନୂତନ ଭାବେ ଏହି ବିଭାଗରେ ଅଧ୍ୟାପକ ଏବଂ ଅଧ୍ୟାପିକା ଭାବେ ଯୋଗଦେଇ ଏମ୍‌ସ ଭୁବନେଶ୍ୱରରେ ମେଡିକାଲ ଅଙ୍କୋଲୋଜି ସେବା ଆରମ୍ଭ କରିଛନ୍ତି। ପ୍ରତିବର୍ଷ ଅନେକ ସଂଖ୍ୟାରେ କର୍କଟ ରୋଗୀ ଆସୁଥିବାରୁ ଭବିଷ୍ୟତରେ ମେଡିକାଲ୍ ଅଙ୍କୋଲୋଜିରେ ଡିଏମ୍ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ଥିବା ଏମ୍‌ସ ପକ୍ଷରୁ କୁହାଯାଇଛି। ଏହି ବିଭାଗରୁ ସେବା ନେବାକୁ ଆସୁଥିବା କର୍କଟ ରୋଗୀମାନେ ସିଧାସଳଖ ଜି ବ୍ଲକ୍‌ରେ ପଞ୍ଜୀକରଣ କରିପାରିବେ। ଫଳରେ ଆଉ ଲମ୍ବା ସମୟ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମେଡିକାଲ୍ ଅଙ୍କୋଲୋଜି ସେବା ସପ୍ତାହର ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଜାରି ରହିବ। ଡେ କେୟାର୍ ସେବା ସପ୍ତାହର ସବୁଦିନ ଚାଲିବା ନେଇ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର