ପଡ଼ିଲାନି ପହୁଡ଼; ରାତିସାରା ଖୋଲା ରହିଲା ଶ୍ରୀମନ୍ଦିର, ଆଜି ସୂର୍ଯ୍ୟୋପରାଗ

ରାତି ୮ଟା ୨୦ରୁ ବନ୍ଦ ହେଲା ସମସ୍ତ ନୀତି, ଗ୍ରହଣ ମହାସ୍ନାନ ପରେ ନୀତିକାନ୍ତି

ପୁରୀ : ଗୁରୁବାର ହେବ ଏ ବର୍ଷର ଶେଷ ସୂର୍ଯ୍ୟୋପରାଗ। ସକାଳ ୮ ଘଣ୍ଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ‌ହେବ। ତେଣୁ ଏହି ବୁଧବାର ରାତି ୮ଟା ୨୦ ମିନିଟ୍‌ରୁ ପାକତ୍ୟାଗ ସହ ଅନ୍ନଭୋଜନ ଓ ଦେବନୀତି ନିଷେଧ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ବୁଧବାର ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ରାତି ୮ଟା ୨୦ ସୁଦ୍ଧା ସଂଧ୍ୟାଧୂପ, ମଇଲମ ଓ ତଡ଼ପଲାଗି ନୀତି ଶେଷ ‌ପରେ ବାକି ସମସ୍ତ ନୀତି ବନ୍ଦ ରହିଛି। ନୀତି ବନ୍ଦ ରହିଥିବାରୁ ବୁଧବାର ରାତିରେ ପହୁଡ଼ ନୀତି ବି ଅନୁଷ୍ଠିତ ହୋଇପାରିନି। ଯେଉଁଥିପାଇଁ ରାତିସାରା ଶ୍ରୀମନ୍ଦିର ଖୋଲାରହିଛି। ବହୁସଂଖ୍ୟାରେ ଭକ୍ତ ବୁଧବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଗୁରୁବାର ଗ୍ରହଣ ସ୍ପର୍ଶ ପରେ ଅର୍ଥାତ୍ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ କରାଯାଇ ଦେବନୀତି ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ନୀତିକୁ ଆଧାର କରି ସାରା ରାଜ୍ୟରେ ପ୍ରତି ଘରେ ବୁଧବାର ରାତି ୮ଟା ୨୦ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରଖାଯାଇଛି।

ନୀତିନିର୍ଘଣ୍ଟ ଅନୁଯାୟୀ, ଆଜି ରାତି ପ୍ରାୟ ୩ ଟାରେ ଦ୍ବାରଫିଟା ପରେ ସାଢ଼େ ୩ଟାରେ ଭିତରଶୋଧ ନୀତି ଅନୁଷ୍ଠିତ ହୋଇଥିଲା। ୩ଟା ୪୫ରେ ମଙ୍ଗଳ ଆଳତି ଓ ରୋଷହୋମ, ସାଢ଼େ ୪ଟାରେ ମଇଲମ-ତଡ଼ପଲାଗି, ୫ଟାରେ ଅବକାଶ ପୂଜା, ୫ଟା ୪୫ରେ ସୂର୍ଯ୍ୟପୂଜା, ୬ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ପରେ ପହିଲି ଭୋଗ ନୀତି ଆରମ୍ଭ ହୋଇଥିଲା। ସକାଳ ୬ଟା ୨୦ରୁ ୬ଟା ୫୦ ଭିତରେ ପହିଲି ଭୋଗ ନୀତି ଶେଷ ପରେ ସକାଳ ସାଢ଼େ ୭ଟାରୁ ୯ଟା ଭିତରେ ସକାଳ ଧୂପ(କେବଳ କୋଠଭୋଗ) ଅନୁଷ୍ଠିତ ହୋଇଥିଲା। ସକାଳ ୯ଟା ୨୦ରୁ ୧୦ଟା ପର୍ଯ୍ୟନ୍ତ ମଇଲମ ଓ ବେଶ, ୮ଟା ୪୫ରୁ ସାଢ଼େ ୧୦ଟା ଭୋଗମଣ୍ଡପ, ପୂର୍ବାହ୍ଣ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ମଧ୍ୟାହ୍ନ ଧୂପ(କେବଳ କୋଠଭୋଗ), ସାଢ଼େ ଗୋଟାଏରେ ଜ୍ୟେଷ୍ଠା ବିଛା ନକ୍ଷତ୍ର ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ୧୨ଟା ୧୫ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଦ୍ବିତୀୟ ଭୋଗମଣ୍ଡପ, ଅପରାହ୍ଣ ୨ଟାରେ ଦକ୍ଷିଣୀଘର ଭୋଗ ଶେଷ ହୋଇଥିଲା। ପରେ ଅପରାହ୍ଣ ୪ଟାରୁ ୫ଟା ମଇଲମ ଓ ବେଶ, ୫ଟା ୧୦ରେ ସଂଧ୍ୟା ଆଳତୀ, ସଂଧ୍ୟା ୬ଟାରୁ ରାତି ସାଢ଼େ ୭ଟା ସଂଧ୍ୟାଧୂପ, ରାତି ୮ଟା ୨୦ ସୁଦ୍ଧା ମଇଲମ-ତଡ଼ପଲାଗି ହୋଇ ବାକି ସମସ୍ତ ନୀତି ବନ୍ଦ କରି ଦିଆଯାଇଥିଲା।

ଗୁରୁବାର ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହେବ। ପରେ ତଡ଼ପ ମଇଲମ, ବେଶ, ମଙ୍ଗଳଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗ୍ରହଣ ସାଧା ବେଶ ପର ଗ୍ରହଣ ଭୋଗ, ମଇଲମ-ବେଶ, ଗୋପାଳବଲ୍ଲଭ, ପହିଲିଭୋଗ ଓ ସକାଳଧୂପ ନୀତି ଅନୁଷ୍ଠିତ ହେବ। ଏହା ପରେ ଗୁରୁବାର ମାଜଣା ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ସୂଚନାଯୋଗ୍ୟ, ପ୍ରତିଦିନ ବଡ଼ସିଂହାର ବେଶ ପରେ ମହାପ୍ରଭୁଙ୍କ ପହୁଡ଼ ନୀତି ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟପରାଗ ଯୋଗୁଁ ଆଜି ମହାପ୍ରଭୁଙ୍କ ବଡ଼ସିଂହାର ବେଶ ହୋଇନି କି ପହୁଡ଼ ନୀତି ଅନୁଷ୍ଠିତ ହୋଇପାରିନି। ଯେଉଁଥିପାଇଁ ଆଜି ରାତି ସାରା ଶ୍ରୀମନ୍ଦିର ଖୋଲା ରହିଛି।

ସମ୍ବନ୍ଧିତ ଖବର