ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି : କାଳୀୟଦଳନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶ୍ରୀକୃଷ୍ଣ ଜନ୍ମୋତ୍ସବ ଅବସରରେ ଶ୍ରୀମନ୍ଦିରରେ କାଳୀୟଦଳନ ନୀତି ଅନୁଷ୍ଠିତ ହୋଇଯାଇଛି। ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଆଜି ମହାପ୍ରଭୁ କାଳୀୟଦଳନ ବେଶରେ ଦର୍ଶନ ଦେଇଛନ୍ତି। ଏ ନେଇ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ି ପାଣି ପଡିବା ପରେ କାଳୀୟ ଦଳନ ବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରଥମେ ଦକ୍ଷିଣୀ ଘର ଭୋଗ ବଢ଼ିବା ପରେ ମଦନମୋହନ ଓ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ ହୋଇଥିଲେ। ରତ୍ନ ବେଦିରେ ମଦନମୋହନ, ରାମ ଓ କୃଷ୍ଣଙ୍କୁ ପୂଜାପଣ୍ଡା ମହାପ୍ରଭୁଙ୍କର ତିନିଗୋଟି ଆଜ୍ଞାମାଳ ଦେଇଥିଲେ। ପରେ ଝୁଲଣ ମଣ୍ଡପ ନିକଟରେ ଥିବା ପାଲଙ୍କିକୁ ତିନି ଠାକୁର ବିଜେ କରିଥିଲେ। ପାଲଙ୍କି ବିଜେ ଠାକୁରମାନଙ୍କୁ ବେଢ଼ା ପରିକ୍ରମା କରାଯିବା ପରେ ଶ୍ରୀମନ୍ଦିର ବାହାରକୁ ଶୋଭାଯାତ୍ରାରେ ଲୋକନାଥ ରୋଡସ୍ଥିତ ଲବଣିଖିଆ ମଣ୍ଡପକୁ ବିଜେ କରାଯାଇଥିଲା। ସେଠାରେ ଲବଣିଖିଆ, ବନ୍ଦାପନା, ଶୀତଳ ଭୋଗ ନୀତି ସାରି ଠାକୁରମାନେ ମାର୍କଣ୍ଡ ପୁଷ୍କରିଣୀକୁ ଯାତ୍ରା କରିଥିଲେ। ମାର୍କଣ୍ଡ ପୁଷ୍କରିଣୀଠାରେ ଠାକୁରମାନଙ୍କର କାଳୀୟଦଳନ ଲୀଳା ସଂପନ୍ନ ହୋଇଥିଲା।

ପୁଷ୍କରିଣୀ ତଟରେ ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ଠାକୁରମାନେ ବଡଦେଉଳକୁ ବାହୁଡା ବିଜେ କରିଥିଲେ। ପରମ୍ପରା ମୁତାବକ ଶ୍ରୀମନ୍ଦିର ଜୟବିଜୟ ଦ୍ୱାରଠାରେ ଠାକୁରମାନଙ୍କୁ ଏକାଦଶୀ ଭୋଗ ଓ ବନ୍ଦାପନା ହୋଇଥିଲା। ଏହା ପରେ ଠାକୁରମାନେ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ସଂଧ୍ୟା ଧୂପ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଳୀୟଦଳନ ବେଶ ଆରମ୍ଭ ହୋଇଥିଲା। ଏହି ବେଶ ଆଭୂଷଣରେ ବଡଠାକୁର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କାଠନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଲାଗି ହୋଇଥିଲା। ବେତ, ସୁତା, କନାରେ ପ୍ରସ୍ତୁତ ପାଖାପାଖି ୩୦ ଫୁଟ ଲମ୍ୱାର ସପ୍ତଫେଣି କାଳୀୟ ନାଗ ଶ୍ରୀଜଗନ୍ନାଥଙ୍କୁ ଘେରି ରହିଥିଲା। ବେଶ ସରି ସଂଧ୍ୟାଧୂପ ପାଣି ପଡିବା ପରେ ଜଗନ୍ନାଥ ବଲ୍ଲଭ ମଠରୁ ଆସିଥିବା ଅମୃତ ଲଡୁକୁ ମହାପ୍ରଭୁଙ୍କ ଶ୍ରୀହସ୍ତରେ ଲାଗି କରାଯାଇଥିଲା। ଯମୁନା ନଦୀ ତଟସ୍ଥିତ କାଳନ୍ଦୀ ହ୍ରଦରେ କାଳୀୟ ନାମକ ଏକ ସପ୍ତଫେଣି ନାଗକୁ ଶ୍ରୀକୃଷ୍ଣ ଦଳନ କରିବା ପୌରାଣିକ ଘଟଣାର ସ୍ମୃତିରେ ଶ୍ରୀମନ୍ଦିରରେ ଏହି ନୀତି ଏବଂ ବେଶ ପରମ୍ପରା ଅନୁଷ୍ଠିତ ହୋଇଆସୁଛି।

ସମ୍ବନ୍ଧିତ ଖବର